ଓଡିଆନ୍ ନ୍ୟୁଜ

63

ଜମ୍ମୁ କଶ୍ମୀରର ସ୍ଥିତିକୁ ସ୍ବାଭାବିକ କରିବା ନେଇ ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ

Team Odian News |

ନୂଆଦିଲ୍ଲୀ: ଆଜି ସୁପ୍ରିମ କୋର୍ଟରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ, ରାଷ୍ଟ୍ରପତି ଶାସନର ବୈଧତା ସମେତ ୮ଟି ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି  ହୋଇଛି। ପ୍ରଧାନ ବିଚାରପତି ରଂଜନ ଗୋଗଇ, ବିଚାରପତି ଏ ଏସ ବୋବଡ଼େ ଏବଂ ବିଚାରପତି ଅବଦୁଲ ନଜିରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏସବୁ ମାମଲାର ଶୁଣାଣି କରିଛନ୍ତି। ମାମଲାର ଶୁଣାଣିବେଳେ କେନ୍ଦ୍ର ସରକାରଙ୍କୁ ଦୁଇ ସପ୍ତାହ ମଧ୍ୟରେ କଶ୍ମୀରର ପୂରା ଚିତ୍ର ସାମ୍ନାରେ ରଖିବା ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଜମ୍ମୁ କଶ୍ମୀରର ସ୍ଥିତିକୁ ସ୍ବାଭାବିକ କରିବା ସୁପ୍ରିମ କୋର୍ଟ କେନ୍ଦ୍ର ସରକାର ଏବଂ ଜମ୍ମୁ କଶ୍ମୀର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ସୁରକ୍ଷାକୁ ଧ୍ୟାନରେ ରଖି ସ୍ଥିତି ସ୍ବାଭାବିକ କରିବା ସହିତ ବିଦ୍ୟାଳୟ ଏବଂ ଡାକ୍ତରଖାନା ଗୁଡ଼ିକୁ ପୁଣି ଚାଲୁ କରିବା ପାଇଁ କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୩୦ ତାରିଖରେ ହେବ ବୋଲି ଧାର୍ଯ୍ୟ କରାଯାଇଛି।

ସୁପ୍ରିମ କୋର୍ଟ ଆଜିର ଶୁଣାଣି ବେଳେ କେନ୍ଦ୍ର ସରକାର ସୁପ୍ରିମ କୋର୍ଟଙ୍କୁ କହିଥିଲେ, ଅଗଷ୍ଟ ୫ ପରେ ଜମ୍ମୁ କଶ୍ମୀରରେ ଗୋଟିଏ ହେଲେ ଗୁଳି ଫୁଟିନାହିଁ। ଜଣେ ହେଲେ ବ୍ୟକ୍ତିଙ୍କ ଜୀବନ ଏଥିପାଇଁ ଯାଇନାହିଁ। ଜମ୍ମୁ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ‌ପରେ ଶିଶୁମାନଙ୍କୁ ବେଆଇନଭାବେ ଅଟକ ରଖାଯାଇଥିବା ଦର୍ଶାଇ ଏହା ବିରୋଧରେ ବିଶି‌ଷ୍ଟ ଶିଶୁ ସୁରକ୍ଷା ଅଧିକାର କର୍ମୀ ଇନାକ୍ଷୀ ଗାଙ୍ଗୁଲି ଏବଂ ଏନସିପିସିଆରର ପ୍ରଥମ ଅଧ୍ୟକ୍ଷ ପ୍ରଫେସର ଶାନ୍ତା ସିହ୍ନା ସୁପ୍ରିମ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଅଦାଲତରେ ସୀତାରାମ ୟେଚୁରୀଙ୍କ ମାମଲା ମଧ୍ୟ ଶୁଣାଣି ହୋଇଥିଲା। ଧାରା ୩୭୦ ଉଚ୍ଛେଦ,‌ ରାଷ୍ଟ୍ରପତି ଶାସନର ବୈଧତାକୁ ବିରୋଧ ଆଦି ୮ ମାମଲାର ଶୁଣାଣି ହୋଇଥିଲା

ଜମ୍ମୁ କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ୍‌ଙ୍କୁ ଆଜି ସୁପ୍ରିମକୋର୍ଟ ଜମ୍ମୁ କଶ୍ମୀର ଗସ୍ତ ପାଇଁ ଅନୁମତି ଦେଇଛନ୍ତି। ସେ ଜମ୍ମୁ, ଅନନ୍ତନାଗ, ବାରମୁଳା ଏବଂ ଶ୍ରୀନଗର ଜିଲ୍ଲା ଗସ୍ତ କରିପାରିବେ। ତେବେ ଏହା ସର୍ତ୍ତମୂଳକ। ଗସ୍ତ ସମୟରେ ସେ କୌଣସି ରାଜନୈତିକ ରୢାଲି କରିପାରିବେନି। କିନ୍ତୁ ଆଜାଦ ଗସ୍ତ ସମୟରେ ଲୋକମାନଙ୍କ ସହ କଥା ହୋଇପାରିବେ ବୋଲି ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଆଜାଦ୍ ଗତକାଲି ସୁପ୍ରିମକୋର୍ଟରେ ଆବେଦନ କରି ତାଙ୍କ ଗୃହ ରାଜ୍ୟ ଗସ୍ତ କରିବାପାଇଁ ଅନୁମତି ଚାହିଥିଲେ। ସେ ତାଙ୍କ ଆବେଦନ‌ରେ ଦର୍ଶାଇଥିଲେ ଯେ କୌଣସି ରାଜ‌ନୈତିକ ଉଦ୍ଦେଶ୍ୟ ସାଧନ ପାଇଁ ସେ ଜମ୍ମୁ କଶ୍ମୀର ଗସ୍ତ କରିବାକୁ ଚାହୁନାହାନ୍ତି ବରଂ ତାଙ୍କ ପରିବାର ସଦସ୍ୟ ଏବଂ ସମ୍ପର୍କୀୟ ଓ ଅନ୍ୟ ଲୋକମାନଙ୍କ କଥା ବୁଝିବାପାଇଁ ସେ ଜମ୍ମୁ କଶ୍ମୀର ଗସ୍ତ କରିବାକୁ ଚାହିଛନ୍ତି। କୋର୍ଟ ଆଜାଦ୍‌ଙ୍କ ଆବେଦନର ଶୁଣାଣି କରିବା ପରେ ତାଙ୍କୁ ଜମ୍ମୁ କଶ୍ମୀର ଗସ୍ତ କରିବାପାଇଁ ଅନୁମତି ଦେଇଛନ୍ତି ଏବଂ ସେଠାକାର ସ୍ଥିତି କେମିତି ଅଛି ସେବାବଦରେ ରିପୋର୍ଟ ଦାଖଲ କରିବାପାଇଁ କହିଛନ୍ତି। ଆଜାଦ ପୂର୍ବରୁ ୩ ଥର ଜମ୍ମୁ କଶ୍ମୀର ଯିବାକୁ ଚେଷ୍ଟା କରିଥିଲେ ବି ତାଙ୍କୁ ବିମାନବନ୍ଦରରୁ ଫେରାଇ ଦିଆଯାଇଥିଲା।