ଓଡିଆନ୍ ନ୍ୟୁଜ

117

ଗାନ୍ଧୀସେବକ ରଘୁନାଥଙ୍କ ପତ୍ନୀ ମନ୍ଦୋଦରୀଙ୍କ ପରଲୋକ ।

Team Odian News |

ଗାନ୍ଧୀସେବକ ରଘୁନାଥଙ୍କ ପତ୍ନୀ ମନ୍ଦୋଦରୀଙ୍କ ପରଲୋକ  । 
କଟକ: ଗାନ୍ଧୀ ସେବକ, ବିରଳା ଭବନର ମାଳି ତଥା ଗାନ୍ଧୀ ହତ୍ୟାକାରୀ ନାଥୁରାମଙ୍କୁ କାବୁ କରିଥିବା ସ୍ୱର୍ଗତ ରଘୁନାଥ ନାୟକଙ୍କ ପତ୍ନୀ ମନ୍ଦୋଦରୀ ନାୟକଙ୍କର କଟକ ଠାରେ ରବିବାର ଅପରାହ୍ଣରେ ପରଲୋକ ହୋଇଯାଇଛି  । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା  । ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡ଼ିତ ହୋଇ ସେ ଚିକିତ୍ସିତ ହେଉଥିଲେ  । ତାଙ୍କ ପରଲୋକ ଖବର ପାଇଁ  କେନ୍ଦ୍ରାପଡ଼ା ଜିଲା ସହିତ ରାଜକନିକା ବ୍ଲକ୍‍ ଏବଂ ରଘୁଙ୍କ ଜନ୍ମସ୍ଥାନ ଜାଗୁଳାଇପଡ଼ା ଗ୍ରାମରେ ଶୋକର ଛାୟା ଖେଳିଯାଇଛି  । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସକ୍ରାର କରାଯାଇଛି  । ଜାତିରପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟା ଘଟଣା ଦିନ ଦିଲ୍ଲୀର ସର୍ଭେଣ୍ଟ କ୍ୱାଟରରେ ସେ ଉପସ୍ଥିତ ଥିଲେ  । ସ୍ୱର୍ଗିୟା ନାୟକ ବଞ୍ଚିଥିବା ବେଳେ ବିରଳା ଭବନର ଅନେକ ଅକୁହା କଥା ସମସ୍ତଙ୍କୁ ବଖାଣି ଗାନ୍ଧୀ ଦର୍ଶନକୁ ପ୍ରଚାର କରୁଥିଲେ  । ସ୍ୱାମୀଙ୍କ ମୃତ୍ୟୁ ପରେ  ମନ୍ଦୋଦରୀ ଆର୍ଥିକ ଅନଟନରେ ଦିନ କାଟୁଥିଲେ  । ତାଙ୍କ କରୁଣ କାହାଣୀ ‘ସମାଜ’ର ପ୍ରଥମ ପୃଷ୍ଠାରେ ଗତ ୨୩, ଜୁଲାଇ ୨୦୧୩ ମସିହାରେ ଖବର ପ୍ରକାଶ ପାଇବା ପରେ ତକ୍ରାଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟିକୁ ଆସିଥିଲେ  । ଖବର ପ୍ରକାଶ ପାଇବାର କେଇ ଘଣ୍ଟାପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମନ୍ଦୋଦରୀ ରହୁଥିବା ତାଙ୍କ ଝିଅଘର ଯୋରଳ ଗ୍ରାମରେ ରାଜକନିକା ତକ୍ରାଳୀନ ବିଡ଼ିଓ ପହଞ୍ଚିଥିଲେ   । ମନ୍ଦୋଦରୀଙ୍କୁ ତୁରନ୍ତ ୩୦ ହଜାର ଟଙ୍କାର ସହାୟତା ରାଶି ସହିତ ମାସକୁ ପାଞ୍ଚ ଶହ ଟଙ୍କାର ଭତ୍ତା ଏବଂ ଘର ପାଇଁ ଇନ୍ଦିରା ଆବାସ ଯୋଜନା ପ୍ରଦାନ କରିଥିଲେ  ।  ଏହା ସହିତ ଏହି ଘଟଣାର ଦୁଇ ବର୍ଷ ପରେ ପୁଣି ମୁଖ୍ୟମନ୍ତ୍ରୀ  ମନ୍ଦୋଦରୀ ତାଙ୍କ ଝିଅ ବାସନ୍ତୀ ଏବଂ ପରିବାର ବର୍ଗଙ୍କୁ  ରାଜ୍ୟ ସଚ୍ଚିବାଳୟକୁ ଡ଼କଇଥିଲେ  ।  