ଓଡିଆନ୍ ନ୍ୟୁଜ

101

ମହାତ୍ମା ଗାନ୍ଧୀଙ୍କ ହତ୍ୟା ଘଟଣାର ପୁନଃ ଯାଞ୍ଚ ହେବ !

Team Odian News |

ମହାତ୍ମା ଗାନ୍ଧୀଙ୍କ ହତ୍ୟା ଘଟଣାର ପୁନଃ ଯାଞ୍ଚ ହେବ !
ନୂଆଦିଲ୍ଲୀ,୬/୧୦( ଓଡ଼ିଆନ୍ ନ୍ୟୁଜ୍ ଟିମ୍):ନୂଆଦିଲ୍ଲୀ : ମହାତ୍ମା ଗାନ୍ଧୀଙ୍କ ହତ୍ୟା ଘଟଣାର ପୁନଃ ଯାଞ୍ଚ ହେବା ନେଇ ସୁପ୍ରିମକୋର୍ଟରେ ଯାଚିକା ଦାୟର କରାଯାଇଛି । ଶୁକ୍ରବାର ଏହାର ଶୁଣାଣି ହୋଇଥିବା ବେଳେ ଅକ୍ଟୋବର ୩୦ ତାରିଖରେ ପରବର୍ତ୍ତୀ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ଧାର୍ୟ୍ୟ କରିଛନ୍ତି । ସେଥିପାଇଁ ବରିଷ୍ଠ ଓକିଲ ତଥା ପୂୂର୍ବତନ ଏଏସଜି ଅମରେନ୍ଦ୍ର ଶରଣଙ୍କୁ ଆମିକସ୍‌ କ୍ୟୁରି ଭାବେ ନିଯୁକ୍ତି ଦିଆଯାଇଛି । ତେବେ ତା ପୂର୍ବରୁ ସୁପ୍ରିମକୋର୍ଟ ଜାଣିବା ପାଇଁ ଚାହିଁଛନ୍ତି ଯେ,ଏହି ହତ୍ୟା ଘଟଣାରେ କଣ ପର୍ୟ୍ୟାପ୍ତ ପ୍ରମାଣ ରହିଛି କି, ଯାହାକୁ ଆଧାର କରି ପୁନଃ ଯାଞ୍ଚ କରାଯାଇପାରିବ । ଏହି ଘଟଣାର ଯାଚିକାକର୍ତ୍ତାଙ୍କୁ ସୁପ୍ରିମକୋର୍ଟ ପଚାରିଛନ୍ତି ଯେ,ଏହି ଘଟଣାରେ ଦୁଇ ଜଣଙ୍କୁ ଫାଶି ଦିଆଯାଇଛି । ଏହାଛଡା ଯାଞ୍ଚ ପାଇଁ ଅଧିକ ପ୍ରମାଣ କୋଉଠି ମିଳିବ ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ତେବେ ଏହି ଘଟଣା ପାଇଁ କୌଣସି ସଂଗଠନକୁ ଦାୟୀ କରାଯାଇ ପାରିବ ନାହିଁ ବରଂ କେହି ବଞ୍ଚିଥିଲେ ତା ସମ୍ପର୍କରେ ସୂଚନା ଦେବାକୁ କହିଛନ୍ତି ସୁପ୍ରିମକୋର୍ଟ । ସୂଚନାଯୋଗ୍ୟ,ଯାଚିକାକର୍ତ୍ତା ପଙ୍କଜ ଫଡନୱିସ କହିଛନ୍ତି ଗାନ୍ଧୀଜୀଙ୍କ ହତ୍ୟା ଘଟଣାରେ ଏକ ଅନ୍ୟ ସଂଗଠନର ସମ୍ପୃକ୍ତି ଥିଲା ଏବଂ ସୁପ୍ରିମକୋର୍ଟ ଏହାର ଯାଞ୍ଚ କରିବା ଆବଶ୍ୟକ । ଏହା ପୂର୍ବରୁ ମଧ୍ୟ ୧୯୪୯ରେ ପ୍ରିଭ୍ୟୁ କାଉନସିଲ ଏହି ଘଟଣାର ଯାଞ୍ଚ କରିବା ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ । ସୁପ୍ରିମକୋର୍ଟରେ ହୋଇଥିବା ଯାଚିକା ମୁତାବକ ଗାନ୍ଧୀଜୀଙ୍କ ଉପରକୁ ତିନୋଟି ଗୁଳି ଚଳାଯାଇଥିଲା ବୋଲି ସେହି ସମୟରେ ପୁଲିସ ରିପୋର୍ଟରେ ଉଲ୍ଲେଖ ରହିଛି । ତେବେ ଗାନ୍ଧୀଜୀଙ୍କ ଉପରକୁ ଯଦି ୪ଟି ଗୁଳି ଚଳା ଯାଇଥିଲା ତେବେ ତାହା ନାଥୁରାମ ଗଡସେଙ୍କ ବ୍ୟତୀତ କିଏ ଚଳାଇଥିଲା ତାହା ତଦନ୍ତ ସାପେକ୍ଷ ବୋଲି ମଧ୍ୟ ଯାଚିକାରେ କୁହାଯାଇଛି । ଏହି ଘଟଣାରେ ଅଭିଯୁକ୍ତଙ୍କୁ ୧୯୪୯,ନଭେମ୍ବର ୧୫ ତାରିଖରେ ଫାଶି ଦିଆଯାଇଥିଲା । ତେବେ ଅନ୍ୟତମ ଅଭିଯୁକ୍ତ ବିନାୟକ ଦାମୋଦର ସଭରକରଙ୍କୁ ଉପଯୁକ୍ତ ପ୍ରମାଣ ଅଭାବର ସୁଫଳ ମିଳିଥିଲା । ୧୯୬୬ରେ ଗଠିତ ନ୍ୟାୟମୂର୍ତ୍ତି ଜେ.ଏଲ.କପୁର ଯାଞ୍ଚ ଆୟୋଗ ଗାନ୍ଧୀଜୀଙ୍କ ଘଟଣା ସଠିକ ଯାଞ୍ଚ କରିବାରେ ବିଫଳ ହୋଇଥିଲେ ବୋଲି ଯାଚିକାକର୍ତ୍ତା ପଙ୍କଜ ଫଡନୱିସ ଆବେଦନରେ ଉଲ୍ଲେଖ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ,୧୯୪୮ ଜାନୁଆରୀ ୩୦ ତାରିଖରେ ଗାନ୍ଧୀଜୀଙ୍କ ଉପରକୁ ୪ଟି ଗୁଳି ଚଳା ଯାଇଥିଲା । ଏହି ଘଟଣା ପରେ ନାଥୁରାମ ଗଡସେ ପାଖରୁ ମିଳିଥିବା ବନ୍ଧୁକକୁ ପୁଲିସ ଯାଞ୍ଚ କରିବା ପରେ ସେଥିରେ ୪ଟି ଗୁଳି ଅକ୍ଷତ ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ । ସେହି ବନ୍ଧୁକରେ ୭ଟି ଗୁଳି ରହିବା ପାଇଁ ଜାଗା ଥିଲା ଏବଂ ସେହି ବନ୍ଧୁକରୁ ୪ ଗୁଳି ଅକ୍ଷତ ଅବସ୍ଥାରେ ମିଳିବା ପରେ ସେଥିରୁ ୩ଟି ଗୁଳି ଚଳାଯାଇଥିଲା ବୋଲି ଫଡନୱିସଙ୍କ ଆବେଦନରେ ଉଲ୍ଲେଖ ରହିଛି । ଏଭଳି ସ୍ଥିତିରେ ନାଥୁରାମ ଗଡସେ ତିନୋଟି ଏବଂ ଚତୁର୍ଥ ଗୁଳି ଅନ୍ୟ ଜଣେ ବ୍ୟକ୍ତି ଚଳାଇଥିଲେ ବୋଲି ସ୍ପଷ୍ଟ ହେଉଛି ବୋଲି ମଧ୍ୟ ସେ ଆବେଦନରେ କହିଛନ୍ତି । ଗାନ୍ଧୀଜୀଙ୍କ ହତ୍ୟା ଘଟଣା ଏକ ବଡ ଷଡଯନ୍ତ୍ର ଥିଲା ଏବଂ ଏକ ସ୍ୱତନ୍ତ୍ର ଯାଞ୍ଚ ଆୟୋଗ ଗଠନ କରି ଏହାର ସତ୍ୟାସତ୍ୟ ବାହାର କରିବାକୁ ଯାଚିକାରେ ନିବେଦନ କରାଯାଇଛି ।