ଓଡିଆନ୍ ନ୍ୟୁଜ

78

୪ ଦିନର ବିରତି ପରେ ପୁଣି ପୁରୀରେ ଉଚ୍ଛେଦ ଆରମ୍ଭ

Team Odian News |

ପୁରୀ : ୪ ଦିନର ବିରତି ପରେ ଆଜି ପୁଣି ପୁରୀରେ ଉଚ୍ଛେଦ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ। ଏମାର ମଠ ନିକଟରେ ବାକି ରହିଥିବା ଉଚ୍ଛେଦ କାମ ଜାରି ରହିଛି। ମାଆ କାକୁଡ଼ିଖାଇ ନିକଟ ବଣିଆପଟିରେ ଦୋକାନ ଘରଗୁଡିକ ଭଙ୍ଗାଯାଉଛି।

ପୂର୍ବରୁ ଏହି ଦୋକାନ ମାଲିକଙ୍କୁ ନୋଟିସ ହୋଇଥିବା ବେଳେ ଏମାନେ ଦୋକାନ ଘର ଖାଲି କରିଦେଇଥିଲେ। ରବିବାର ଓ ସୋମବାର ଉଚ୍ଛେଦ କାମ ବନ୍ଦ ରଖିଥିଲା ଜିଲ୍ଲାପ୍ରଶାସନ। ହେଲେ ମଙ୍ଗଳବାର ଦିନ ଜିଲ୍ଲାପ୍ରଶାସନ ପକ୍ଷରୁ ଉଚ୍ଛେଦ କାମ ଆରମ୍ଭରୁ ବିରୋଧ ଯୋଗୁ ବନ୍ଦ ରହିଥିଲା।

 

 

ଏପଟେ ମଠ ଉଚ୍ଛେଦକୁ ନେଇ ପୁରୀରେ ମୁହାଁମୁହିଁ ସ୍ଥିତି। ଶ୍ରୀମନ୍ଦିର ସୁରକ୍ଷା ଆଳରେ ତରବରିଆ ଉଚ୍ଛେଦକୁ ବନ୍ଦ କରିବା ଲାଗି ଜିଲ୍ଲାପାଳଙ୍କ ସହ ଆଲୋଚନା ବିଫଳ ହେବା ପରେ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲାଗି ମଠ ମହନ୍ତମାନେ ଅନୁରୋଧ କରିଛନ୍ତି। ମଠ ମନ୍ଦିର ଉଚ୍ଛେଦ ଉପରେ ତୁରନ୍ତ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ବିଭିନ୍ନ ମଠ ମହନ୍ତ ମାନେ ଖୋଲା ଚିଠି ଲେଖିଛନ୍ତି।

ଆସନ୍ତାକାଲି ପୁରୀ ଆସୁଛନ୍ତି ଆମିକସ୍ କ୍ୟୁରୀ ରଞ୍ଜିତ କୁମାରଙ୍କ ସହ ସଲିସିଟର ଜେନେରାଲ। ପୂର୍ବରୁ ୯ ତାରିଖରେ ଆସିବାକୁ ସ୍ଥିର ହୋଇଥିଲା ବେଳେ ଏବେ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି।

କାର୍ଯ୍ୟସୂଚୀରେ ପରିବର୍ତ୍ତନ ନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ। ପୁରୀରେ ସ୍ଥିତି ଅନୁଧ୍ୟାନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଥିଲା ବେଳେ ଆମିକସକ୍ୟୁରି ଆସୁଥିବା ନେଇ ସୂଚନା ମିଳିଛି।

ଶ୍ରୀମନ୍ଦିର ଚୈାହଦୀ ଉଚ୍ଛେଦ ଅଭିଯାନକୁ ନେଇ ତୀବ୍ର ହେବାରେ ଲାଗିଛି ରାଜନୀତି। ଆଜି ବଡ଼ ଆଖଡ଼ା ମଠ ମହନ୍ତଙ୍କୁ ଭେଟି ଆଲୋଚନା କରିଛନ୍ତି ବିଜେପି ନେତା ସମ୍ବିତ୍ ପାତ୍ର ଓ ସ୍ଥାନୀୟ ବିଧାୟକ। ସମ୍ବିତ୍ କହିଛନ୍ତି, ଶ୍ରୀମନ୍ଦିର ଠାରୁ ମଠ ସଂସ୍କୃତି ଅଲଗା ନୁହେଁ, ତେଣୁ ପ୍ରଶାସନ ବୁଲଡୋଜର ଲଗାଇ ନୁହେଁ ବରଂ ହୃଦୟ ଜିତି ସମସ୍ୟାର ସମାଧାନ କରିବା ଉଚିତ୍। ସେପଟେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ, ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ଭୂମିକାକୁ କଳାପାହାଡ଼ ସଦୃଶ ବର୍ଣ୍ଣନା କରିଥିବାବେଳେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ବି ସମାନ ଢଙ୍ଗରେ ଆକ୍ଷେପ କରିଛନ୍ତି। ଜବାବରେ ବିଜେଡି କହିଛି, ଶ୍ରୀମନ୍ଦିର ଓ ଏହାର ସଂସ୍କୃତି ରକ୍ଷା କରିବାକୁ ସରକାର ଅଙ୍ଗୀକାରବଦ୍ଧ।

ଗୋଟିଏ ପଟେ ଶ୍ରୀମନ୍ଦିର ଚୈାହଦୀ ଉଚ୍ଛେଦକୁ ନେଇ ବିରୋଧ ଓ ଅସନ୍ତୋଷ କୁହୁଳୁଥିବାବେଳେ ବିଜେଡି କିନ୍ତୁ ନିଜ ଟ୍ୱିଟର ପେଜ୍‌ରେ ପୁରୀକୁ ବିଶ୍ୱ ପର୍ଯ୍ୟଟନସ୍ଥଳୀ ଭାବେ ଗଢ଼ି ତୋଳିବାକୁ ଏହା ପ୍ରୟାସ ବୋଲି ଦର୍ଶାଇବା ସହ ମିଥ୍ୟା ଅପପ୍ରଚାରରୁ ଦୂରେଇ ରହିବାକୁ ବି ପରାମର୍ଶ ଦେଉଛି।