ଓଡିଆନ୍ ନ୍ୟୁଜ

140

ଫିଫା ୧୭ ବର୍ଷରୁ କମ୍‌ ଫୁଟ୍‌ବଲ ବିଶ୍ୱକପ୍‌ : ପ୍ରଥମ ମ୍ୟାଚ୍‌ରେ ହାରିଲା ଭାରତ

Team Odian News |

ଫିଫା ୧୭ ବର୍ଷରୁ କମ୍‌ ଫୁଟ୍‌ବଲ ବିଶ୍ୱକପ୍‌ : ପ୍ରଥମ ମ୍ୟାଚ୍‌ରେ ହାରିଲା ଭାରତ
ନୂଆଦିଲ୍ଲୀ,୭/୧୦( ଓଡ଼ିଆନ୍ ନ୍ୟୁଜ୍ ଟିମ୍): ବିଶ୍ୱକପ୍‌ ପଦାର୍ପଣରୁ ଶୁଭମ ଷଡ଼ଙ୍ଗୀ ବଞ୍ଚିତ ହୋଇଥିଲେ ମଧ୍ୟ ଫିଫା ବିଶ୍ୱକପରେ ଓଡ଼ିଆଙ୍କ ସମ୍ପୃକ୍ତି ଅତୁଟ ରହିଛି। ଭୁବନେଶ୍ୱରର ସ୍କୁଲ୍‌ ଫୁଟ୍‌ବଲର୍‌ ବବୁଲ ସାଣ୍ଡିଲ୍‌ ‘ମିଶନ୍‌ ୧୧ ମିଲିୟନ’ ଅଭିଯାନରେ ସାମିଲ ହୋଇ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ସମ୍ମାନିତ ହେବା ରାଜ୍ୟ ପାଇଁ ଖୁସୀର କାରଣ ହୋଇଛି। ଭୁବନେଶ୍ୱରରେ ଜୁଲାଇ ୨୨ ତାରିଖରେ ଅନୁଷ୍ଠିତ ମିଶନ୍‌ ୧୧ ମିଲିଅନ ଅଭିଯାନରେ ବବୁଲ୍‌ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ତେବେ ଦେଶବ୍ୟାପୀ ଚାଲିଥିବା ଏହି ଅଭିଯାନରେ ବବୁଲ୍‌ ଦ୍ୱିତୀୟ ମିଲିଅନ୍‌ ଦଳରୁ ମନୋନୀତ ହୋଇ ଶୁକ୍ରବାର ନୂଆଦିଲ୍ଲୀର ଜବାହରଲାଲ୍‌ ନେହେରୁ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଭାରତ-ଆମେରିକା ମ୍ୟାଚ୍‌ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ସମ୍ମାନସୂଚକ ‘ବିଶ୍ୱକପ୍‌ ବଲ୍‌’ ଗ୍ରହଣ କରିଥିଲେ। ମୋଟ ୧୧ ଜଣ ଏହି ସୁଯୋଗ ପାଇଥିବାବେଳେ ବବୁଲ୍‌ ଏକମାତ୍ର ଓଡ଼ିଆ ଭାବେ ରାଜ୍ୟର ଗୌରବ ବଢ଼ାଇଥିଲେ। ଭୁବନେଶ୍ୱର ଆଇଆରସି ଭିଲେଜ୍‌ ବାଳକ ହାଇସ୍କୁଲ୍‌ର ଦଶମ ଶ୍ରେଣୀ ଛାତ୍ର ବବୁଲ୍‌ ଏବେ ଉପକୂଳ ଆଦିବାସୀ ସମ୍ପ୍ରଦାୟ ପାଇଁ ପ୍ରେରଣାର ଉତ୍ସ ହେବାକୁ ଯାଉଛନ୍ତି। ବିଭିନ୍ନ ରାଜ୍ୟସ୍ତରୀୟ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ସେ ନିଜ ସ୍କୁଲ୍‌ର ସୁନାମ ଆଣି ସାରିଥିଲେ।
