ଓଡିଆନ୍ ନ୍ୟୁଜ

90

କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ନୂଆ ଧମକ

Team Odian News |

ନୂଆଦିଲ୍ଲୀ: କାଶ୍ମୀର ପ୍ରସଙ୍ଗରେ ସବୁଆଡ଼ୁ ନିରାଶ ହେବା ପରେ ଗୋଟିଏ ପରେ ଗୋଟିଏ ନୂଆ ଧମକ ଦେଇ ଚାଲିଛି ପାକିସ୍ତାନ। ସୋମବାର ଦିନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ପରମାଣୁ ଯୁଦ୍ଧର ଧମକ ଦେବାର ୨୪ ଘଣ୍ଟା ନପୂରୁଣୁ ପୁଣିଥରେ ପାକିସ୍ତାନ ଆଉ ଏକ ନୂଆ ଧମକ ଦେଇଛି।

ଭାରତୀୟ ବିମାନ ପାଇଁ ନିଜ ଆକାଶ ମାର୍ଗକୁ ସମ୍ପୂର୍ଣ୍ଣ ବନ୍ଦ, ଏଥିସହ ଆଫଗାନିସ୍ତାନକୁ ପାକିସ୍ତାନର ସ୍ଥଳଭାଗ ଦେଇ ଭାରତୀୟ ବାଣିଜ୍ୟ ପାଇଁ ବନ୍ଦ କରିବା ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ବିଚାର କରୁଛନ୍ତି। ପାକିସ୍ତାନର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଫାୱାଦ୍‌ ହୁସେନ୍‌ ଏନେଇ ଗତକାଲି ଏକ ଟ୍ୱିଟ୍‌ରେ ସୂଚନା ଦେଇଛନ୍ତି। ଏନେଇ ପାକିସ୍ତାନ କ୍ୟାବିନେଟ୍‌ ବୈଠକରେ ପ୍ରସ୍ତାବ ରଖାଯାଇଥିବା ସେ କହିଛନ୍ତି। ଏସବୁକୁ ନେଇ ଆଇନଗତ ଔପଚାରିକ ଉପରେ ମଧ୍ୟ ବିଚାର କରାଯାଉଛି। ମୋଦି ଆରମ୍ଭ କରିଥିଲେ, ଆମେ ଶେଷ କରିବୁ ବୋଲି ଫାୱାଦ୍‌ ହୁସେନ୍‌ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି।

ଫ୍ରାନ୍ସରେ ଜି-୭ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା, କାଶ୍ମୀର ସ୍ଥିତି ନେଇ ଟ୍ରମ୍ପଙ୍କ ସନ୍ତୋଷ ବ୍ୟକ୍ତ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ହତାଶ ହୋଇପଡ଼ିଛନ୍ତି। ପାକିସ୍ତାନର ଶେଷ ଭରସା ଆମେରିକା ରହିଥିଲେ ହେଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାଶ୍ମୀର ପ୍ରସଙ୍ଗରେ ୟୁ-ଟର୍ଣ୍ଣ ନେଇଛନ୍ତି। ଯାହାକୁ ନେଇ ଇମ୍ରାନ୍‌ ଖାନ୍‌ ବିଚଳିତ ହୋଇପଡ଼ିଛନ୍ତି।

ସୂଚନାଯୋଗ୍ୟ, ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ ବିଚଳିତ ହୋଇପଡ଼଼ିଛି। ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିକୁ ପାକିସ୍ତାନ ଅସାମ୍ୱିଧାନିକ କହିଛି। ଏହାପରେ ପାକିସ୍ତାନ ଜାତିସଂଘ ସୁରକ୍ଷା ପରିଷଦର ଦ୍ୱାରସ୍ଥ ହୋଇଥିଲା। ଜମ୍ମୁ-କାଶ୍ମୀର ପ୍ରସଙ୍ଗକୁ ପାକିସ୍ତାନ ଅନ୍ତରାଷ୍ଟ୍ରୀୟ ପ୍ରସଙ୍ଗ କରୁଥିବା ବେଳେ ଭାରତ କିନ୍ତୁ ଶିମଲା ଚୁକ୍ତି ଅନୁଯାୟୀ ଦ୍ୱିପାକ୍ଷିକ କହିଛି। ଏହା ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ସମାଧାନ ହେବ ତୃତୀୟ ପକ୍ଷ କେହି ରହିପାରିବେ ନାହିଁ ବୋଲି ଭାରତ ସ୍ପଷ୍ଟ କରି ସାରିଛି।