ଓଡିଆନ୍ ନ୍ୟୁଜ

175

ଶୈଳେନ୍ଦ୍ର ନାରାୟଣ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ବଦଳି ଦାବିରେ ଛାତ୍ରଛାତ୍ରୀଙ୍କ ଆମରଣ ଅନଶନ ।

Team Odian News |


ରାଜକନିକା:କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ୍‍ସ୍ଥିତ ଶୈଳେନ୍ଦ୍ର ନାରାୟଣ ମହାବିଦ୍ୟାଳୟରେ ଗତ ୧୦ ତାରିଖ ଠାରୁ ସାଏନ୍‍ ଡ଼ାଏ ଘୋଷଣା ସହିତ ଛାତ୍ର ଅଶାନ୍ତି ଲାଗି ରହିଛି  । ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ବଦଳି ଦାବିରେ ସୋମବାର ଠାରୁ ଛାତ୍ରଛାତ୍ରୀମାନେ ଆମରଣ ଅନଶନରେ ବସିରହିଛନ୍ତି  । ଏହି ଘଟଣାକୁ ଏକ ସପ୍ତାହ ବିତିଯାଇଥିଲେ ମଧ୍ୟ  ସମାଧାନ ହୋଇପାରି ନାହିଁ  । ଏହି କାରଣକୁ ନେଇ  ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ଦିଆଯାଇଥିବା ଧାରଣା ସୋମବାର ଠାରୁ ଆମରଣ ଅନଶନରେ ପରିବର୍ତ୍ତନ ହୋଇଛି  । ଛାତ୍ରଛାତ୍ରୀ ମାନଙ୍କୁ ଅଶ୍ଳୀଳ ବ୍ୟବହାର , ଧମକ ଦେବା ସହିତ ଜୋର ଜବରଦସ୍ତ ଭାବେ କୋର୍ଟ ପିନ୍ଧିବାକୁ ବାଧ୍ୟ କରିବା ଘଟଣାକୁ ତୀବ୍ର ପ୍ରତିବାଦ ହୋଇଛି । ଅଧ୍ୟକ୍ଷଙ୍କ ଏଭଳି ବ୍ୟବହାର କାରଣରୁ ତୁରନ୍ତ ଅନ୍ୟତ୍ର ବଦଳି କରାଯିବାକୁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି   । ମହାବିଦ୍ୟାଳୟର ଛାତ୍ର ଅନିଲ କୁମାର ମଲ୍ଲିକ, ବିକ୍ରମ କେଶରୀ ରାଉତ, ସତ୍ୟପ୍ରକାଶ ନାୟକ, ଲିତାଲି ମୋହିନୀ ରଥ, ସସ୍ମିତା ଗୋଚ୍ଛାୟତ ଏବଂ ଜୋତ୍ସାରାଣୀ  ସାମଲ ଆମରଣ ଅନଶନରେ ରହିଛନ୍ତି  । ଅନଶନକୁ ସମର୍ଥନ ଜଣାଇ ଶତାଧିକ ଛାତ୍ରଛାତ୍ରୀମାନେ ବସିରହିଛନ୍ତି  । ମହାବିଦ୍ୟାଳୟରେ ଅଶାନ୍ତି ଲାଗିରହିଛି  । ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ, ଶିକ୍ଷା ମନ୍ତ୍ରୀ ଏବଂ ରାଜ୍ୟପାଳଙ୍କୁ ଛାତ୍ରଛାତ୍ରୀମାନେ ଅବଗତ କରାଇଛନ୍ତି  ।  ଛାତ୍ରଛାତ୍ରୀମାନଙ୍କ ସମସ୍ୟାକୁ ସମାଧାନ କରିବାରେ ଜିଲାପାଳ ଘଟଣାସ୍ଥଳକୁ ନଆସିବା କାରଣରୁ ମଙ୍ଗଳବାର ଛାତ୍ରଛାତ୍ରୀମାନେ କେନ୍ଦ୍ରାପଡ଼ା ଜିଲାପାଳଙ୍କୁ ଭେଟିବା ପାଇଁ ୪୫ କିଲୋମିଟର ପଦଯାତ୍ରା କରିବା ନେଇ ପ୍ରସ୍ତୁତି ଚଳାଇଛନ୍ତି  ।  ମହାବିଦ୍ୟାଳୟକୁ ଜିଲାର ଦ୍ୱିତୀୟ ବୃହତ୍ତମ ଭାବେ ଗଢ଼ିତୋଳିବାରେ ଅଧ୍ୟକ୍ଷଙ୍କ ଭୁମିକା ଅତୁଳନୀୟ  । ହେଲେ ତାଙ୍କ ବ୍ୟବହାର ଏବଂ ଅହଂ ଭାବ ଯୋଗୁ ଏଭଳି ଘଟଣାର ଘଟିଲା ବୋଲି ବୁଦ୍ଧିଜୀବୀ ମାନଙ୍କ ପକ୍ଷରୁ କୁହାଯାଉଛି  ।