ଓଡିଆନ୍ ନ୍ୟୁଜ

121

କାଜୁଓ ଇସିଗୁରୋଙ୍କୁ ମିଳିବ ନୋବେଲ ସାହିତ୍ୟ ପୁରସ୍କାର

Team Odian News |

କାଜୁଓ ଇସିଗୁରୋଙ୍କୁ ମିଳିବ ନୋବେଲ ସାହିତ୍ୟ ପୁରସ୍କାର

ନୂଆଦିଲ୍ଲୀ,୬/୧୦( ଓଡ଼ିଆନ୍‍ ନ୍ୟୁଜ୍‍ ଟିମ୍‍): ବ୍ରିଟିଶ ସାହିତ୍ୟିକ କାଜୁଓ ଇସିଗୁରୋଙ୍କୁ ଚଳିତ ବର୍ଷର ନୋବେଲ ସାହିତ୍ୟ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି । ସେ ମୂଳତଃ ଜାପାନରେ ଜନ୍ମ ହୋଇଥିଲେ ମଧ୍ୟ ତାଙ୍କୁ ୫ ବର୍ଷ ହେଉଥିବା ବେଳେ ସେ ପରିବାର ସହ ଇଂଲଣ୍ଡକୁ ଚାଲି ଆସିଥିଲେ । ସେ ଏହା ପୂର୍ବରୁ ୧୯୮୯ରେ ‘ଦି ରିମେନ୍ସ ଅଫ ଦି ଡେଜ୍‌’ ପାଇଁ ‘ମ୍ୟାନ ବୁକର’ ପୁରସ୍କାର ହାସଲ କରିଥିଲେ । ଏହି ଉପନ୍ୟାସ ଉପରେ ଆଧାରିତ ହୋଇ ନିର୍ମିତ ହୋଇଥିବା ଚଳଚ୍ଚିତ୍ର ବେଶ୍‌ ଚର୍ଚ୍ଚାରେ ରହିଥିଲା । ୧୯୮୦ ମସିହାରୁ ସାହିତ୍ୟ ପ୍ରତି ତାଙ୍କର ରୁଚି ବଢିଥିଲେ ମଧ୍ୟ ୧୯୮୨ରେ ତାଙ୍କ ଦ୍ୱାରା ରଚିତ ପ୍ରଥମ ଉପନ୍ୟାସ ‘ଏ ପେଲ୍‌ ଭ୍ୟୁ ଅଫ ଦି ହିଲସ୍‌’ ଏବଂ ୧୯୮୬ରେ ରଚିତ ଦ୍ୱିତୀୟ ଉପନ୍ୟାସ ‘ଏନ୍‌ ଆର୍ଟିଷ୍ଟ ଅଫ ଦି ଫ୍ଲୋଟିଂ ୱର୍ଲଡ’ ତାଙ୍କୁ ସାହିତ୍ୟ ଜଗତରେ ଏକ ଭିନ୍ନ ପରିଚୟ ପ୍ରଦାନ କରିଥିଲା । ଏହି ଦୁଇ କାଳଜୟୀ ଉପନ୍ୟାସ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ନାଗାସାକିର ପୃଷ୍ଠଭୂମିର କାହାଣୀକୁ ନେଇ ରଚିତ ହୋଇଥିଲା । ତେବେ ନୋବେଲ ପୁରସ୍କାର ପାଇଁ ତାଙ୍କ ନାମକୁ ନେଇ ବିଚାର ହେବାପରେ ଚୟନକର୍ତ୍ତାଙ୍କୁ ଇସିଗୁରୋଙ୍କ ଦ୍ୱାରା ୨୦୦୫ରେ ରଚିତ ‘ନେଭର ଲେଟ୍‌ ମି ଗୋ’ ଏବଂ ୨୦୧୫ରେ ରଚିତ ‘ଦି ବରିଡ ଜଏଣ୍ଟସ୍‌’ ବେଶ୍‌ ପ୍ରଭାବିତ କରିଥିଲା । ୬୨ ବର୍ଷୀୟ ଇସିଗୁରୋ ଏପର୍ୟ୍ୟନ୍ତ ୮ଟି ପୁସ୍ତକ ରଚନା ସହ ଅନେକ ଚଳଚ୍ଚିତ୍ରରେ ପଟ୍ଟକଥା ଏବଂ ସଂଳାପ ରଚନା କରିଛନ୍ତି । ଇସିଗୁରୋଙ୍କ ନାମ ନୋବେଲ ପୁରସ୍କାର ପାଇଁ ଚୂଡାନ୍ତ ହେବା ପରେ ତାଙ୍କ ପ୍ରକାଶକ ସଂସ୍ଥା ପକ୍ଷରୁ ମଧ୍ୟ ତାଙ୍କୁ ବିଶେଷ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା । ଆସନ୍ତା ଡିସେମ୍ବର ୧୦ ତାରିଖରେ ଷ୍ଟକ୍‌ହୋମ୍‌ରେ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଇସିଗୁରୋଙ୍କୁ ନୋବେଲ ସାହିତ୍ୟ ପୁରସ୍କାର ପ୍ରଦାନ କରାଯିବ ।