ଓଡିଆନ୍ ନ୍ୟୁଜ

263

ଆମେରିକାରେ ‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା ଓ ସଂସ୍କୃତିର ଝଲକ

Team Odian News |

ହ୍ୟୁଷ୍ଟନ୍‌: ଭାରତ-ଆମେରିକା ବନ୍ଧୁତ୍ୱରେ ସବୁଠାରୁ ବଡ଼ କାର୍ଯ୍ୟକ୍ରମ କୁହାଯାଉଥିବା ‘ହାଓଡି ମୋଦି’ରେ ଓଡ଼ିଆ ଭାଷା ଓ ସଂସ୍କୃତିର ଝଲକ ଦେବାକୁ ମିଳିଛି।ଆମେରିକାର ହଷ୍ଟନ ସହରରେ ଆଜି ଅନୁଷ୍ଠିତ ଐତିହାସିକ ‘ହାଓଡି ମୋଦୀ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭୂତପୂର୍ବ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏନ୍‌ଆର୍‌ଜି ଷ୍ଟାଡିୟମରେ ୫୦ ହଜାରରୁ ଅଧିକ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀ ଉଦ୍‌ବୋଧନ ଦେଇଥିଲେ। ଏହି ଅବସରରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଏବଂ ଅନେକ ସାଂସଦ ମଧ୍ୟ ଉପସ୍ଥିତ ଥିଲେ। ବିଦେଶର କୌଣସି ନିର୍ବାଚିତ ରାଜନେତାଙ୍କ ପକ୍ଷରୁ ଆମେରିକା ମାଟିରେ‌ ଏଭଳି ଶକ୍ତି ପ୍ରଦର୍ଶନ କେବେ ଦେଖିବାକୁ ମିଳିନଥିଲା। ଭାରତରେ ‘ବିଭିନ୍ନତା ମଧ୍ୟରେ ଏକତା’ କେମିତି ଅକ୍ଷୁଣ୍ଣ ରହିଛି ତାହା ‌ମୋଦୀ ଏହି ଅବସରରେ ଦେଖାଇ ଦେଇଥିଲେ। ପ୍ରବାସୀ ଭାରତୀୟଙ୍କୁ ଉଦ୍‌ବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଆରେ ପଦେ କହିଥିଲେ। ‘ହାଓଡି ମୋଦି’ ଉତ୍ତରରେ ମୋଦି ଓଡ଼ିଆରେ କହିଥିଲେ , ଭାରତରେ ‘ସବୁ ଭଲ ଅଛି’। କେବଳ ଓଡ଼ିଆ ନୁହେଁ, ହିନ୍ଦୀ, ବଙ୍ଗାଳି, ଗୁଜରାଟୀ ସମେତ ବହୁ ଭାରତୀୟ ଭାଷାରେ ସମାନ କଥାକୁ ମୋଦି ଦୋହରାଇଥିଲେ।ଏହି କାର୍ଯ୍ୟକ୍ରମରେ ସବୁଠାରୁ ବଡ଼ ଆକର୍ଷଣ ଥିଲା ଓଡ଼ିଶାର ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀ ନୃତ୍ୟ। ଭାରତନାଟ୍ୟମ୍ ଏବଂ ଅନ୍ୟ ଭାରତୀୟ ସହିତ ଏହି ନୃତ୍ୟ ମଧ୍ୟ ବିଶେଷ ସାଂସ୍କୃତିକ କାର୍ଯ୍ୟକ୍ରମରେ ସ୍ଥାନ ପାଇଥିଲା।  ଭାରତୀୟ ମନ୍ଦିର ଏହି ନୃତ୍ୟଶିଳ୍ପୀମାନଙ୍କ ପ୍ରଚ୍ଛଦରେ ରହିଥିଲା। ନୃତ୍ୟଶିଳ୍ପୀଙ୍କ ଦ୍ୱାରା ପରିବେଷିତ ଓଡ଼ିଶୀ ନୃତ୍ୟ ଦେଖି ପ୍ରବାସୀ ଭାରତୀୟ ବିମୁଗ୍ଧ ହୋଇଥିଲେ। ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରାୟ ୪ଶହ କଳାକାର ଭାଗ ନେଇଥିଲେ।