ଓଡିଆନ୍ ନ୍ୟୁଜ

758

ପ୍ରତ୍ୟାହୃତ ହେଲା ଅନଶନ, ବଦଳିବେ ଶୈଳେନ୍ଦ୍ର ନାରାୟଣ ମହାବିଦ୍ୟାଳୟର ଅଧ୍ୟକ୍ଷ !

Team Odian News |

 ରାଜକନିକା:କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ୍‍ସ୍ଥିତ ଶୈଳେନ୍ଦ୍ର ନାରାୟଣ ମହାବିଦ୍ୟାଳୟରେ ଗତ ୧୦ ତାରିଖ ଠାରୁ ସାଏନ୍‍ ଡ଼ାଏ ଘୋଷଣା ସହିତ ଛାତ୍ର ଅଶାନ୍ତି ଲାଗି ରହିଥିଲା  । ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ବଦଳି ଦାବିରେ ସୋମବାର ଠାରୁ ଛାତ୍ରଛାତ୍ରୀମାନେ ଚଳାଇଥିବା ଆମରଣ ଅନଶନ ଗୁରୁବାର ଅପରାହ୍ଣରେ ପ୍ରତ୍ୟାହୃତ ହୋଇଛି  । ହେଲେ ଗୁରୁବାର ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ବଦଳି ନକରିବା ସହିତ ତାଙ୍କୁ  ଏଠାରେ କାର୍ଯ୍ୟକରିବାକୁ ଦିଆଯାଉ ବୋଲି କିଛି ଛାତ୍ରଛାତ୍ରୀମାନେ ଧାରଣା ଦେଇଥିଲେ  । ଚାରିଦିନ ଧରି ଅନଶନରେ ଛାତ୍ରଛାତ୍ରୀମାନେ ବସିରହିବା ପରେ ଦୁଇ ଜଣ ଛାତ୍ରୀ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ  । କନିକା ତହସିଲଦାର ଡ଼ିଏସ୍‍ ଶୁଭଦର୍ଶନୀ ଯୋଶୀ ଉପଜିଲାପାଳଙ୍କ ଚିଠି ପ୍ରଦାନ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ  । ଏହା ପରେ ଅନଶନରୁ ଛାତ୍ରଛାତ୍ରୀମାନେ ଓହରିଯାଇଥିଲେ  । ଉପଜିଲାପାଳ ଅଧ୍ୟକ୍ଷଙ୍କ ବିରୁଦ୍ଧରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଛାତ୍ରଛାତ୍ରୀମାନେ ଆଶା ରଖିଛନ୍ତି  । ହେଲେ ଉପଜିଲାପାଳଙ୍କ ଚିଠିରେ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ହେବା ନେଇ କୁହାଯାଇଛି  । ଅଧ୍ୟକ୍ଷଙ୍କୁ ଅନ୍ୟତ୍ର ବଦଳି କରାଯିବା ନେଇ ପ୍ରଶାସନିକସ୍ତରରେ ଆଲୋଚନା ହେଉଥିବା ନେଇ କୁହାଯାଇଛି  । ଖୋଦ୍‍ ଶିକ୍ଷାମନ୍ତ୍ରୀ ଅରୁଣ କୁମାର ସାହୁ ମଧ୍ୟ ଘଟଣାକୁ ଗୁରୁତ୍ୱର ସହିତ ନେଇଥିବାର ଜଣାପଡ଼ିଛି  ।  ଘଟଣା ସଂପର୍କରେ ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ ଏବଂ ଶିକ୍ଷା ସଚିବଙ୍କୁ ଅବଗତ କରାଯାଇଛି  । ଏହି ଘଟଣା ସଂପର୍କରେ ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ମଧ୍ୟ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଭୁବନେଶ୍ୱରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦାବି ହୋଇଛି  ।