ଓଡିଆନ୍ ନ୍ୟୁଜ

118

ଲକ୍ଷେ ତୁଳସୀରେ ସଜ ହେଲେ ଶ୍ରୀବଳଦେବଜୀଉ ।

Team Odian News |


କେନ୍ଦ୍ରାପଡ଼ା,: ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀଶ୍ରୀ ବଳଦେବଜୀଉଙ୍କ ଜନ୍ମୋତ୍ସବରେ ମୁଖରିତ ହୋଇପଡିଛି କେନ୍ଦ୍ରାପଡା  । ଆଜି ପୁଣି ଗହ୍ମାପୂର୍ଣ୍ଣିମା  । ଭଉଣୀ ସୁଭଦ୍ରା ଶ୍ରୀକ୍ଷେତ୍ର ପୁରୀରୁ  ପଠାଇଥିବା ପାଟରାକ୍ଷୀକୁ ହାତରେ ବାନ୍ଧିଛନ୍ତି ଶ୍ରୀବଳଦେବଜୀଉ  । ଏହା ସହିତ ଏକ ଲକ୍ଷ ତୁଳସୀରେ ସଜ ହୋଇ ଅପୂର୍ବ ଶୋଭାରେ ବିରାଜିଛନ୍ତି ଶ୍ରୀଜୀଉ  । ଆଜିର ପବିତ୍ର ଦିନରେ  ଶ୍ରୀବଳଦେବଜୀଉଙ୍କ ଜନ୍ମଉତ୍ସବ ଏବଂ  ସ୍ୱତନ୍ତ୍ର ବେଶକୁ ଦର୍ଶନ କରିବା ପାଇଁ ରାଜ୍ୟର ବିଭିନ୍ନସ୍ଥାନରୁ ହଜାର ହଜାର ଭକ୍ତମାନଙ୍କର ଭିଡ ଦେଖିବା ପାଇଁ ମିଳିଛି  । ବଳଦେବ ସଂହିତା ପାଠ ସହିତ ହରିବୋଲ, ହୁଳହୁଳି ଏବଂ ଜୟ ସିଦ୍ଧ ବଳଦେବଜୀଉଙ୍କ ଜୟଜୟକାରରେ  କମ୍ପିଉଠିଥିଲା  ସାରା ମନ୍ଦିର   । ଏମିତିକି ବିଳମ୍ବିତ ରାତି ପର୍ଯ୍ୟନ୍ତ ମଧ୍ୟ ମନ୍ଦିରରେ ଭଜନକୀର୍ତ୍ତନ ଲାଗିରହିଥିଲା  । ଭକ୍ତମାନେ ମନ୍ଦିରରେ ଖିରି ପିଠା ଖାଇ ଆନନ୍ଦ ଲାଭ ସହିତ ଶ୍ରୀବଳଦେବଜୀଉଙ୍କ ଦର୍ଶନ କରି ପରମ ସୁଖଶାନ୍ତି ଲାଭ କରିଛନ୍ତି  । 
ଆଜି ସକାଳ ୫.୩୦ମିନିଟ୍‍ରୁ  ଜୟମଙ୍ଗଳା ଆଳତୀ, ନିତୀସ୍ନାନ, ବଲ୍ଳଭ ମଣୋହି, ଖେଚୁଡି ଧୂପ ଲାଗି କରାଯିବା ପରେ ଦିନ ୧୧ଟା ସମୟରେ  ଶ୍ରୀବଳଭଦ୍ର ଜନ୍ମ ଅଭିଷେକ ଅନୁଷ୍ଠିତ ହୋଇଥିଲା  ।  ଏହା ପରେ ଗହ୍ମା ଅଭିଷେକ ଓ ମଙ୍ଗଳାର୍ପଣ କରାଯାଇଥିଲା  । ୧୨ଟା୩୦ରେ ପୂର୍ବ ରାତିରୁ ଅଭିମନ୍ତ୍ରିତ ଏକଲକ୍ଷ ତୁଳସୀ ରୂପାଥାଳିଆରେ ରତ୍ନସିଂହାସନ ନିକଟକୁ ଆଣି ଶ୍ରୀଜୀଉ ମାନଙ୍କୁ  ଅର୍ପଣ କରାଯାଇଥିଲା  । ଏହା ସହିତ  ୨୨ ପାହାଚ ତଳେ ୨୧ଶହ ଘୃତାହୂତି ଆହୂତି ପ୍ରଦାନ କରାଯାଇଥିଲା  । ଜିଲାର ବିଭିନ୍ନସ୍ଥାନରୁ ଆସିଥିବା ଶ୍ରଦ୍ଧାଳୁମାନେ ଭଜନକୀର୍ତନ କରି ବେଢାପରିକ୍ରମା କରିଥିଲେ  । ଶ୍ରୀଜୀଉମାନଙ୍କୁ ବଡ ସୁନାଚିତା, ବିଭିନ୍ନ ଅଳଙ୍କାର ଏବଂ ପୁଷ୍ପରେ ସଜିତ କରାଯାଇଥିଲା  । ଆଜିର ଦିନରେ ଶ୍ରୀଜୀଉ ମାନେ  ଅପୂର୍ବ ଶୋଭା ଅବର୍ଣ୍ଣନୀୟ  । ଯାହାକି ଭକ୍ତମାନଙ୍କ ଆଖି ଝଲସାଇ ଦେଉଥିଲେ  । ଦିବା ୧ରେ ଶ୍ରୀଜୀଉଙ୍କ ହାତରେ ପାଟ ରାକ୍ଷିଲାଗି କରାଯାଇଥିଲା  ।  ଏହା ପରେ ଯଜ୍ଞ ଆରମ୍ଭ କରାଯାଇଥିଲା  । ଏହା ପରେ ଦ୍ୱିପ୍ରହର ଧୂପ ଓ ପହୁଡ ଲାଗି କରାଯାଇଥିଲା  ।  ସନ୍ଧ୍ୟା ୫ଟା ୩୦ରେ ସନ୍ଧ୍ୟା ଉଠାଣୀ ଓ ଆରତୀ ସହିତ ୬ଟା୩୦ରେ ତୁଳସୀ ଅର୍ପଣ ଓ ରାଧାକୃଷ୍ଣଙ୍କର ଝୁଲଣମଣ୍ଡପ ବିଜେ ହୋଇଥିଲେ  ।  ସନ୍ଧ୍ୟା ୭ଟାରେ ଭକ୍ତମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା  । ଏହି ଅବସରରେ ଶ୍ରୀଜୀଉଙ୍କ ରଥଦାଣ୍ଡରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା  । ରାତି ପ୍ରାୟ ୧୨ଟାରେ ଯଜ୍ଞର ପୂର୍ଣ୍ଣାହୁତୀ ଓ କ୍ଷୀରିପିଠା ମଣୋହି ହୋଇଥିଲା  । ବିଳମ୍ବିତ ରାତିରେ ଶ୍ରୀଜୀଉ ମାନଙ୍କୁ ବଡ଼ସିଂହାର ବେଶରେ ସର୍ଜ୍ଜିତ କରାଯାଇଥିଲା  । ଏହି ଅବସରରେ ବିଭିନ୍ନ ରଙ୍ଗୀନ୍‍ ଆଲୋକମାଳାରେ ମନ୍ଦିର  ଆଲୋକିତ ହୋଇଉଠିଥିଲା  ।