ଓଡିଆନ୍ ନ୍ୟୁଜ

13

୩ ଦିନ ଲାଗି ରହିବ ବର୍ଷା; ୯ ଜିଲ୍ଲାରେ ପ୍ରବଳ ବର୍ଷିବ

Team Odian News |

ଭୁବନେଶ୍ୱର: ଉତ୍ତରପୂର୍ବ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଜିଠୁ ଆସନ୍ତା ୩ଦିନ ଯାଏ ବର୍ଷା ଲାଗି ରହିବ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଆଜି ରାଜ୍ୟର ୯ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ସେହି ଜିଲ୍ଲା ଗୁଡ଼ିକ ହେଲା-ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ନବରଙ୍ଗପୁର, ବଲାଙ୍ଗିର, ନୂଆପଡ଼ା ଓ ବରଗଡ଼। ଏଥିସହ ଉପକୂଳ ଓଡ଼ିଶା, ଅନୁଗୁଳ, ଢେଙ୍କାନାଳ, ମାଲକାନଗିରି ଓ ରାୟଗଡ଼ାରେ ବି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ଆସନ୍ତା ୧୪ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି।

ରାଜ୍ୟରେ ଏବେବି ବର୍ଷାର ପରିମାଣ ସ୍ୱାଭାବିକ ଠାରୁ ୧୧ ପ୍ରତିଶତ କମ୍ ଥିବା ବେଳେ ଏହି ତିନି ଦିନ ବର୍ଷାରେ ସ୍ଥିତି ସୁଧାରିବ ବୋଲି ଆଶା କରାଯାଉଛି।