ଓଡିଆନ୍ ନ୍ୟୁଜ

209

ମଣିକୁଣ୍ଡା ଗୁଳିକାଣ୍ଡ ମାମଲାର ପର୍ଦ୍ଦାଫାଶ

Team Odian News |

କେନ୍ଦ୍ରାପଡ଼ା – ଗତ ୧୮ ତାରିଖରେ କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ମଣିକୁଣ୍ଡା ଗ୍ରାମରେ ଗତ  ଗୁଳିକାଣ୍ଡ ଘଟି ଯୁବ ଔଷଧ ବ୍ୟବସାୟୀ ଗଗନବିହାରୀ ସାହୁ(୨୮)ଙ୍କ ମୃତ୍ୟୁ ଘଟିଥିଲା। ଶନିବାର ଏହି ଘଟଣାର ପର୍ଦ୍ଦାଫାଶ କରିଛି କେନ୍ଦ୍ରାପଡ଼ା ପୋଲିସ। ଏସ୍‌ପି ନୀତିଶେଖର କାର୍ଯ୍ୟାଳୟ ପରିସରରେ ଏକ ଖବରଦାତା ସମ୍ମିଳନୀ ଆୟୋଜନ କରି ଏହି ସୂଚନା ଦେଇଛନ୍ତି। ବେଆଇନ ମଦ କାରବାରରେ ଭାଗୀଦାରିତା ଓ ଗଣେଶ ଭସାଣି ସମୟରେ ହୋଇଥିବା ଗଣ୍ଡଗୋଳକୁ ନେଇ ଗଗନଙ୍କୁ ହତ୍ୟା କରାଯାଇଛି ବୋଲି ସେ କହିଛନ୍ତି। ଏହି ମାମଲାରେ ମଣିକୁଣ୍ଡା ଗ୍ରାମର ସାୟନ କୁମାର ଜେନା (୨୪), ରଶ୍ମିରଞ୍ଜନ ସ୍ବାଇଁ ଓରଫ ରିଣ୍ଟନ (୩୬), କ୍ଷୀରୋଦ ଚନ୍ଦ୍ର ସ୍ବାଇଁ (୬୭), ମାଣିତିରି ଗ୍ରାମର ରମେଶ ଚନ୍ଦ୍ର ସ୍ବାଇଁ (୩୬) ଓ ଜଣେ ନାବାଳକଙ୍କୁ ଗିରଫ କରାଯାଇଛି। ଅପରପକ୍ଷେ ମୁଖ୍ୟ ଅଭିଯୁକ୍ତ ମଣିକୁଣ୍ଡା ଗ୍ରାମର ଅନନ୍ତ ପ୍ରସାଦ ଜେନା ଓରଫ ଭେଲୁଙ୍କ ସମେତ ୩ ଜଣ ଫେରାର ରହିଛନ୍ତି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

ଏ ସମ୍ପର୍କରେ ଏସ୍‌ପି କହିଛନ୍ତି, ପାଟକୁରା ଥାନା ଅନ୍ତର୍ଗତ ଜୋକିଆ ଗ୍ରାମର ଉତ୍କଳ କେଶରୀ ଖୁଣ୍ଟିଆଙ୍କଠାରୁ ଭେଲୁ ବେଆଇନ ମଦ ବେପାର ପାଇଁ ୩ ଲକ୍ଷ ଟଙ୍କା କରଜ ଆଣିଥିଲେ । ଏଥିରେ ମୃତକ ଗଗନ ଓ ବଛରାଇର ରାଜେଶ ମୁଦୁଲି ଓରଫ ରାଜା ଗ୍ୟାରେଣ୍ଟର ଥିଲେ । ଏହି ବେଆଇନ ମଦ ବ୍ୟବସାୟରେ ଭାଗୀଦାରିତା ପାଇଁ ଭେଲୁଙ୍କୁ ଗଗନ କହିଥିଲେ । ଏନେଇ ଦୁହିଁଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ମାତ୍ର ଭେଲୁଙ୍କ ଭୟରେ ଗଗନ ଗ୍ରାମ ଛାଡି ବାହାରକୁ ଚାଲିଯାଇଥିଲେ। ପରେ ଗଣେଶ ପୂଜା ସମୟରେ ସେ ଘରକୁ ଫେରି ଭସାଣିର ନେତୃତ୍ୱ ନେଇଥିଲେ। ଏହି ସମୟରେ ଗ୍ରାମର ୨ ସାହି (ସିଂହସାହି ଓ ବାରିକସାହି) ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ସେତେବେଳେ ଗଗନ ଅଭିଯୁକ୍ତ ରିଣ୍ଟନଙ୍କ ବାପା ବୀରଙ୍କୁ ଗାଳିଗୁଲଜ କରିଥିଲେ। ରିଣ୍ଟନ ଏଥିରେ ଉତ୍ତେଜିତ ହୋଇ ଭେଲୁ ସହ ମିଶି ତାଙ୍କୁ ଜୀବନରୁ ମାରିଦେବା ପାଇଁ ଯୋଜନା କରିଥିଲେ ବୋଲି ଏସ୍‌ପି କହିଛନ୍ତି। ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଅନୁସନ୍ଧାନ ଜାରି ରହିଛି ବୋଲି ସେ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ସମ୍ମିଳନୀରେ ଏଏସ୍‌ପି ଗାଗାରିନ ମହାନ୍ତି, କେନ୍ଦ୍ରାପଡ଼ା ଏସଡିପିଓ ରାଜୀବଲୋଚନ ପଣ୍ଡା ଓ ମାର୍ଶାଘାଇ ଥାନା ଅଧିକାରୀ କାଳନ୍ଦୀ ବେହେରା ପ୍ରମୁଖ ଯୋଗଦେଇଥିଲେ