ଓଡିଆନ୍ ନ୍ୟୁଜ

45

ଭାରତ ବିରୋଧରେ ନୂଆ ଷଡଯନ୍ତ୍ର କରୁଛି ଆତଙ୍କବାଦୀ ସଙ୍ଗଠନ ଜୈସ୍‌-ଇ-ମହମ୍ମଦ

Team Odian News |

ନୂଆଦିଲ୍ଲୀ:  ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ଜୈସ୍‌-ଇ-ମହମ୍ମଦ ଏବେ ଭାରତ ବିରୋଧରେ ନୂଆ ଷଡଯନ୍ତ୍ର କରୁଛି। ଗୁଇନ୍ଦା ବିଭାଗ ପକ୍ଷରୁ ପ୍ରକାଶ, ସମ୍ଭବତଃ ଜୈସ୍‌-ଇ-ମହମ୍ମଦ ନିଜର ନାମ ବଦଳାଇ ମଜଲିସ୍‌-ବୁରାସା-ଇ ସାହୁଦା ଜମ୍ମୁକଶ୍ମୀର କରି ଦେଇଛି। ସଙ୍ଗଠନ ଅନ୍ତରାଷ୍ଟ୍ରୀୟ ଚାପ ପ୍ରଭାବରେ ଏହି ପଦକ୍ଷେପ ନେଇଛି ବୋଲି କୁହାଯାଉଛି। ଭାରତର ଆତଙ୍କବାଦ-ନିୟନ୍ତ୍ରକ ଏଜେନ୍ସି ପକ୍ଷରୁ ଏହି ସୂଚନା ମିଳିଛି। ଅନ୍ତର୍ଜାତୀୟ କଟକଣା ପରେ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରଖିବା ଲାଗି ଜୈସ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।ପୂର୍ବରୁ ଜୈଶର ମୁଖ୍ୟ ଭାବେ ମାସୁଦ ଆଝାର କାମ କରୁଥିଲା। ହେଲେ ନୂଆ ସଂଗଠନର ଦାୟିତ୍ୱ ତା’ର ଭାଇ ମୁଫତି ଅବଦୁଲ ରୌଫ ଅସଗର ନେଇଛି। ଭାରତରେ ବଡ଼ ଧରଣର ଆତ୍ମଘାତୀ ହମ୍‌ଲା କରିବାକୁ ଏହି ସଂଗଠନ ୩୦ ଜଣ ଆତଙ୍କବାଦୀଙ୍କୁ ସ୍ୱତନ୍ତ୍ର ଭାବେ ତାଲିମ ଦେଉଛି। ପୂର୍ବଭଳି ମଜଲିସ୍‌ ଉରେସା-ଇ-ଶୁହୁଦା ଜମ୍ମୁ ୱା କଶ୍ମୀର ଆତଙ୍କୀ ସଂଗଠନ ପାକିସ୍ତାନରେ ହିଁ ନିଜର କାୟା ବିସ୍ତାର କରୁଛି|

ଜୈଶ ମୁଖ୍ୟ ମାସୁଦ ଆଝାର ବିଶ୍ୱସ୍ତରୀୟ ଆତଙ୍କୀ ଘୋଷଣା ହୋଇଛି। ଏବେ ସେ ବାହାବଲପୁରରେ ଥିବା ମରକାଜ ଉସମାନ ଓ ଅଲୀରେ ଚିକିତ୍ସିତ ହେଉଛି। ଜୈଶର ନାଁ ବଦଳିଥିଲେ ହେଁ ସଂଗଠନରେ ପୂର୍ବ ସଦସ୍ୟମାନେ ରହିଛନ୍ତି ଏବଂ ସେମାନେ ଭାରତ ବିରୋଧରେ ହିଁ ହମ୍‌ଲା କରିବାକୁ ଯୋଜନା କରୁଛନ୍ତି। ଜୈଶ ଏକ ଆତଙ୍କୀ ସଂଗଠନ। ହେଲେ ପାକିସ୍ତାନରେ ଏହା ଖୁଦାମ ଉଲ ଇସଲାମ ଓ ଅଲ ରେହମତ ଟ୍ରଷ୍ଟ ନାଁରେ ପରିଚିତ ଥିଲା। ଜୈଶର ନୂଆ ଅବତାର ମଜଲିସ୍‌ ଉରସା-ଇ-ଶୁହୁଦା ଜମ୍ମୁ ୱା କଶ୍ମୀରର ପତାକା ମଧ୍ୟ ପୂର୍ବଭଳି ରହିଛି। ତେବେ ଏଥିରେ ଅଲ ଜେହାଦ ବଦଳରେ ଅଲ ଇସଲାମ ଉଲ୍ଲେଖ ରହିଛି। ଏହି ମଜଲିସ୍‌ ଉରସା-ଇ-ଶୁହୁଦା ଜାମ୍ମୁ ୱା କଶ୍ମୀର ସଂଗଠନର ମୌଲାନା ଅବିଦ ମୁକ୍ତାର ଏବେ ଠାରୁ ହିଁ ଭାରତ, ଆମେରିକା ଓ ଇସ୍ରାଏଲ ବିରୋଧରେ ଜେହାଦ କରିବାକୁ ସଂଗଠନର ସଦସ୍ୟମାନଙ୍କୁ ଉସକାଇବା ଆରମ୍ଭ କରିଛି।

ଜୈଶ ପକ୍ଷରୁ ୩୦ ଜଣ ଆତଙ୍କବାଦୀଙ୍କୁ ଭାରତର ପ୍ରତିରକ୍ଷା ପ୍ରତିଷ୍ଠାନ ଉପରେ ଆତ୍ମଘାତୀ ହମ୍‌ଲା କରିବାକୁ ତାଲିମ ଦେଇଛି। କେବଳ ପ୍ରତିଷ୍ଠାନ ନୁହେଁ, ସୁରକ୍ଷାକର୍ମୀଙ୍କ କନଭୟ ମଧ୍ୟ ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛି। ବାଲାକୋଟ୍‌ରେ ମରକଜ ସୟଦ ଅହମ୍ମଦ ସହିଦ ଟ୍ରେନିଂ କ୍ୟାମ୍ପକୁ ଅସଗର ହିଁ ସକ୍ରିୟ କରିଛି। ଏଥିସହ ଅସଗର ବାହାବଲପୁର ଓ ସିଆଲକୋଟ୍‌ କ୍ୟାମ୍ପରେ ଅଧିକରୁ ଅଧିକ ସଂଖ୍ୟକ ସଦସ୍ୟ ସାମିଲ ହେବାକୁ ମଧ୍ୟ ଆହ୍ୱାନ ଦେଇଛି। ସେହିପରି ମରଦାନରେ ଥିବା କ୍ୱାଆତ ଉଲ ଇସଲାମ, ଅବୁ ହୁରାଇରା ଓ ଅଶବ ଉସ୍‌ ସାଫ ଭଳି ମଦ୍ରାସାରେ ପିଲାମାନଙ୍କୁ ମୌଳବାଦୀ ଚିନ୍ତାଧାରା ପ୍ରଭାବିତ କରିବାକୁ ମଧ୍ୟ କହିଛି।