ଓଡିଆନ୍ ନ୍ୟୁଜ

98

ଭବିଷ୍ୟତର ଯୁଦ୍ଧ ପାଇଁ ବଡ଼ ଯୋଜନା କରୁଛି ଭାରତ, ଚିଫ ଅଫ ଡିଫେନ୍ସ ଷ୍ଟାଫ ଏହା ରଣନୀତର ଏକ ଅଂଶ

Team Odian News |

ନୂଆଦିଲ୍ଲୀ : ଭବିଷ୍ୟତରେ ବିଶ୍ୱର ପରିସ୍ଥିତି କଣ ହେବ ତାହା ଏବେଠାରୁ କହିବା ସମ୍ଭବ ନୁହେଁ । କିନ୍ତୁ ଏହା ସତ ଯେ ଆଗକୁ ବିଶ୍ୱରେ ହେବାକୁ ଥିବା ଯୁଦ୍ଧଗୁଡ଼ିକ ଅଧିକ ହାଇଟେକ, ଅଧିକ ଜଟିଳ ଓ ମାରାତ୍ମକ ହେବ । ଏହାକୁ ଦୃଷ୍ଟିରେ ରଖି ବିଶ୍ୱର ଶକ୍ତିଶାଳୀ ଦେଶମାନେ ନିଜ ସେନାର ଆଧୁନିକୀକରଣ କରିଚାଲିଛନ୍ତି । କିନ୍ତୁ ଭାରତ ଏ କ୍ଷେତ୍ରରେ ଟିକିଏ ପଛରେ ପଡିଯାଇଛି । ତେବେ ବିଳମ୍ବରେ ହେଲେ ମଧ୍ୟ ସରକାର ଗତ କିଛି ବର୍ଷ ହେଲା ଭାରତୀୟ ତିନି ସେନାର ଆଧୁନିକୀକରଣ ଆରମ୍ଭ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲା ପ୍ରାଚୀରରୁ ଜାତି ଉଦ୍ଦେଶ୍ୟରେ ଭାଷଣ ଦେବା ଅବସରରେ ତିନି ସେନାର ଜଣେ ମୁଖ୍ୟ ବା ଚିଫ ଅଫ ଡିଫେନ୍ସ ଷ୍ଟାଫ ରହିବେ ବୋଲି ଘୋଷଣା କରିଥିଲେ । ସେ କେବଳ ଭାରତର ତିନି ସେନା ସେନା, ନୌସେନା ଓ ବାୟୁସେନାର ମୁଖ୍ୟ ନୁହେଁ, ବରଂ ଭାରତ ଗଠନ କରୁଥିବା ଆଉ କେତେକ ନୂଆ ପ୍ରକାରର ସେନାର ମଧ୍ୟ ମୁଖ୍ୟ ରହିବେ । ସେଗୁଡିକ ହେଉଛି ସ୍ପେଶ କମାଣ୍ଡ, ସାଇବର କମାଣ୍ଡ ଇତ୍ୟାଦି । ମହାକାଶରେ ଯୁଦ୍ଧ ପାଇଁ ଭାରତ ସରକାର ଗତ ଜୁନ ମାସରେ ଏକ ଡିଫେନ୍ସ ସ୍ପେଶ ରିସର୍ଚ୍ଚ ଏଜେନ୍ସି ଗଠନ କରିବା ବିଷୟ ଘୋଷଣା କରିଥିଲେ । ଜଣେ ମୁଖ୍ୟଙ୍କ ଅଧିନରେ ରହିଲେ ଭାରତର ଏସବୁ ବାହିନୀ ଗୁଡିକ ମଧ୍ୟରେ ସମନ୍ଵୟ ତ୍ୱରାନ୍ଵିତ ହୋଇପାରିବ ।