ଓଡିଆନ୍ ନ୍ୟୁଜ

90

ରବୀନ୍ଦ୍ରମଣ୍ଡପ-ବିମାନବନ୍ଦର ରାସ୍ତା ହେଲା ନୋ ଓଭରଟେକିଂ ଜୋନ୍‌

Team Odian News |

ରବୀନ୍ଦ୍ରମଣ୍ଡପ-ବିମାନବନ୍ଦର ରାସ୍ତା ହେଲା ନୋ ଓଭରଟେକିଂ ଜୋନ୍‌

ଭୁବନେଶ୍ୱର:ରାଜଧାନୀରେ ବେପରୁଆ ଗାଡ଼ି ଚାଳକମାନେ ସାବାଡ଼ ହେବେ। ସାପ ଗଲା ଭଳି ଗାଡି ଚଲାଇ ଓଭରଟେକିଂ କରୁଥିଲେ ଚାଳକଙ୍କୁ ଧରିବ ଡ୍ରୋନ୍‌୍‌ କ୍ୟାମେରା। ଏହାପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ରବୀନ୍ଦ୍ରମଣ୍ଡପ ଛକରୁ ବିମାନବନ୍ଦର ରାସ୍ତାକୁ ନୋ ଓଭରଟେକିଂ ଜୋନ୍‌ କରାଯାଇଛି। ଯେଉଁମାନେ ଏହି ରାସ୍ତାରେ ଓଭରଟେକିଂ କରିବାକୁ ଉଦ୍ୟମ କରିବେ, ସେମାନଙ୍କୁ ଡ୍ରୋନ୍‌୍‌ ସାହାଯ୍ୟରେ ଧରାଯିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ଏପରି କି ସୋମବାର ସନ୍ଧ୍ୟାରେ ଟ୍ରାଫିକ୍‌ ଡିସିପି ସାଗରିକା ନାଥ ଓ ଟ୍ରାଫିକ ଏସିପି କେ.କେ. ପାଣିଗ୍ରାହୀଙ୍କ ଉପସ୍ଥିତିରେ ଏଜି ଛକଠାରେ ପରୀକ୍ଷାମୂଳକଭାବେ ଡ୍ରୋନ୍‌୍‌ ଉଡ଼ାଯାଇଥିଲା।
କମିଶନର ଷଡ଼ଙ୍ଗୀ କହିଛନ୍ତି, ରାଜଧାନୀରେ ଓଭରଟେକିଂ ଦ୍ୱାରା ଟ୍ରାଫିକ୍‌ ସମସ୍ୟା ଉପୁଜିବା ସହ ଦୁର୍ଘଟଣା ବଢୁଛି। ଅନେକ ସମୟରେ କେତେଜଣ ବାଇକ୍‌ ଚାଳକ ସାପ ଗଲା ଭଳି ଗାଡି ଚଳାଇ ବଡ଼ ବଡ଼ ଗାଡ଼ିକୁ ଅତିକ୍ରମ କରି ଆଗକୁ ଯାଇଥାନ୍ତି। ଫଳରେ ଅନ୍ୟଗାଡ଼ିଗୁଡିକ ଦୁର୍ଘଟଣାଗ୍ରସ୍ତ ହେବା ସହ ଟ୍ରାଫିକ୍‌ ଜାମ ହେଉଛି। ତେଣୁ ଏହାକୁ ଆମେ ଗୁରୁତ୍ୱର ସହ ନେଉଛୁ। ସବୁ ସ୍ଥାନରେ ପୋଲିସ କର୍ମଚାରୀଙ୍କୁ ରଖି ଓଭରଟେକିଂକୁ ଅଟକାଇବା ସମ୍ଭବ ନୁହେଁି। ସାପ ଗଲା ଭଳି ଗାଡି ଚଲାଇଲେ ରାସ୍ତା ଯେତେ ଚଉଡା କଲେ କିମ୍ବା ଯେତେ ଟ୍ରାଫିକ କର୍ମଚାରୀ ନିୟୋଜିତ କଲେ ସୁଦ୍ଧା ସ୍ଥିତି ସୁଧୁରିବ ନାହିଁ। ତେଣୁ ସମସ୍ତ ସହରବାସୀଙ୍କୁ ଲେନ୍‌ ଡ୍ରାଇଭିଂ କରିବାକୁ ଅନୁରୋଧ  କରାଯାଉଛି। ଲେନ୍‌ ଡ୍ରାଇଭିଂ କ’ଣ, ଏହାଦ୍ୱାରା କ’ଣ ଫାଇଦା ହେବ ସେନେଇ ବର୍ଷା ଋତୁ ପରେ କିଛି କିଛି ବାଇକ୍‌ ଚାଳକଙ୍କୁ ଅଟକାଇ ୩ ମିନିଟ୍‌ ପ୍ରଶିକ୍ଷଣ ଦିଆଯିବ ବୋଲି କମିଶନର ଷଡ଼ଙ୍ଗୀ କହିଛନ୍ତି। ରାଜଧାନୀର ସମସ୍ତ ଅଞ୍ଚଳରେ ଲେନ୍‌ ଡ୍ରାଇଭିଂ ଲାଗୁ ହେବ। ଯଦି କୌଣସି ଅଞ୍ଚଳରେ ଚାଳକମାନେ ନିୟମ ଉଲ୍ଲଂଘନ କରୁଛନ୍ତି, ତେବେ ଆଉ ସଚେତନ କରାଯିବ ନାହିଁ, ସିଧା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଷଡ଼ଙ୍ଗୀ ସତର୍କ କରାଇଛନ୍ତି।
ଭୁବନେଶ୍ୱରରେ ଅନେକ ସମୟରେ ଟ୍ରାଫିକ ସମସ୍ୟା ପାଇଁ ଅଟୋରିକ୍ସାଗୁଡ଼ିକ ମୁଖ୍ୟ କାରଣ ପାଲଟୁଛନ୍ତିି। ରାସ୍ତା ମଝିରେ ଗାଡ଼ି ରଖି ଯାତ୍ରୀ ଉଠାଉଛନ୍ତି। ତେଣୁ ଏନେଇ ଅଟୋ ଚାଳକ ସଂଘ କର୍ମକର୍ତ୍ତାଙ୍କ ସହ ପୋଲିସ କମିଶନର କଥା ହୋଇଛନ୍ତି। ସଂଘ କର୍ମକର୍ତ୍ତାମାନେ ସମସ୍ତ ଚାଳକଙ୍କୁ ଅବଗତ କରି ଏହି ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହାପରେ ଯଦି ଅଟୋ ଚାଳକମାନେ ନ ସୁଧରନ୍ତି, ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।
ସେହିପରି ରାଜଧାନୀରେ ବଡ଼ ବଡ଼ ମଲ୍‌ ଏବଂ ବିଲ୍ଡିଂ ତିଆରି ହେଉଛି। କିନ୍ତୁ ପାର୍କିଂ ଓ ଟ୍ରାଫିକ୍‌ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଉନାହିଁ। ଏଣୁ ପ୍ରତି ସପ୍ତାହରେ ବିଏମ୍‌ସି, ବିଡିଏ ଓ ପୂର୍ତ୍ତ ବିଭାଗ ଅଧିକାରୀମାନଙ୍କ ସହ ବୈଠକ କରାଯାଇ ନିରାକରଣ ବ୍ୟବସ୍ଥା କରାଯିବ। ଏହି ବୈଠକରେ ସିପି କିମ୍ବା ଡିସିପି ରହିବେ। ରାଜଧାନୀର ଅନେକ ସ୍ଥାନରେ ଥିବା ମଲ୍‌ଗୁଡିକ ଆଗରେ ବେଆଇନ ପାର୍କିଂ କରାଯାଉଛି। ତେଣୁ ବେଆଇନ ପାର୍କିଂ ହୋଇଥିବା ଗାଡିଗୁଡିକୁ ପୋଲିସ ମୋବାଇଲ୍‌ ଭ୍ୟାନ୍‌ ଉଠାଇ ଆଣିବ। ଅନେକ ଦେଶରେ ନିୟମ ରହିଛି ଯେ, ଧଳା ଗାର ଥିବା ସ୍ଥାନରେ ସକାଳ ୯ରୁ ରାତି ୯ ପର୍ଯ୍ୟନ୍ତ ପାର୍କିଂ ହୋଇପାରିବ ନାହିଁ। ଯଦି ହଳଦିଆ ଗାର ରହିଥାଏ, ତେବେ ସେଠାରେ ଆଦୌ ପାର୍କିଂ କରିହେବ ନାହିଁ ବୋଲି ସଂକେତ ଦିଆଯାଇଥାଏ। ତେଣୁ ଏଠାରେ ଏପରି ବ୍ୟବସ୍ଥା କରିବା ପାଇଁ ଡିସିପିଙ୍କ ସହ ଆଲୋଚନା କରାଯିବ। ଏହାସହ ରାଜଧାନୀରେ ଅନେକ ଅଞ୍ଚଳରେ ରାସ୍ତା ଉପରେ ଉଠା ଦୋକାନୀମାନେ ରହି ବ୍ୟବସାୟ କରୁଛନ୍ତି। ଫଳରେ ଟ୍ରାଫିକ ସମସ୍ୟା ଉପୁଜୁଛି। ଏନେଇ ଆମେ ବିଏମ୍‌ସି ସହ ଆଲୋଚନା କରିବୁ। ସେହି ସବୁ ସ୍ଥାନଗୁଡିକୁ ଚିହ୍ନଟ କରିବା ପରେ ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବ ବୋଲି କମିଶନର ଷଡ଼ଙ୍ଗୀ କହିଛନ୍ତି। ଖବରଦାତା ସମ୍ମିଳନୀରେ ଟ୍ରାଫିକ୍‌ ଡିସିପି ସାଗରିକା ନାଥ ଉପସ୍ଥିତ ଥିଲେ।
ବିଦେଶରେ ବି ରହିଛି ଓଭରଟେକିଂ କଟକଣା
ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, କାନାଡା, ଡେନ୍‌ମାର୍କ, ଫିନଲାଣ୍ଡ, ଫ୍ରାନ୍ସ, ଜର୍ମାନୀ, ହଙ୍ଗେରି, ଆୟର୍ଲାଣ୍ଡ, ନେଦରଲାଣ୍ଡ୍‌ସ, ପୋଲାଣ୍ଡ, ସ୍ପେନ୍‌, ବ୍ରିଟେନ ଓ ଆମେରିକା ଭଳି କେତେକ ଦେଶରେ ଓଭରଟେକିଂକୁ ନେଇ କଟକଣା କରାଯାଇଛି। ଓଭରଟେକିଂ ପାଇଁ ଏକ ନିର୍ଦ୍ଦିଷ୍ଟ ଜୋନ ରହିଛି, ଯେଉଁ ସ୍ଥାନରେ କି ଚାଳକ ଅନ୍ୟ ଗାଡ଼ିକୁ ସହଜରେ ଅତିକ୍ରମ କରିପାରିବେ। କିନ୍ତୁ ଅନ୍ୟ ସ୍ଥାନରେ ଓଭରଟେକିଂକୁ ସମ୍ପୂର୍ଣ୍ଣ ନିଷେଧ। ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ମଧ୍ୟ ଆଦାୟ କରାଯାଉଛି। ଫଳରେ ସେହି ସବୁ ଦେଶରେ ଦୁର୍ଘଟଣା ରୋକିବାରେ ସହାୟକ ହେଉଛି।