ଓଡିଆନ୍ ନ୍ୟୁଜ

105

ଭାରତରେ ଫୁଟ୍‌ବଲ ମହାକୁମ୍ଭ

Team Odian News |

ଭାରତରେ ଫୁଟ୍‌ବଲ ମହାକୁମ୍ଭ
ନୂଆଦିଲ୍ଲୀ,୬/୧୦( ଓଡ଼ିଆନ୍ ନ୍ୟୁଜ୍ ଟିମ୍):  ଭାରତୀୟ ଫୁଟ୍‌ବଲ ଇତିହାସରେ ନୂତନ ଅଧ୍ୟାୟ ସୃଷ୍ଟି ହେବାକୁ ଯାଉଛି । ଭାରତରେ ବିଶ୍ଵକପ୍ ଫୁଟ୍‌ବଲ ଆୟୋଜନ ହେବା ସହିତ ପ୍ରଥମଥର ପାଇଁ ଭାରତୀୟ ଦଳ ଏକ ଫୁଟ୍‌ବଲ ବିଶ୍ୱକପ୍‌ ଖେଳିବାକୁ ଯାଉଛି । ଶୁକ୍ରବାରଠାରୁ ଭାରତରେ ଆରମ୍ଭ ହେଉଛି ଫିଫା ୧୭ ବର୍ଷରୁ କମ୍‌ ଫୁଟ୍‌ବଲ ବିଶ୍ୱକପ୍‌ । ୨୪ଟି ପ୍ରତିଯୋଗୀ ଦେଶଙ୍କୁ ନେଇ ଏହି ପ୍ରତିଯୋଗିତା ଆୟୋଜିତ ହୋଇଛି । ଭାରତ ଏହି ଭବ୍ୟ ପ୍ରତିଯୋଗିତା ଆୟୋଜନ କରିବାର ଗୌରବ ଲାଭ କରିଛି । ୨୪ଟି ପ୍ରତିଯୋଗୀ ଦେଶଙ୍କୁ ୬ଟି ଗ୍ରୁପରେ ବିଭକ୍ତ କରାଯାଇଛି । ଭାରତ ଗ୍ରୁପ୍‌ ‘ଏ’ରେ ସ୍ଥାନ ପାଇଛି । ଗ୍ରୁପ୍‌ ‘ଏ’ରେ : ଭାରତ, ଆମେରିକା, କଲମ୍ବିଆ ଓ ଘାନା, ଗ୍ରୁପ୍‌ ‘ବି’ରେ : ପାରାଗୁଏ, ମାଲି, ନ୍ୟୁଜିଲାଣ୍ଡ ଓ ତୁର୍କୀ ଏବଂ ଗ୍ରୁପ୍‌ ‘ସି’ରେ: ଇରାନ୍‌, ଗିନି, ଜର୍ମାନୀ ଓ କୋଷ୍ଟାରିକା ସ୍ଥାନ ପାଇଛନ୍ତି । ଅନ୍ୟ ପକ୍ଷରେ ଗ୍ରୁପ୍‌ ‘ଡି’ରେ : ଉତ୍ତର କୋରିଆ, ନାଇଜର, ବ୍ରାଜିଲ ଓ ସ୍ପେନ୍‌ , ଗ୍ରୁପ୍‌ ‘ଇ’ରେ: ହଣ୍ଡୁରାସ୍‌, ଜାପାନ, ନ୍ୟୁ କାଲିଡୋନିଆ ଓ ଫ୍ରାନ୍‌ସ ଏବଂ ଗ୍ରୁପ୍‌ ‘ଏଫ’ରେ: ଇରାକ୍‌, ମେକ୍ସିକୋ, ଚିଲି ଓ ଇଂଲଣ୍ଡ ସ୍ଥାନ ପାଇଛନ୍ତି । ଭାରତ ଶୁକ୍ରବାର ଆମେରିକା ବିରୁଦ୍ଧରେ ତା’ର ପ୍ରଥମ ମ୍ୟାଚ ଖେଳିବ । ୯ ତାରିଖରେ କଲମ୍ବିଆ ଓ ୧୨ତାରିଖରେ ଘାନା ବିପକ୍ଷରେ ଖେଳିବ । ୬ ତାରିଖରୁ ପ୍ରତିଯୋଗିତା ଆରମ୍ଭ ହେଉଥିବା ବେଳେ ୨୮ ତାରିଖରେ ଫାଇନାଲ ମ୍ୟାଚ କଲକାତାରେ ଅନୁଷ୍ଠିତ ହେବ । ଦିଲ୍ଲୀ, ନବି ମୁମ୍ବଇ, ଗୋଆ, କୋଚି, ଗୁଆହାଟୀ ଏବଂ କଲକାତାରେ ମ୍ୟାଚଗୁଡିକ ଅନୁଷ୍ଠିତ ହେବ । ତେବେ ଭାରତକୁ ଫିଫା ୧୭ ବର୍ଷରୁ କମ୍‌ ଫୁଟ୍‌ବଲ ବିଶ୍ୱକପ୍‌ ଆୟୋଜନର ଦାୟିତ୍ୱ ମିଳିବା ପରଠାରୁ ବିଶ୍ୱର ଶ୍ରେଷ୍ଠ ଦଳଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିବା ଲାଗି ପ୍ରସ୍ତୁତିରେ ଲାଗିପଡ଼ିଛି । ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଭାରତୀୟ ଦଳକୁ ଆନ୍ତର୍ଜାତିକ ଅଭିଜ୍ଞତା ଦେବା ପାଇଁ ବିଶ୍ୱ ଭ୍ରମଣ କରାଇଛି । ଏଥିପାଇଁ ୨୦୧୫ରୁ ଅଦ୍ୟାବଧି ଏଆଇଏଫ୍‌ଏଫ୍‌ କୋଟିକୋଟି ଟଙ୍କା ଖର୍ଚ୍ଚକରିଛି । ଭାରତୀୟ ଦଳ ଜର୍ମାନୀ, ସ୍ପେନ୍‌, ଦୁବାଇ, ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲ ଭଳି ଦେଶକୁ ଯାଇ ସେଠାରେ ଟୁର୍ଣ୍ଣାମେଣ୍ଟ ଖେଳିଛି । ଏଏଫ୍‌ସି ୧୬ ବର୍ଷରୁ କମ୍‌ ଚମ୍ପିଆନ୍‌ସିପ, ଏଆଇଏଫ୍‌ଏଫ୍‌ ୟୁଥ୍‌ କପ୍‌ ଓ ୧୭ ବର୍ଷରୁ କମ୍‌ ବ୍ରିକ୍‌ସ ଟୁର୍ଣ୍ଣାମେଣ୍ଟ ଖେଳି ଭାରତୀୟ ଦଳ ଅଭିଜ୍ଞତାର ହାସଲ କରିଛି । ତେବେ ସେଣ୍ଟ ପିଟର୍ସବର୍ଗରେ ଆୟୋଜିତ ଗ୍ରାନାଟ୍‌କିନ୍‌ ସ୍ମାରକୀ କପ୍‌ରେ ଭାରତୀୟ ୧୬ ବର୍ଷରୁ କମ୍‌ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପରେ ପ୍ରଶିକ୍ଷକ ନିକୋଲାଇ ଆଡାମ୍‌ସଙ୍କୁ ବିଦାୟ ଦେଇଛି ଏଆଇଏଫ୍‌ଏଫ୍‌ । ତାଙ୍କ ସ୍ଥାନରେ ଚଳିତବର୍ଷ ଫେବୃଆରୀରେ ପର୍ତ୍ତୁଗାଲ୍‌ର ଲୁଇସ୍‌ ନର୍ଟନ ଡି ମାଟସ୍‌ ଭାରତୀୟ ୧୭ ବର୍ଷରୁ କମ୍‌ ବିଶ୍ୱକପ୍‌ ଦଳର ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି । ୬୩ ବର୍ଷ ବୟସ୍କ ଡି ମାଟସ୍‌ ଫୁଟ୍‌ବଲ ପ୍ରଶିକ୍ଷଣ କ୍ଷେତ୍ରରେ ଜଣେ ପୋଖତ ବ୍ୟକ୍ତିତ୍ୱ । ବିଶ୍ୱର ନାମୀ କ୍ଲବ୍‌ର ଖେଳାଳିଙ୍କୁ ପ୍ରଶିକ୍ଷଣ ଦେବାର ଅଭିଜ୍ଞତା ଡି ମାଟସଙ୍କର ରହିଛି । ନିଜେ ଡି ମାଟସ୍‌ ପର୍ତ୍ତୁଗାଲ ଜାତୀୟ ଦଳ ପାଇଁ ୧୯୮୨ରେ ୫ଟି ମ୍ୟାଚ୍‌ ଖେଳିଥିବା ବେଳେ ତାଙ୍କଦେଶର କ୍ଲବ୍‌ ବେନଫିକା ପାଇଁ ୫ଟି ମ୍ୟାଚ୍‌ ଖେଳିଛନ୍ତି ।ତେଣୁ ତାଙ୍କଠାରୁ ଭାରତୀୟ ଦଳ ବହୁତ କିଛି ଆଶା ରଖିଛି । ଅନ୍ୟ ପକ୍ଷରେ ବ୍ଲୁ କବ୍‌ସ ଭାବେ ପରିଚିତ ଭାରତୀୟ ଜୁନିୟର ଫୁଟ୍‌ବଲ ଦଳ ୭ ଥର ଏଏଫ୍‌ସି ୧୬ ବର୍ଷରୁ କମ୍‌ ଫୁଟ୍‌ବଲ ଚମ୍ପିଆନ୍‌ସିପ୍‌ ଖେଳିଛି । ଏଥିରେ ଭାରତର ଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୨୦୦୨ରେ କୋରିଆଠାରୁ କ୍ୱାର୍ଟରଫାଇନାଲରେ ପରାସ୍ତହେବା । ୨୦୧୩ରେ ଭାରତୀୟ ୧୬ ବର୍ଷରୁ କମ୍‌ ଫୁଟ୍‌ବଲ ଦଳକୁ ସବୁଠାରୁ ବଡ଼ ସଫଳତା ମିଳିଥିଲା । ନେପାଳରେ ଆୟୋଜିତ ସାଫ୍‌ ଫୁଟ୍‌ବଲ ଚମ୍ପିଆନ୍‌ସିପ୍‌ରେ ଭାରତ ଚମ୍ପିଆନ୍‌ ହୋଇଥିଲା । ତେବେ ମଣିପୁରର ପ୍ରତିଭାବାନ୍‌ ମିଡ୍‌ଫିଲ୍‌ଡର ଅମରଜିତ ସିଂହ କିୟାମ୍‌ ଏହି ବିଶ୍ୱକପ୍‌ରେ ଭାରତୀୟ ଦଳର ନେତୃତ୍ୱ ନେଉଛନ୍ତି । ବର୍ଷ ଆରମ୍ଭରୁ ବିଦେଶ ଗସ୍ତ ପରେ ଗତ ୨ ମାସ ହେଲା ଭାରତୀୟ ଦଳ ସ୍ୱଦେଶରେ ଏହି ବିଶ୍ୱକପ୍‌ ପାଇଁ ପ୍ରସ୍ତୁତିରେ ଲାଗିଛନ୍ତି । ସେପ୍ଟେମ୍ବର ୨୧ରେ ବାଙ୍ଗାଲୋରରେ ମରିସସ୍‌ ୧୭ ବର୍ଷରୁ କମ୍‌୍‌ ଦଳକୁ ଭାରତ ପରାସ୍ତ କରିଛି । ତେଣୁ ଏହି ବିଶ୍ୱକପ୍‌ରେ ଭରତ ବେଶ ଭଲ ପ୍ରଦର୍ଶନ କରିବ ମୋଲି ଆଶା କରାଯାଏ । ୨୪ ଦେଶକୁ ନେଇ ୬ଟି ଗ୍ରୁପ ଗ୍ରୁପ୍‌ ‘ଏ’: ଭାରତ, ଆମେରିକା, କଲମ୍ବିଆ ଓ ଘାନା ଗ୍ରୁପ୍‌ ‘ବି’: ପାରାଗୁଏ, ମାଲି, ନ୍ୟୁଜିଲାଣ୍ଡ ଓ ତୁର୍କୀ ଗ୍ରୁପ୍‌ ‘ସି’: ଇରାନ୍‌, ଗିନି, ଜର୍ମାନୀ ଓ କୋଷ୍ଟାରିକା ଗ୍ରୁପ୍‌ ‘ଡି’: ଉତ୍ତର କୋରିଆ, ନାଇଜର, ବ୍ରାଜିଲ ଓ ସ୍ପେନ୍‌ ଗ୍ରୁପ୍‌ ‘ଇ’: ହଣ୍ଡୁରାସ୍‌, ଜାପାନ, ନ୍ୟୁ କାଲିଡୋନିଆ ଓ ଫ୍ରାନ୍‌ସ ଗ୍ରୁପ୍‌ ‘ଏଫ’: ଇରାକ୍‌, ମେକ୍ସିକୋ, ଚିଲି ଓ ଇଂଲଣ୍ଡ ଭାରତୀୟ ଦଳ (ଗୋଲ୍‌ରକ୍ଷକ) ଧୀରଜ ସିଂହ, ସନ୍ନୀ ଧାଲିୱାଲ ଓ ପ୍ରଭୂସୁଖନ୍‌ ଗିଲ୍‌; (ଡିଫେଣ୍ଡର) ବୋରିସ୍‌ ସିଂହ, ଜିତେନ୍ଦ୍ର ସିଂହ, ଅନୱର ଅଲୀ, ସଞ୍ଜୀବ ଷ୍ଟାଲିନ୍‌, ହେଣ୍ଡ୍ରି ଆଣ୍ଟୋନି, ନମିତ ଦେଶପାଣ୍ଡେ; (ମିଡ୍‌ଫିଲ୍‌ଡର) ସୁରେଶ ସିଂହ, ଏନ୍‌. ମିତେଇ, ଅମରଜିତ ସିଂହ କିୟାମ୍‌ (ଅଧିନାୟକ), ଅଭିଜିତ ସରକାର, କୋମଳ ଥଟାଲ, ଲାଲେଙ୍ଗମାୱିଆ, ଜିକ୍‌ସନ ସିଂହ, ଏନ୍‌. ନାଓରେମ୍‌, ରାହୁଲ କାନୋଲି ପ୍ରବୀଣ ଓ ମହମ୍ମଦ ଶାହାଜାହାନ୍‌; (ଫରୱାର୍ଡ) ରହିମ୍‌ ଅଲୀ ଓ ଅନିକେତ ଯାଦବ । ଭାରତର ଲିଗ୍‌ ମ୍ୟାଚ୍‌ ଅକ୍ଟୋବର ୬: ବନାମ ଆମେରିକା- ଦିଲ୍ଲୀ ଅକ୍ଟୋବର ୯: ବନାମ କଲମ୍ବିଆ- ଦିଲ୍ଲୀ ଅକ୍ଟୋବର ୧୨: ବନାମ ଘାନା- ଦିଲ୍ଲୀ