ଓଡିଆନ୍ ନ୍ୟୁଜ

116

ଡିସେମ୍ବର ୨୦ରେ ବାରବାଟୀରେ ଭାରତ- ଶ୍ରୀଲଙ୍କା ଟି-୨୦

Team Odian News |

ଡିସେମ୍ବର ୨୦ରେ ବାରବାଟୀରେ ଭାରତ- ଶ୍ରୀଲଙ୍କା ଟି-୨୦
କଟକ,୪/୧୦(ଓଡ଼ିଆନ୍‍ ନ୍ୟୁଜ୍‍) : ଓଡ଼ିଶା କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । କଟକର ବାରବାଟୀ ଷ୍ଟାଡିୟମ୍‌ରେ ଡିସେମ୍ବର ୨୦ରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟ୍ୱେଣ୍ଟି-୨୦ ମ୍ୟାଚ୍‌ ଖେଳାଯିବ । ପୂର୍ବରୁ ବାରବାଟୀକୁ ନଭେମ୍ବରରେ ଭାରତ- ନ୍ୟୁଜିଲାଣ୍ଡ ଟ୍ୱେଣ୍ଟି-୨୦ ମ୍ୟାଚ୍‌ ଆୟୋଜନର ଦାୟିତ୍ୱ ମିଳିଥିଲା । ତେବେ ସେତେବେଳେ କଟକରେ ବାଲିଯାତ୍ରା ଚାଲିଥିବାରୁ ଏହି ମ୍ୟାଚ୍‌ ଆୟୋଜନ କରିବାକୁ ଓଡ଼ିଶା କ୍ରିକେଟ ଆସୋସିଏସନ୍‌ (ଓସିଏ) ଅକ୍ଷମତା ପ୍ରକାଶ କରିଥିଲା । ଫଳରେ ଭାରତ- ନ୍ୟୁଜିଲାଣ୍ଡ ଟ୍ୱେଣ୍ଟି-୨୦ କେରଳ ରାଜଧାନୀ ତିରୁଅନନ୍ତପୁରମ୍‌କୁ ମିଳିଥିବା ବେଳେ ଭାରତ-ଶ୍ରୀଲଙ୍କା ଟ୍ୱେଣ୍ଟି-୨୦ ବାରବାଟୀକୁ ମିଳିଛି । ତେବେ ବାରବାଟୀ ଷ୍ଟାଡିୟମ୍‌ରେ ଏହା ହେବ ୨ୟ ଆନ୍ତର୍ଜାତିକ ଟ୍ୱେଣ୍ଟି-୨୦ ମ୍ୟାଚ । ପୂର୍ବରୁ ଏଠାରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ ଖେଳା ଯାଇଥିଲା । ସୂଚନାଯୋଗ୍ୟ ଯେ, ନଭେମ୍ବରରେ ଶ୍ରୀଲଙ୍କା କ୍ରିକେଟ ଦଳ ଭାରତ ଗସ୍ତରେ ଆସିବ । ଏହି ଗସ୍ତରେ ଭାରତ ବିରୋଧରେ ଶ୍ରୀଲଙ୍କା ୩ଟି ଲେଖାଏଁ ଟେଷ୍ଟ, ଦିନିକିଆ ଓ ଟ୍ୱେଣ୍ଟି-୨୦ ମ୍ୟାଚ୍‌ ଖେଳିବ । ଏହି ଗସ୍ତର ଖେଳସୂଚୀ ବିଧିବଦ୍ଧ ଭାବେ ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି । ନଭେମ୍ବର ୧୬ରୁ କଲକାତାର ଇଡେନ୍‌ ଗାର୍ଡେନ୍‌ସରେ ପ୍ରଥମ ଟେଷ୍ଟ ଖେଳି ଶ୍ରୀଲଙ୍କା ତା’ର ଅଭିଯାନ ଆରମ୍ଭ କରିବ । ନାଗପୁର ଓ ଦିଲ୍ଲୀରେ ଅନ୍ୟ ୨ଟି ଟେଷ୍ଟମ୍ୟାଚ୍‌ ଖେଳାଯିବ । ଧର୍ମଶାଳା, ମୋହାଲି ଓ ବିଶାଖାପାଟଣା ୩ଟି ଦିନିକିଆ ମ୍ୟାଚ୍‌ ଆୟୋଜନର ଦାୟିତ୍ୱ ପାଇଛନ୍ତି । କଟକ ସହ ଇନ୍ଦୋର ଓ ମୁମ୍ବଇରେ ଟ୍ୱେଣ୍ଟି-୨୦ ମ୍ୟାଚ୍‌ ଖେଳାଯିବ । ପ୍ରଥମ ଟେଷ୍ଟ: ନଭେମ୍ବର ୧୬ ରୁ ୨୦ (କଲକାତା) ୨ୟ ଟେଷ୍ଟ: ନଭେମ୍ବର ୨୪ ରୁ ୨୮ (ନାଗପୁର) ୩ୟ ଟେଷ୍ଟ: ଡିସେମ୍ବର ୦୨ ରୁ ୦୬ (ନୂଆଦିଲ୍ଲୀ) ପ୍ରଥମ ଦିନିକିଆ: ଡିସେମ୍ବର ୧୦ (ଧର୍ମଶାଳା) ୨ୟ ଦିନିକିଆ: ଡିସେମ୍ବର ୧୩ (ମୋହାଲି) ୩ୟ ଦିନିକିଆ: ଡିସେମ୍ବର ୧୭ (ବିଶାଖାପାଟଣା) ପ୍ରଥମ ଟି୨୦: ଡିସେମ୍ବର ୨୦ (କଟକ) ୨ୟ ଟି୨୦: ଡିସେମ୍ବର ୨୨ (ଇନ୍ଦୋର) ୩ୟ ଟି୨୦: ଡିସେମ୍ବର ୨୪ (ମୁମ୍ବଇ)