ଓଡିଆନ୍ ନ୍ୟୁଜ

35

ପପୁଙ୍କ ବିରୋଧରେ କୋର୍ଟକୁ ଯିବେ ଦୂତି

Team Odian News |

ଭୁବନେଶ୍ୱର,- ଗଣେଶ ପୂଜାରେ ରିଲିଜ ହେବାକୁ ଥିବା ଫିଲ୍ମ ‘ମିଷ୍ଟର କହ୍ନେୟା’ ପୋଷ୍ଟରକୁ ନେଇ ବିବାଦ ଥମି ନ ଥିବାବେଳେ ପୁଣି ଆଉ ଏକ ବିବାଦ ଆରମ୍ଭ ହୋଇଛି। ଅଭିଯୋଗକାରିଣୀ ତଥା ଦୌଡରାଣୀ ଦୂତି ଚାନ୍ଦଙ୍କ ବିରୋଧରେ ବିଶୋଦାଗାର କରାଯାଇଥିବା ଏକ ଅଡିଓ ଏବେ ଭାଇରାଲ ହୋଇଛି। ଉକ୍ତ ଅଡିଓରେ କେହିଜଣେ ଦୂତି ପ୍ରଥମେ ନିଜ କଥା ସମ୍ଭାଳନ୍ତୁ ବୋଲି ପରାମର୍ଶ ଦେବାସହ ତାଙ୍କ ମା’ ଓ ପରିବାର ସମ୍ପର୍କରେ ମଧ୍ୟ କହୁଥିବା ଶୁଣିବାକୁ ମିଳୁଛି। ତେବେ ଉକ୍ତ ଅଡିଓଟି କାହାର ଓ କିଏ ଏହାକୁ ଭାଇରାଲ କଲେ ତାହା ସ୍ପଷ୍ଟ ହୋଇ ନ ଥିବାବେଳେ ଏହାକୁ ନେଇ ଦୂତି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଫେସ୍‌ବୁକ୍‌ରେ ଏକ ପୋଷ୍ଟ କରିଛନ୍ତି। ଉକ୍ତ ଅଡିଓ ମାଧ୍ୟମରେ ପପୁ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା କଥା ସେ ଉଲ୍ଲେଖ କରିଛନ୍ତି। ଏପରିକି ପପୁଙ୍କ ବିରୋଧରେ  କୋର୍ଟକୁ ଯିବେ ବୋଲି ଧମକ ମଧ୍ୟ ଦେଇଛନ୍ତି ଦୂତି।

ଦୂତି କହିଛନ୍ତି, ପପୁ ଏହି ଅଡିଓରେ ମୋର ବ୍ୟକ୍ତିଗତ କଥାକୁ ଉଠାଇଛନ୍ତି। ତାଙ୍କ ସହ ବ୍ୟକ୍ତିଗତ ସ୍ତରରେ ମୋର କୌଣସି ଶତ୍ରୁତା ନାହିଁ କିମ୍ବା ତାଙ୍କ ସହ କଥାବାର୍ତ୍ତା ମଧ୍ୟ ହୁଅନ୍ତି ନାହିଁ। ଫିଲ୍ମ ପୋଷ୍ଟରଟି ନାରୀ ସମାଜକୁ ବଦନାମ କରୁଥିବାରୁ ମୁଁ ଏହାକୁ ବିରୋଧ କରି ଅଭିଯୋଗ କରିଥିଲି। କେଉଁ କାରଣ ପାଇଁ ପପୁ ଏଭଳି ତାଙ୍କୁ ଲଜ୍ଜିତ କଲେ ସେ ଜାଣିନାହାନ୍ତି। ଯେହେତୁ ମୋ ମାନସମ୍ମାନ ଉପରେ ଆଞ୍ଚ ଆସିଛି ତେଣୁ ଆଇନର ଆଶ୍ରୟ ନେବି। ମୋର ଅନେକ ପରିଚିତ ସେଲିବ୍ରେଟି ଅଛନ୍ତି, ସେମାନେ  ଫୋନ୍‌ କରି ଏ ବିଷୟରେ ପଚାରୁଛନ୍ତି। ଯଦି ସେ ନିଜ ଭୁଲ ସ୍ବୀକାର ନ କରନ୍ତି ମୁଁ କୋର୍ଟରେ ମାନହାନୀ ମକଦ୍ଦମା କରିବି ବୋଲି ଦୂତି କହିଛନ୍ତି।