ପୁର୍ନବାର ରାଜ୍ୟ ସଚ୍ଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍ତରୀୟ ପ୍ରଦାନ ସମ୍ବର୍ଦ୍ଧିତ କରିଥିଲେ ଏହା ସହିତ ପାଞ୍ଚ ଲକ୍ଷ ଟଙ୍କାର ଚେକ୍‍ ସହାୟତା ପ୍ରଦାନ କରିଥିଲେ  । ମୁଖ୍ୟମନ୍ତ୍ରୀଙ୍କ ଠାରୁ ସହାୟତା ପାଇଲା ପରେ କଟକରେ ରହୁଥିବା ତାଙ୍କ ଝିଅ ସହାୟତା ଚେକ୍‍ ସହିତ ତାଙ୍କୁ କଟକ ନେଇଯାଇଥିଲେ  । ସେବେ ଠାରୁ ସେ କଟକରେ ରହିଆସୁଥିଲେ  । ଏଠାରେ ପ୍ରକାଶଥାଉକି ମହାତ୍ମାଗାନ୍ଧୀଙ୍କ ମୃତ୍ୟୁକୁ ୭୧ ବର୍ଷ ବିତିଯାଇଛି । ଆତତାୟୀ ନାଥୁରାମର ବନ୍ଧୁକ ଗୁଳିରେ ଟଳିପଡ଼ିଥିଲେ ଗାନ୍ଧୀ । ଆଉ ସେହି ସମୟରେ ବିରଳାଭବନର ମାଳି ଓଡ଼ିଆ ପୁଅ ରଘୁ ନାୟକ ବୀରତ୍ୱର ସହିତ ନାଥୁରାମଙ୍କୁ କାବୁ କରି ପୁଲିସିର ଜିମା ଦେଇଥିଲେ । ଗାନ୍ଧିଜୀଙ୍କୁ ତକ୍ରାଳ କୋଳକୁ ଟେକିନେଇଥିଲେ,ରଘୁ । ଗାନ୍ଧୀ ସେବକ ରଘୁ ନାୟକଙ୍କ କୋଳରେ ମଥା ରଖି ‘ହେ-ରାମ’କହି ଏ ଜାତିର ଚିର ନମସ୍ୟ ମହାତ୍ମା ଗାନ୍ଧୀ ତ୍ୟାଗ କରିଥିଲେ ଶେଷ ନିଃଶ୍ୱାସ । ରଘୁଙ୍କ ବୀରତ୍ୱ ଓ ସାହାସିକତା ପାଇଁ ତକ୍ରାଳୀନ ରାଷ୍ଟ୍ରପତି ଡ଼ଃ ରାଜେନ୍ଦ୍ର ପ୍ରସାଦଙ୍କ ଠାରୁ ମିଳିଥିଲା ୫୦୦ଟଙ୍କାର ପୁରସ୍କାର ସହିତ ଏକ ସନନ୍ଦପତ୍ର । ଏହା ଭିତରେ ବିତିଯାଇଥିଲା ଅନେକ ବର୍ଷ । ରଘୁଙ୍କ ସଂପର୍କରେ ଗାନ୍ଧୀଙ୍କ ବ୍ୟକ୍ତିଗତ ସହାୟକ ପ୍ୟାରେଲାଲ୍‍ ନିଜ ଆତ୍ମଜୀବନିରେ  ଲେଖିଛନ୍ତି  ।   ଗାନ୍ଧୀଜିଙ୍କ ନାତି ତୁଷାର ଗାନ୍ଧୀ ତାଙ୍କ ରଚିତ ପୁସ୍ତକ ‘ଲେଟ୍‍ ଅସ୍‍ କିଲ୍‍ ଗାନ୍ଧୀ’ରେ ମଧ୍ୟ ରଘୁଙ୍କ ସଂପର୍କରେ ବର୍ଣ୍ଣନା କରିଛନ୍ତି । ସମ୍ବାଦଦାତା ତଥା ଲେଖକ ଶୁଭ୍ରାଂଶୁ ସୂତାରଙ୍କ ‘ଦ ଉଇଟ୍‍ନେସ୍‍’ ଇଂରାଜୀ ପୁସ୍ତକରେ ରଘୁଙ୍କ ଜୀବନୀ  ପ୍ରକାଶିତ ହୋଇଛି  । ରଘୁନାଥ ବିରଳା ଭବନର ମାଳି ଥିଲେ ସତ କିନ୍ତୁ ଗାନ୍ଧୀଙ୍କ ସେବା ସହିତ ପ୍ରତିଦିନ ଛେଳି କ୍ଷୀର ପିଇବାକୁ ଦେଇଥିଲେ । ସେ ଥିଲେ ଗାନ୍ଧୀ ହତ୍ୟାର ଏକ ମାତ୍ର ଓଡ଼ିଆ ସାକ୍ଷୀ । ଜୀବିତ ଅବସ୍ଥାରେ ସେ ବହୁବାର ଦିଲ୍ଲୀ ଯାଇ କୋର୍ଟରେ ସାକ୍ଷୀ ଦେଇଛନ୍ତି ।  ହେଲେ ରଘୁନାଥଙ୍କୁ ଜୀବିତ ଅବସ୍ଥାରେ ଓଡ଼ିଆ ଜାତି ଦେଇପାରିଲାନି ସମ୍ମାନ । ଆର୍ଥିକ ଅନଟନ ମଧ୍ୟରେ ୧୩ ଅଗଷ୍ଟ ୧୯୮୩ ମସିହାରେ ୭୨ ବର୍ଷ ବୟସରେ ରୋଗଶର୍ଯ୍ୟାରେ ପଡ଼ି ପଡ଼ି ତାଙ୍କର ମୃତ୍ୟୁହୋଇଥିଲା  । ତାଙ୍କ ମୃତ୍ୟୁର ୨୨ ବର୍ଷ ପରେ ୨୦୦୫ ଜାନୁୟାରୀ ୩୦ ତାରିଖ ଦିନ ଜର୍ମାନୀର ଅଟୋମୋବାଇଲ କମ୍ପାନୀ ଡ଼ାମଲର ଖ୍ରୀସ୍‍ଲର ପକ୍ଷରୁ ରଘୁଙ୍କ ସ୍ମୃତି ରକ୍ଷା ପାଇଁ ତାଙ୍କ ଗାଁ କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ୍‍ ଅନ୍ତର୍ଗତ ଜାଗୁଳାଇପଡ଼ାରେ ଗାନ୍ଧୀ-ରଘୁଙ୍କ ମିଳିତ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯାଇ ତାଙ୍କ ସ୍ମୃତିରକ୍ଷା କରାଯାଇଛି  ।