ଯାଜପୁର ଜିଲ୍ଳାରୁ ଆସିଥିବା ଲକ୍ଷ୍ମଣ ସାନ୍ଦିଲ୍‌ ଓ ଗୀତା ସାନ୍ଦିଲଙ୍କ ୪ ସନ୍ତାନ ମଧ୍ୟରୁ ବବୁଲ୍‌ ଅନ୍ୟତମ। କାମ ସନ୍ଧାନରେ ଲକ୍ଷ୍ମଣଙ୍କ ପରିବାର ଭୁବନେଶ୍ୱର ଚାଲି ଆସିଥିବାବେଳେ ବବୁଲ ଏବ ବଡ଼ ପାଦ ବଢ଼ାଇଛନ୍ତି ଖେଳ ଦୁନିଆରେ ପ୍ରବେଶ କରି। ଆର୍ଥିକ ଅନଟନ ଓ ସଙ୍କଟ ଭିତରେ ନିଜକୁ ଦୌଡ଼କୁଦ, ଫୁଟ୍‌ବଲ୍‌ ଏବଂ କବାଡ଼ି ଦୁନିଆରେ ବବୁଲ୍‌ ସାମିଲ କରିଥିଲେ। ପାଠ ପଢ଼ାରେ ମଧ୍ୟ ବବୁଲ୍‌ ଏତେ ଖରାପ ନୁହନ୍ତି। ଏହି ଚମତ୍କାର କ୍ରୀଡ଼ା ପ୍ରତିଭା ଏବେ ଫୁଟିବା ଅପେକ୍ଷାରେ ଅଛନ୍ତି। ବବୁଲଙ୍କ ସହିତ ତାଙ୍କ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଅଶୋକ ପାତ୍ର ମଧ୍ୟ ନୂଆଦିଲ୍ଲୀ ଗସ୍ତ କରି ଏହି ସ୍ମରଣୀୟ ମୁହୂର୍ତର ଅଂଶୀଦାର ହୋଇଥିଲେ। ପ୍ରଥମଥର ୧୭ ବର୍ଷରୁ କମ୍‌ ଫୁଟ୍‌ବଲ ବିଶ୍ୱକପ୍‌ ଖେଳିଥିବା ଭାରତ ପ୍ରଥମ ମ୍ୟାଚ୍‌ରେ ପରାସ୍ତ ହୋଇଛି । ଶୁକ୍ରବାର ସନ୍ଧ୍ୟାରେ ଖେଳା ଯାଇଥିବା ଗ୍ରୁପ୍‌ ‘ଏ’ର ମ୍ୟାଚ୍‌ରେ ଭାରତକୁ ୩-୦ ଗୋଲ୍‌ରେ ଆମେରିକା ପରାସ୍ତ କରିଛି । ଜବାହାରଲାଲ ନେହେରୁ ଷ୍ଟାଡିୟମ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତି ଏବଂ ସ୍ଥାନୀୟ ଦର୍ଶକଙ୍କ ସମର୍ଥନ ମଧ୍ୟ ଆୟୋଜକ ଭାରତକୁ ପରାଜୟରୁ ବଞ୍ଚାଇ ପାରିନାହିଁ । ପରବର୍ତ୍ତୀ ପର୍ୟ୍ୟାୟକୁ ଯିବାକୁ ହେଲେ ଭାରତକୁ କଲମ୍ବିଆ ଓ ଘାନା ବିରୋଧରେ ବାକିଥିବା ୨ଟିଯାକ ମ୍ୟାଚ୍‌ ଜିତିବାକୁ ପଡ଼ିବ । ମ୍ୟାଚ୍‌ର ୫ମ ମିନିଟରେ ଆମେରିକାକୁ ସୁଯୋଗ ମିଳିଥିଲେ ହେଁ ଗୋଲ୍‌ରକ୍ଷକ ଧୀରଜ ମୋଇରାଙ୍ଗ୍‌ଥେମ୍‌ ଡାଇଭ୍‌ମାରି ଗୋଲ୍‌ ବଞ୍ଚାଇ ଦେଇଥିଲେ । ୨୬ ମିନିଟରେ ଭାରତକୁ ପ୍ରଥମ କର୍ଣ୍ଣର