ଓଡିଆନ୍ ନ୍ୟୁଜ

97

ଆମେରିକାର ତିନି ପଦାର୍ଥ ବିଜ୍ଞାନୀଙ୍କୁ ଚଳିତ ବର୍ଷର ନୋବେଲ

Team Odian News |

ଆମେରିକାର ତିନି ପଦାର୍ଥ ବିଜ୍ଞାନୀଙ୍କୁ ଚଳିତ ବର୍ଷର ନୋବେଲ
 ଷ୍ଟକ୍‍ହୋମ୍‍,୪/୧୦(ଓଡ଼ିଆନ୍‍ ନ୍ୟୁଜ୍‍ ଟିମ୍‍): ଆମେରିକାର ତିନିଜଣ ବୈଜ୍ଞାନିକ ଚଳିତବର୍ଷ ପାଇଁ ମିଳିତ ଭାବେ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ମନୋନୀତ ବୈଜ୍ଞାନିକମାନେ ହେଲେ ରେନର ୱେଇସ, ବ୍ୟାରି ସି ବାରିସ୍‌ ଓ କିପ୍‌ ଏସ୍‌ ଥର୍ଣ୍ଣ । ରେନର ୱେଇସ ପୁରସ୍କାରର ଅଧା ଅର୍ଥ ପାଇବାକୁ ଥିବାବେଳେ ଅନ୍ୟ ଦୁଇଜଣ ଅବଶିଷ୍ଟ ପୁରସ୍କାର ରାଶି ପାଇବେ । ପୃଥିବୀର ମାଧ୍ୟାକର୍ଷଣ ତରଙ୍ଗ ସମ୍ପର୍କରେ ନୂଆ ତଥ୍ୟ ଆବିଷ୍କାର ପାଇଁ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।
ଦୀର୍ଘ ୪୦ବର୍ଷର ଗବେଷଣା ପରେ ଏହି ତିନି ବୈଜ୍ଞାନିକ ମାଧ୍ୟାକର୍ଷଣ ତରଙ୍ଗକୁ ଠାବ କରିବାରେ ସଫଳ ହୋଇଛନ୍ତି । ମାଧ୍ୟାକର୍ଷଣ ଶକ୍ତିର ତରଙ୍ଗକୁ ଠାବ କରିବା ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଏକ ବଡ ସଫଳତା ବୋଲି ସ୍ୱିଡେନର ରୟାଲ ଏକାଡେମୀ ମୁଖ୍ୟ ଗୋରାନ କେ ହାନସନ କହିଛନ୍ତି । ମାଧ୍ୟାକର୍ଷଣ ଶକ୍ତିର ତରଙ୍ଗକୁ ଠାବ କରିବାକୁ ଆମେରିକାରେ ଦୁଇଟି ବଡପର୍ୟ୍ୟବେକ୍ଷଣାଗାର ତିଆରି କରାଯାଇଥିଲା । ଲେଜର ଇଣ୍ଟରଫେରୋମିଟର ଗ୍ରାଭିଟେସନାଲ ୱେଭ ଅବଜରଭେଟୋରୀ (ଲିଗୋ) ପ୍ରକଳ୍ପ ନାମରେ ଏହି ଯୋଜନା କାର୍ୟ୍ୟକାରୀ ହୋଇଥିଲା ।