ଓଡିଆନ୍ ନ୍ୟୁଜ

29

ଜଗନ୍ନାଥଙ୍କୁ ସମର୍ପଣ କରି ନିମ୍ବ ଚାରା ରୋପଣ କଲେ ସେଲିବ୍ରିଟି ।

Team Odian News |

ଜଗନ୍ନାଥଙ୍କୁ ସମର୍ପଣ କରି ନିମ୍ବ ଚାରା ରୋପଣ କଲେ ସେଲିବ୍ରିଟି  । 
ରାଜକନିକା,: ରାଜକନିକା ବ୍ଲକ୍‍ ଅନ୍ତର୍ଗତ ତେନ୍ତୁଳିକୋଳି ଗ୍ରାମର ରାମନାରାୟଣ ଚାରିଟେବୁଲ ଟ୍ରଷ୍ଟ, ସ୍ୱୟଂସିଦ୍ଧ ପକ୍ଷରୁ ‘ଗଛ ଆମ ଜୀବନ ସଂସ୍କୃତି’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  । ଦାରୁ ବ୍ରହ୍ମ ରୂପେ ପୂଜା ପାଉଥିବା ଓଡ଼ିଆ ଜାତିର ପ୍ରାଣକର୍ତ୍ତା ମହାପ୍ରଭୁ ଜଗନ୍ନାଥଙ୍କୁ ସମର୍ପଣ କରି ନିମ୍ବ ଚାରା ରୋପଣ କରାଯାଇଥିଲା  । ଦାରୁ ଆମ ପାଇଁ ଦେବତା, ତେଣୁ ‘ଗଛ ବଞ୍ଚିଲେ ଆମେ ବଞ୍ଚିବା’ ଗଛର ଯତ୍ନ ନେବା ସହିତ ଗଛ ହିଁ ପରିବେଶକୁ ଶୀତଳ କରିଥାଏ  । ଭଲ ଗୀତ ଟିଏ ମନକୁ ଶାନ୍ତି ଦେବା ଭଳି ଭଲ ଭରିବେଶ ମଧ୍ୟ ମଣିଷକୁ ସୁସ୍ଥ ରଖିଥାଏ ବୋଲି ମୁଖ୍ୟଅତିଥି ଭାବେ ବିଶିଷ୍ଟ ସଂଗୀତକାର ଅମରେନ୍ଦ୍ର ମହାନ୍ତି  ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମତ ଦେଇଛନ୍ତି  । ସମ୍ମାନିତ ଅତିଥି ଭାବେ ଚଳଚିତ୍ର ଅଭିନେତା ଶ୍ରୀକାନ୍ତ ଗୌତମ ଯୋଗଦେଇ ଗଛରୁ ଫଳମୂଳ, ଔଷଧୀୟ ପତ୍ର ସହିତ ମଣିଷ ବଞ୍ଚିବା ପାଇଁ ସବୁ କିଛି ମହଜୁଦ୍‍ ରହିଥିବା ନେଇ କହିଛନ୍ତି  । ସେହିଭଳି ଅନ୍ୟତମ ଅତିଥି ଭାବେ ଅଭିନେତା ବାବୁ ପ୍ରଧାନ ଯୋଗଦେଇ ନାଟକୀୟ ସଂଳାପ ମାଧ୍ୟମରେ ବହୁ ପୁରାତନ ସମୟରୁ ବୃକ୍ଷର ମହନୀୟତା ସଂପର୍କରେ ଆଲୋକପାତ୍‍ କରିଥିଲେ  । ଟ୍ରଷ୍ଟର ମୁଖ୍ୟ ଶରତ ନାୟକ ରାଜକନିକା ଅଞ୍ଚଳରେ ବହୁଳ ନିମ୍ବ ଚାରା ରୋପଣ କାର୍ଯ୍ୟକ୍ରମ ଦ୍ୱାରା ଭବିଷ୍ୟତରେ ମହାପ୍ରଭୁଙ୍କ କାମରେ ଆସିବା ନେଇ ଆଶା କରିବା ସହିତ ପ୍ରାର୍ଥନା କରିଥିଲେ  । ପ୍ରତ୍ୟେକ ଗଛ ଆମ ପାଇଁ ପ୍ରଭୁ ଜଗନ୍ନାଥ ବୋଲି କହି ଗଛର ଯତ୍ନ ନେବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ  । ଚଳଚିତ୍ର ସଂପାଦକ ମୁନ୍ନା ମୋଦି ଅନ୍ୟତମ ଅତିଥି ଭାବେ ଯୋଗଦେଇ ଚାରାରୋପଣ କରିଥିଲେ  । ମଦରଙ୍ଗାପାଟର ଗୋପବନ୍ଧୁ ଯୁବକ ସଂଘ ଏବଂ ଖଣୈତା ଗ୍ରାମର ମା’ ବୁଢ଼ିକନକାଇ ଯୁବକ ସଂଘର କର୍ମକର୍ତ୍ତାଙ୍କ ସହଯୋଗରେ ରାସ୍ତାର ଦୁଇ ପାଶ୍ୱର୍ରେ ନିମ୍ବ ଚାରା ରୋପଣ  କରାଯାଇଥିଲା  । ଉଭୟ ଗ୍ରାମର ଗ୍ରାମବାସୀମାନେ ଉତ୍ସାହର ସହିତ ଚାରା ରୋପଣ କରିଥିଲେ  । ଏହି ଅବସରରେ ଗଛ ମଣିଷ ଭାବେ ପରିଚିତ ଗୋଲେଖ ରାଉତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା  । ଏହି କାର୍ଯ୍ୟକ୍ରମରେ ଦାମୋଦର ଧଳ, ‘ସୁଧା’ ସଂପାଦକ ହରେକୃଷ୍ଣ ବାରିକ୍‍, ବିଜୟ କୁମାର ଲେଙ୍କା, ହେମନ୍ତ କୁମାର ନାୟକ, ଗୋଲେଖ ଚନ୍ଦ୍ର ଧଳ ଏବଂ ରଜତ କୁମାର ନାୟକ ପ୍ରମୁଖ ପରିଚାଳନା କରିଥିଲେ  ।