ଓଡିଆନ୍ ନ୍ୟୁଜ

122

ଆରମ୍ଭ ହେଲା କେନ୍ଦ୍ରାପଡ଼ାର ଗଣପର୍ବ, ଗଜଲକ୍ଷ୍ମୀ ପୂଜା ।

Team Odian News |

ଆରମ୍ଭ ହେଲା କେନ୍ଦ୍ରାପଡ଼ାର ଗଣପର୍ବ, ଗଜଲକ୍ଷ୍ମୀ ପୂଜା । 
ସଙ୍ଗୀତର ତାଳେତାଳେ,ରଙ୍ଗୀନ ଆଲୋକମାଳା ଆଉ ମହକରେ  ଭରିଯାଇଛି ସହର  ।  
କେନ୍ଦ୍ରାପଡ଼ା,୫/୧୦(ଓଡ଼ିଆନ୍‍ ନ୍ୟୁଜ୍‍ ): ମା’ ଗଜଲକ୍ଷ୍ମୀ ଆଜି ଧରାପୃଷ୍ଠରେ ଅବତରଣ କରିଛନ୍ତି  । ରାତ୍ରିରେ ମା’ଙ୍କ ରକ୍ଷୁଦାନ ଏବଂ ପୂଜା ପାଇବା ପରେ ଦର୍ଶନ ଦେଇଛନ୍ତି ଭକ୍ତମାନଙ୍କୁ  । ସାତଦିନ ଧରି ଅନୁଷ୍ଠିତ ହେବାକୁ ଥିବା କେନ୍ଦ୍ରାପଡ଼ାର ଗଣପର୍ବ, ଗଜଲକ୍ଷ୍ମୀ ମହାପୂଜା ମହାସମାରୋହରେ ଆରମ୍ଭ ହୋଇଛି  । ସହର ସାରା ବିଭିନ୍ନ ରଙ୍ଗୀନ ଆଲୋକମାଳାରେ ସର୍ଜିତ ହେବା ସହିତ ସଙ୍ଗୀତର ତାଳେ ତାଳେ ସତେ ଯେମିତି ସାରା ସହର ମା’ଙ୍କ ଆଗମନରେ ଝୁମିଉଠିଛନ୍ତି  । ସହରର ବିଭିନ୍ନ ସ୍ଥାନରେ ନିର୍ମିତ ଆକର୍ଷଣୀୟ ସାଜସଜା, ତୋରଣ ସାଙ୍ଗକୁ ଝୁଣା, ଗୁଗୁଳ ଏବଂ ଧୂପ ମହକରେ ଭରିଯାଇଛି  । ଆଜି ଯେମିତି ବଦଳିଯାଇଛି ସହରର ରୂପରେଖ  । ସବୁଆଡ଼େ ବେଦମନ୍ତ୍ର, ଶଙ୍ଖ, ଘଣ୍ଟ, ଘଣ୍ଟା, ମୃଦଙ୍ଗ ଏବଂ ମହୁରୀ ବାଦ୍ୟର ଗୁରୁ ଗମ୍ଭୀର ନିନାଦରେ ପ୍ରକମ୍ପିତ ହୋଇଉଠୁଛି  । କୁମାର ପୂର୍ଣ୍ଣମୀର ଜହ୍ନ ଆଲୁଅରେ କେନ୍ଦ୍ରାପଡ଼ା ସହର ରାତ୍ରି ଆକାଶରେ  ତାରା ଭଳି ଫୁଟିଉଠିଛି ବିଭିନ୍ନ ରଙ୍ଗବେରଙ୍ଗର ଆଲୋକମାଳା  । କୁହାଯାଏ ୧୯୨୮ ମସିହାରୁ ଆରମ୍ଭ ହୋଇଥିବା ଏହି ମା’ ଗଜଲକ୍ଷ୍ମୀ ପୂଜା ଆଜି ୮୭ ବର୍ଷରେ ପଦାର୍ପଣ କରିଛି  । ଆଳି ବ୍ଲକ୍‍ ସାନମଙ୍ଗ ଗ୍ରାମରେ ଅନୁଷ୍ଠିତ ହେଉଥିବା ବହୁ ପ୍ରାଚୀନ ମା’ ଗଜଲକ୍ଷ୍ମୀଙ୍କ ପୂଜା ଦେଖିବା ପାଇଁ କେନ୍ଦ୍ରାପଡ଼ା ସହରରୁ  କିଛି ଯୁବକ ଶଗଡ଼ ଗାଡ଼ିରେ ବୁଲି ଯାଇଥିଲେ  । ସେଦିନର ସେହି ଯୁବକ ମାନେ ମା’ଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଥିଲେ  । ସେମାନେ ଏତେମାତ୍ରାରେ ମା’ଙ୍କ ଦର୍ଶନରେ ପ୍ରୀତ ହୋଇଯାଇଥିଲେଯେ, କେନ୍ଦ୍ରାପଡ଼ା ସହରରେ ମା’ଙ୍କ ପୂଜା କରିବା ପାଇଁ ସେହିଦିନ  ପ୍ରତିଜ୍ଞା କରିଥିଲେ  । ସେହି ଉତ୍ସାହ ଯୁବକ ମାନଙ୍କ ପ୍ରଚେଷ୍ଠାରେ ହିଁ ଆରମ୍ଭ ହୋଇଥିଲା ଆଜିର ଗଣପର୍ବ ମା’ଗଜଲକ୍ଷ୍ମୀ ପୂଜା  । ପ୍ରଥମେ ପୁରୁଣା ସବ୍‍ଷ୍ଟାଣ୍ଡ ସ୍ଥିତ ଜହରୀଲାଲଙ୍କ ଘର ବାରଣ୍ଡାରେ ଏହି ପୂଜା ଆରମ୍ଭ ହୋଇଥିଲା  ।  ପରେ ପରେ ତୁଳସୀ ବଜାର, କାକଟ ମଙ୍ଗଳା, ମଢ଼ିଆଳ ବଜାରର ଗଙ୍ଗାଭାଗିରଥୀ ମେଢ଼ ହୋଇ ପୂଜା ପାଇଲେ  । ପ୍ରଥମେ ଏହି ଚାରୋଟି ମେଢ଼କୁ ନେଇ ମେଲଣ ଆରମ୍ଭ ହୋଇଥିଲା  । ଆଜି ୮୮ ବର୍ଷ ପରେ କେନ୍ଦ୍ରାପଡ଼ା ସହର ବିଭିନ୍ନ ସ୍ଥାନରେ ୬୭ଟି ମେଢ଼ରେ ମା’ ଗଜଲକ୍ଷ୍ମୀ ପୂଜା ପାଉଛନ୍ତି  ।