ଓଡିଆନ୍ ନ୍ୟୁଜ

51

ଭୂମିକମ୍ପରେ ଛିନ୍‌ଛତ୍ର ପିଓକେ

Team Odian News |

ଇସ୍ଲାମାବାଦ : ପାକିସ୍ତାନ ଅଧିକୃତ କଶ୍ମୀର ଓ ପାକିସ୍ତାନର ଅନ୍ୟ କେତେକ ରାଜ୍ୟରେ ଆଜି ଆସିଥିବା ଭୂମିକମ୍ପ ଯୋଗୁଁ ପ୍ରବଳ କ୍ଷୟକ୍ଷତି ହୋଇଛି । ପାକିସ୍ତାନୀ ଗଣମାଧ୍ୟମ ସୁତ୍ରରୁ ଜଣାପଡିଛି ଯେ ଏହି ଭୂମିକମ୍ପ ଯୋଗୁଁ ୧୯ ଜଣ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି ଓ ୩୦୦ରୁ ଅଧିକ ଆହତ ହୋଇଛନ୍ତି ।ତେବେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ପାକ୍ ଅଧିକୃତ କାଶ୍ମୀର। ଭୂମିକମ୍ପ ପ୍ରଭାବରେ ପିଓକେରେ ବହୁ ଘର ଭାଙ୍ଗିବା ସହ ଅନେକ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି।

ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ପିଓକେର ମୀରପୁର ଅଞ୍ଚଳରେ ଅନେକ ସ୍ଥାନରେ ଜାତୀୟ ରାଜପଥରେ ବଡ଼ ବଡ଼ ଫାଟ ସୃଷ୍ଟି ହୋଇଛି। ଫଳରେ ଏହି ସମୟରେ ଜାତାୟତ କରୁଥିବା ଅନେକ ଗାଡ଼ି ଫାଟ ଭିତରେ ଫସି ଯାଇଛନ୍ତି, ବହୁ ଗାଡ଼ି ଓଲଟି ପଡ଼ିଥିବାର ଚିତ୍ର ସାମ୍ନାକୁ ଆସୁଛି।ପାଖାପାଖି ୨ କିଲୋମିଟର ବ୍ୟାପୀ ରାସ୍ତାରେ ବିସ୍ଫୋରଣ ଭଳି ଛିନ୍‌ଛତ୍ର ଚିତ୍ର ଦେଖିବାକୁ ମିଳୁଛି। ଶହ ଶହ ଲୋକେ ଏନ୍ଏଚ୍ ଉପରେ ଅଟକି ରହିଛନ୍ତି। ଝେଲମରୁ ମୀର୍‌ପୁର ଯାଇଥିବା ରାସ୍ତା ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ମୀର୍‌ପୁରର ମାଙ୍ଗଲା ଡ୍ୟାମ୍ କ୍ଷତିଗ୍ରସ୍ତ ହୋଇଥିବାରୁ ଏହାକୁ ପାକ୍ ସରକାର ସାମୟିକ ବନ୍ଦ କରିଦେଇଥିବା ସୂଚନା ମିଳୁଛି। ସିଆଲକୋଟ, ସରଗୋଧା, ମାନସେରା, ଚିତ୍ରାଲ, ମୁଲତାନ, ବାଜାପୁର, ସ୍ୱାତ୍, ସାହିୱାଲ ଅଞ୍ଚଳରେ ବି ବ୍ୟାପକ କ୍ଷୟକ୍ଷତିର ଖବର ପହଞ୍ଚୁଛି। ସ୍ଥିତିର ମୁକାବିଲା ପାଇଁ ପାକିସ୍ତାନ ପିଓକେରେ ଜରୁରୀକାଳୀନ ସ୍ଥିତି ଘୋଷଣା କରିଛି। କ୍ଷତିଗ୍ରସ୍ତ ଅଞ୍ଚଳକୁ ସେନା ସହ ମେଡିକାଲ ଟିମ୍ ପଠାଯାଇଥିବା ସୂଚନା ମିଳିଛି। ରାସ୍ତାଘାଟ ନଷ୍ଟ ହୋଇଯାଇଥିବାରୁ ଉଦ୍ଧାରକାରୀ ଦଳ ପହଞ୍ଚିବାରେ ସମସ୍ୟା ସୃଷ୍ଟି ହୋଇଛି। ମିଳିଥିବା ସୂଚନା ମୁତାବକ ପାକିସ୍ତାନ ରାଜଧାନୀ ଇସଲମାବାଦ୍‌ରୁ ୧୭୩ କିଲୋମିଟର୍ ଦୂର ଜାଟଲାନ୍ ହେଉଛି ଭୂକମ୍ପର କେନ୍ଦ୍ରସ୍ଥଳୀ । ତେବେ ଭୂକମ୍ପର ତୀବ୍ରତାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।

ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୂକମ୍ପର ତୀବ୍ରତା ୬.୩ ଥିବା କହୁଥିବା ବେଳେ ଆମେରିକା ପାଣିପାଗ ସଂସ୍ଥା ତୀବ୍ରତା ୬.୫ ଥିବା କହୁଛି। ହେଲେ ପାକିସ୍ତାନ ଗଣ ମାଧ୍ୟମରେ ଭୂକମ୍ପ ତୀବ୍ରତା ରିକ୍ଟର ସ୍କେଲରେ ୫.୮ ଥିବା କୁହାଯାଉଛି। ପିଓକେ ଭୀଷଣ କ୍ଷତିଗ୍ରସ୍ତ ହୋଇଥିବାରୁ ପାକିସ୍ତାନ ଜାଣି ଶୁଣି ତଥ୍ୟ ଲୁଚାଉଥିବା ସନ୍ଦେହ ହେଉଛି।