ଓଡିଆନ୍ ନ୍ୟୁଜ

48

ଟାଟା ଷ୍ଟିଲ ପକ୍ଷରୁ ଆଦିମ ଅଧିବାସୀ ଭାଷା ଉପରେ କର୍ମଶାଳା

Team Odian News |

 

ଯାଜପୁର, :  ଆଦିମ ଅଧିବାସୀ ଲୋକମାନଙ୍କ ଅଧିକାରକୁ ସମ୍ମାନ ଜଣାଇ ଟାଟା ଷ୍ଟିଲ ରୁରାଲ ଡ଼େଭଲପ୍ମେଣ୍ଟ ସୋସାଇଟି  (ଟିଏସ୍ଆରଡ଼ିଏସ୍) ପକ୍ଷରୁ ଗତ ୫ ବର୍ଷ ଧରି ବିଶ୍ୱ ଆଦିମ ଅଧିବାସୀ ଦିବସ ପାଳନ କରାଯାଉଛି । ଉକ୍ତ ଦିବସ ପାଳନ ଅବସରରେ ଗତ ଅଗଷ୍ଟ ୯ ତାରିଖ ଦିନ ଆଦିମ ଅଧିବାସୀ ଭାଷାକୁ ହେଉଥିବା କ୍ଷତି, ଏହାକୁ ପୁନଃଜୀବିତ ଓ ସଂରକ୍ଷଣର ଆବଶ୍ୟକତା ଏବଂ ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଏହାର ପ୍ରସାର ଉପରେ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା । ଗୋବରଘାଟି ସରପଞ୍ଚ ଶ୍ରୀମତୀ ସ୍ୱର୍ଣ୍ଣଲତା ବାନାରା ଉକ୍ତ ଉତ୍ସବରେ ଅତିଥି ଭାବେ ଯୋଗଦେଇଥିଲେ ।
ଆଦିମ ଅଧିବାସୀଙ୍କ ଭାଷାକୁ ନେଇ ଥିବା ଆହ୍ୱାନର ଆକଳନ ଓ ଆଦିମ ଅଧିବାସୀ ଲୋକମାନଙ୍କୁ ପୁନଃ ସଂଗଠିତ କରିବା ସହିତ ସେମାନଙ୍କ ପାରମ୍ପରିକ କ୍ଷେତ୍ର ପରିସର ଓ ଏହାର ବାହାରେ ସେମାନଙ୍କ ଅଧିକାରକୁ ଚିହ୍ନଟ ଓ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ୪୦ରୁ ଊଦ୍ଧ୍ୱର୍ ଜନଜାତି ଲୋକ ଏକତ୍ର ହୋଇଥିଲେ ।  ୬ଜଣ ଜନଜାତି ଲେଖକ, ୨୨ ଜନଜାତି ଚିତ୍ରକାର, ୧୫ ଜନଜାତି ଭାଷା ଶିକ୍ଷକ ଶିକ୍ଷୟିତ୍ରୀ ଓ ୧୦ଜନଜାତି ନେତା ଉକ୍ତ କର୍ମଶାଳାରେ ଯୋଗ ଦେବା ସହିତ ବିଭିନ୍ନ ଜନଜାତି ସମ୍ପର୍କିତ ବିଷୟ ଉପରେ ଆଲୋଚନା କରିଥିଲେ । ଜନଜାତି ସଂସ୍କୃତି ଓ ସେମାନଙ୍କ ଲେଖିବା ଶୈଳୀ ଓ କଳାକୃତିର ପ୍ରସାର ହେଉଛି ଉକ୍ତ କର୍ମଶାଳା ଆୟୋଜନ କରିବାର ମୁଖ୍ୟ ଲକ୍ଷ୍ୟ । ଏହାସହିତ ଆଦିମ ଅଧିବାସୀଙ୍କ ଭାଷାକୁ ଆଗେଇ ନେବା ପାଇଁ କିଛି ଲୋକଙ୍କୁ ନେଇ ଏକ ଗୋଷ୍ଠୀ ଗଠନ ଦ୍ୱାରା ଆଗାମୀ ପିଢିକୁ ପ୍ରୋତ୍ସାହିତ କରାଯାଇପାରିବ ।
ଭରଡ଼ାପୋଷି ଚାନ୍ଦିଆରୁ ଆସିଥିବା ଜନଜାତି ଶିକ୍ଷକ ସୁରେନ୍ଦ୍ର ଜାରିକାଙ୍କ ଅନୁସାରେ ଆଦିମ ଅଧିବାସୀ ଲୋକମାନଙ୍କୁ ଏକ ଉନ୍ନତ ଜୀବନ ଓ ପରିବେଶ ପ୍ରଦାନ କରିବା ପାଇଁ ବିଭିନ୍ନ  ଅଂଶୀଦାରମାନେ ମିଳିତ ଉଦ୍ୟମ କରିବା ଉଚିତ ।

ସେହିପରି ରଣାଗୁଣ୍ଡିରୁ ଆସିଥିବା ଜନଜାତି ଲେଖକ ପାଲୁ ମୁର୍ମୁଙ୍କ ଅନୁସାରେ ଆଦିମ ଅଧିବାସୀଙ୍କ ଦ୍ୱାରା କଥିତ ଅଧିକାଂଶ ଭାଷା ବିପଦରେ ଥିବାରୁ ଆମକୁ ଏହାର ସଂରକ୍ଷଣ ପାଇଁ ତୁରନ୍ତ ପଦକ୍ଷେପ ନେବା ଉଚିତ । ୨୦୧୦ ମସିହାଠାରୁ ଟାଟା ଷ୍ଟିଲ ଆଦିମ ଅଧିବାସୀ ଭାଷାର ସୁରକ୍ଷା ଦିଗରେ କାର୍ଯ୍ୟ କରୁଛି । ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ ହୋ ଓ ସାନ୍ତାଳି ଭାଷା ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ବର୍ତ୍ତମାନ ୬ଟି ଜନଜାତି ଭାଷାରେ ଶିକ୍ଷା ପ୍ରଦାନ କରାଯାଉଥିବାବେଳେ ଓଡ଼ିଶାର ଯାଜପୁର ଜିଲ୍ଲାରେ ୧୧୦୦ ଯୁବକ ଯୁବତୀଙ୍କୁ ୱାରଙ୍ଗ କ୍ଷିତି ଲିପରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ୨୨ ଟି ଅଧ୍ୟୟନ କେନ୍ଦ୍ରରେ ୩୫ ଜଣ ଅଭିଜ୍ଞ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ୱାରା ପ୍ରଶିକ୍ଷଣ ଦିଆଯାଉଛି ।