ଓଡିଆନ୍ ନ୍ୟୁଜ

59

୫୦୦ରୁ ଅଧିକ ଆତଙ୍କବାଦୀଙ୍କ ଆକ୍ରମଣ ଯୋଜନା

Team Odian News |

ନୂଆଦିଲ୍ଲୀ: ଆଗକୁ ପାର୍ବଣ ଋତୁ ଆସୁଥିବା ବେଳେ ଭାରତରେ ଭୟଙ୍କର ହମ୍‌ଲା କରିବାକୁ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀମାନେ ଅଣ୍ଟା ଭିଡ଼ିଛନ୍ତି। ଭାରତ ଓ ପାକିସ୍ତାନ ସୀମାନ୍ତରେ ପ୍ରାୟ ୫୦୦ରୁ ଅଧିକ ତାଲିମ ପ୍ରାପ୍ତ ଆତଙ୍କବାଦୀ ଅନୁପ୍ରେବଶ ଅପେକ୍ଷାରେ ରହିଛନ୍ତି। ଭାରତରେ ଏଯାଏ ଯେତେ ସବୁ ଆତଙ୍କୀ ହମ୍‌ଲା ହୋଇଛି, ତା’ଠାରୁ ବଡ଼ ଧରଣର ହିଂସା ଘଟାଇବାକୁ ଏହି ଆତଙ୍କବାଦୀମାନେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି।ଏହି ଖବର ମିଳିବା ପରେ ସେନାକୁ ସବୁ ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ସେନା ନିଜ ଇଚ୍ଛା ଅନୁସାରେ ସ୍ଥାନ, ସମୟ ଓ ଶୈଳୀ ଆପଣାଇ ପାରିବ ବୋଲି ସରକାରୀ ସ୍ତରରେ ଅନୁମୋଦନ ମିଳିଥିବା ଜଣାପଡ଼ିଛି। ଏଥିପାଇଁ ଏଲଓସିରେ ହାଇଆଲର୍ଟ ଜାରି କରାଯାଇଛି। ସୁରକ୍ଷାକର୍ମୀଙ୍କୁ ପାକିସ୍ତାନ ସହ ଲାଗିଥିବା ସମସ୍ତ ସୀମା ଉପରେ ତୀକ୍ଷ୍ଣ ନଜର ରଖିବାକୁ କୁହାଯାଇଛି।ଆଜି ସକାଳେ ସ୍ଥଳସେନା ମୁଖ୍ୟ ଜେନେରା ବିପିନ ରାୱତ ମଧ୍ୟ ବାଲାକୋଟ୍‌ରେ ପୁଣିଥରେ ପାକିସ୍ତାନ ସହାୟତାରେ ଟେରର କ୍ୟାମ୍ପ ସକ୍ରିୟ ହୋଇଥିବା କଥା କହିଥିଲେ। ଫେବୃଆରୀ ୨୬ରେ ଏହି ବାଲାକୋଟରେ ଥିବା ଜୈଶର ଆତଙ୍କୀ କ୍ୟାମ୍ପ ଉପରେ ଭାରତୀୟ ବାୟୁସେନା ଏୟାର ଷ୍ଟ୍ରାଇକ କରିଥିଲା। ଏହାପରେ ଏହି ଆଡ୍ଡା ଛିନଛତର ହୋଇଯାଇଥିଲା। କିନ୍ତୁ ଏବେ ସେଠାରେ ପୁଣିଥରେ ଆତଙ୍କୀ କ୍ୟାମ୍ପ ଆରମ୍ଭ ହୋଇଛି ବୋଲି ଜେନେରାଲ ରାୱତ ସୂଚନା ଦେଇଥିଲେ।

ସେ ଆହୁରି କହିଥିଲେ, ଏଲଓସି ନିକଟରେ ଦିନକୁ ଦିନ ଆତଙ୍କୀ ଲଞ୍ଚ ପ୍ୟାଡ୍‌ ସଂଖ୍ୟା ବଢ଼ିବାରେ ଲାଗିଛି। ଭାରତରେ ଅନୁପ୍ରବେଶ ପାଇଁ ୫୦୦ରୁ ଅଧିକ ଆତଙ୍କୀ ଅପେକ୍ଷା କରି ରହିଛନ୍ତି। ହେଲେ ସେନା ଏହାର ମୁକାବିଲା ପାଇଁ ପ୍ରସ୍ତୁତ ଥିବା ସେ କହିଥିଲେ।ଜେନେରାଲ ରାୱତଙ୍କ ଏହି ସୂଚନା ପରେ ସେନାକୁ ନିଜ ଇଚ୍ଛା ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଥିବା ଜଣାପଡ଼ିଛି। ସୂତ୍ର ଅନୁସାରେ, ୪ ଦିନ ପୂର୍ବରୁ ହିଁ ବାଲାକୋଟରେ ପୁଣିଥରେ ଆତଙ୍କୀ କ୍ୟାମ୍ପ ଆରମ୍ଭ ହୋଇଛି। ଏଠାରେ ଆତଙ୍କୀମାନଙ୍କୁ ଭାରତରେ ହମ୍‌ଲା କରିବାକୁ ସ୍ୱତନ୍ତ୍ର ଭାବେ ତାଲିମ ଦିଆଯାଉଛି। ତେବେ ଆତଙ୍କବାଦୀଙ୍କୁ ମୁକାବିଲା ପାଇଁ ଭାରତୀୟ ସେନା ସ୍ୱତନ୍ତ୍ର ଯୋଜନା ଏବେଠାରୁ ପ୍ରସ୍ତୁତ କରି ସାରିଛି।ସମସ୍ତ କ୍ରପ୍ସର ସେନା କମାଣ୍ଡୋମାନଙ୍କୁ ନିଜ ଇଚ୍ଛା ଅନୁସାରେ ସମୟ, ସ୍ଥାନ ଓ ଶୈଳୀ ଆପଣାଇ ଆତଙ୍କବାଦୀଙ୍କ ମୁକାବିଲା ଓ ନିପାତ କରିବାକୁ କୁହାଯାଇଛି। ଗତ ୨ ମାସ ମଧ୍ୟରେ ୬୦ରୁ ଅଧିକ ଆତଙ୍କବାଦୀ ଏଲଓସି ଓ ଅନ୍ତର୍ଜାତୀୟ ସୀମା ଡେଇଁ ଭାରତରେ ଅନୁପ୍ରବେଶ କରିଛନ୍ତି। ଏବେ ଏଲଏସି ନିକଟରେ ୪ରୁ ୫ଟି ଆତଙ୍କୀ ଲଞ୍ଚ ପ୍ୟାଡ୍‌ ନିର୍ମାଣ କରାଯାଇଛି। ଏହି ଲଞ୍ଚ ପ୍ୟାଡ୍‌ ଦ୍ୱାରା ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବାକୁ ଯୋଜନା ହୋଇଛି।