ଓଡିଆନ୍ ନ୍ୟୁଜ

30

ଆଶିଷ ଗଡ଼ନାୟକ, ସ୍ବାଗତିକା ସ୍ବାଇଁ ପାଇବେ ‘ଟାଇମ୍‌ପାସ୍‌ ବୁକର୍‌ ପୁରସ୍କାର’.

Team Odian News |

ଭୁବନେଶ୍ୱର: ଯୁବଲେଖକମାନଙ୍କୁ ଉତ୍ସାହିତ କରିବା ପାଇଁ ଓଡ଼ିଶାର ଉଚ୍ଚାଭିଳାଷୀ ପ୍ରକାଶନ ସଂସ୍ଥା ‘ଟାଇମ୍‌ପାସ‍୍‌’ ପକ୍ଷରୁ ‘ଟାଇମ୍‌ପାସ‍୍‌ ବୁକର’ ପୁରସ୍କାରର ବିଜେତାଙ୍କ ନାମ ଘୋଷଣା କରାଯାଇଛି।ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଏ। ଗଳ୍ପ ପାଣ୍ଡୁଲିପି ‘କ୍ରୁଶ’ ପାଇଁ କଥାକାର ଆଶିଷ ଗଡ଼ନାୟକ ୨୦୧୮ ମସିହାର ଟାଇମ୍‌ପାସ‍୍‌ ବୁକର ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ସେହିପରି ଉପନ୍ୟାସ ପାଣ୍ଡୁଲିପି ‘ସ୍ୱପ୍ନର ଶହେ ବର୍ଷ’ ପାଇଁ ଗାଳ୍ପିକା ସ୍ୱାଗତିକା ସ୍ୱାଇଁ ୨୦୧୯ ମସିହାର ଟାଇମ୍‌ପାସ‍୍‌ ବୁକର ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଏ।

ଉଭୟଙ୍କ ପୁରସ୍କୃତ ପାଣ୍ଡୁଲିପି ପ୍ରକାଶନ ପକ୍ଷରୁ ପୁସ୍ତକ ଆକାରରେ ପ୍ରକାଶିତ ହେବା ସହ ଉଭୟଙ୍କୁ ମାନପତ୍ର ଓ ଫଳକ ପ୍ରଦାନ କରାଯାଇ ସମ୍ମାନିତ କରାଯିବ। ଏଥିସହିତ ଛଅ ଜଣଙ୍କୁ ଟାଇମ୍‌ପାସ‍୍‌ ବେଷ୍ଟ୍‌ ସେଲର୍‌ ପୁରସ୍କାର ପ୍ରଦାନ କରାଯିବାକୁ ସ୍ଥିର ହୋଇଛି।ଗଳ୍ପ ସଂକଳନ ‘କାଠ’ ପାଇଁ ଅମୀୟ ବେଜ୍‌ ଓ ‘ମୁଠାଏ ଅଙ୍ଗାର’ ପାଇଁ ବିଚିତ୍ର ବିଶ୍ୱାଳ, କବିତା ସଂକଳନ ‘ଝଡ଼ପକ୍ଷୀର ଗୀତ’ ପାଇଁ ଶର୍ମିଷ୍ଠା ସାହୁ ଓ ‘ଏ ସଂପର୍କ ଏମିତି’ ପାଇଁ ସୂର୍ଯ୍ୟସ୍ନାତ ତ୍ରିପାଠୀ, ଉପନ୍ୟାସ ‘ଅପରାଜିତା’ ପାଇଁ ପ୍ରଜ୍ଞାପ୍ରବର୍ତ୍ତିକା ଦାଶ ଏବଂ ଅନୁବାଦ ପୁସ୍ତକ ‘ସେମାନଙ୍କ ଶ୍ରେଷ୍ଠଗଳ୍ପ’ ପାଇଁ କିଶୋର ପାଣିଗ୍ରାହୀ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଆଗାମୀ ଅକ୍ଟୋବର ୨୦ ତାରିଖରେ ଟାଇମ୍‌ପାସ‍୍‌ ପକ୍ଷରୁ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଏକ ସାହିତ୍ୟ ଉତ୍ସବରେ ପ୍ରତିଭାମାନଙ୍କୁ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଓଡ଼ିଶା ତଥା ରାଜ୍ୟ ବାହାରର ବହୁ ପ୍ରସିଦ୍ଧ ଲେଖକମାନେ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ଅନୁଷ୍ଠାନର ନିଦ୍ଦେର୍ଶକ ସରୋଜ ବଳ ଏକ ପ୍ରେସ‍୍‌ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।