ମିଳିଥିଲେ ହେଁ ଏହା ବେକାର ହୋଇଥିଲା । ୩୦ ମିିନିଟ୍‌ରେ ଭାରତୀୟ ଡିଫେଣ୍ଡରଙ୍କ ଫାଉଲ୍‌ ଯୋଗୁଁ ଆମେରିକାକୁ ପେନାଲ୍‌ଟି ମିଳିଥିଲା । ଏଥିରୁ ଜୋସ୍‌ ସର୍ଜେଣ୍ଟ ଗୋଲ୍‌ଦେଇ ଦଳକୁ ୧-୦ରେ ଆଗୁଆ କରିଥିଲେ । ଏହି ଗୋଲ୍‌ ବଳରେ ଆମେରିକା ପ୍ରଥମାର୍ଦ୍ଧରେ ଆଗୁଆ ରହିଥିଲା । ୪୯ ମିନିଟରେ ଭାରତୀୟ ଗୋଲ୍‌ରକ୍ଷକ ଧୀରଜ ଏକ ନିଶ୍ଚିତ ଗୋଲ୍‌ ବଞ୍ଚାଇବା ପରେ ୫୧ ମିନିଟରେ ଆମେରିକାର କ୍ରିସ୍‌ ଡର୍କିନ୍‌ ଗୋଲ୍‌ଦେଇ ଦଳକୁ ୨-୦ରେ ଆଗୁଆ କରିଥିଲେ । ୫୬ ମିନିଟରେ ଭାରତକୁ ସୁଯୋଗ ମିଳିଥିଲେ ହେଁ ଫରୱାର୍ଡ କମଲ ଥୋଟାଲ ବଲ୍‌କୁ ବାର୍‌ ଉପରକୁ ମାରି ଦେଇଥିଲେ । ୮୪ ମିନିଟରେ ପ୍ରତ୍ୟାକ୍ରମଣରୁ ଭାରତର ଅନ୍‌ୱାର ଅଲୀ ସଟ୍‌ ମାରିଥିଲେ ହେଁ ବଲ୍‌ ବାର୍‌ରେ ବାଜିଥିଲା । ସେହି ମିନିଟରେ ଆଣ୍ଡର୍ୟୁ କାର୍ଲଟନ ଆମେରିକା ପାଇଁ ୩ୟ ଗୋଲ୍‌ ଦେଇଥିଲେ । କଲମ୍ବିଆ ବିରୋଧରେ ଆସନ୍ତା ୯ରେ ଭାରତ ୨ୟ ମ୍ୟାଚ୍‌ ଖେଳିବ । ଏହି ମ୍ୟାଚ୍‌ ପୂର୍ବରୁ ଦେଶର ବିଗତ ଦିନର ନାମୀ ଫୁଟ୍‌ବଲ ଖେଳାଳି- ପି.କେ. ବାନାର୍ଜୀ, ସୟଦ୍‌ ନଇମୁଦ୍ଦିନ୍‌, ସମର ବାନାର୍ଜୀ, ଜୋକିମ୍‌ ଆବ୍ରାଞ୍ଚେସ୍‌, ଭାସ୍କର ଗାଙ୍ଗୁଲି, ଚୁନି ଗୋସ୍ୱାମୀ, ବେମ୍‌ବେମ୍‌ ଦେବୀ, ଆଇ.ଏମ୍‌. ବିଜୟନ୍‌ ଓ ବାଇଚୁଙ୍ଗ୍‌ ଭୁଟିଆଙ୍କ ସହ ବର୍ତ୍ତମାନ ଜାତୀୟ ଦଳର ଅଧିନାୟକ ସୁନୀଲ ଛେତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବର୍ଦ୍ଧିତ କରିଥିଲେ । ଏହାସହ ଭାରତ ଓ ଆମେରିକା ଖେଳାଳିଙ୍କ ସହ ପ୍ରଧାନମନ୍ତ୍ରୀ ପରିଚିତ ହୋଇଥିଲେ । ତାଙ୍କ ସହ କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର ଓ ସର୍ବଭାରତୀୟ ଫୁଟ୍‌ବଲ ମହାସଂଘର ସଭାପତି ପ୍ରଫୁଲ୍ଲ ପଟେଲ ଉପସ୍ଥିତ ଥିଲେ ।