ଓଡିଆନ୍ ନ୍ୟୁଜ

25

ଖୁବଶୀଘ୍ର ସ୍ବର୍ଗଦ୍ବାରର ନବକଳେବର କରାଯିବ।

Team Odian News |

ପୁରୀ: ପ୍ରଶାସନ ପୁରୀକୁ ସୁନ୍ଦର କରିବାକୁ ସମସ୍ତ ଉଦ୍ୟମ ଚଳାଇଛନ୍ତି।  ଏଥି ପାଇଁ ସରକାର ଗୋଟିଏ ପରେ ଗୋଟିଏ ଘୋଷଣା କରୁଛନ୍ତି।   ଶ୍ରୀମନ୍ଦିର ଓ ବଡଦାଣ୍ଡ ସହ ସ୍ବର୍ଗଦ୍ବାରର ପୁନର୍ବିନ୍ୟାସ କରିବାକୁ ସରକାର ଯୋଜନା କରୁଛନ୍ତି।  ସ୍ବର୍ଗଦ୍ବାରର ନବକଳେବର କରାଯିବ। ଖୁବଶୀଘ୍ର କାମ ଆରମ୍ଭ ହେବ। ତେବେ ପୁରୀ ସ୍ବର୍ଗଦ୍ବାର କିଭଳି ଦିଶିବ, କେମିତି ବଦଳିବ, ଶବବାହକଙ୍କ ପାଇଁ କ’ଣ ସୁବିଧା ରହିବ ତା’ର ଏକ ନକ୍ସା ପ୍ରସ୍ତୁତ ହୋଇଛି। ଏ‌ ନେଇ ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶର ଏକ ପ୍ରତିନିଧି ଦଳ ସ୍ବର୍ଗଦ୍ବାର ସ୍ଥିତି ଅନୁଧ୍ୟାନ କରିଛନ୍ତି। ତେଲଙ୍ଗାନାରେ ନିର୍ମାଣ ହୋଇଥିବା ଏକ ଶ୍ମଶାନ ଢାଞ୍ଚାରେ ସ୍ବର୍ଗଦ୍ବାର ନିର୍ମାଣ ହେବ। ସଂପୃକ୍ତ ସଂସ୍ଥା ଏ ନେଇ ଏକ ଚୂଡାନ୍ତ ନକ୍ସା ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିଛି। ଏହି ପ୍ରତିନିଧି ଦଳ ଦେଇଥିବା ନକ୍ସା ମୁତାବକ ସ୍ବର୍ଗଦ୍ବାର କଳେବର ବଦଳିବ।ପ୍ରଥମେ ସ୍ବର୍ଗଦ୍ବାର ଯେଉଁ ଭଳି ଭାବେ ସଙ୍କୁଚିତ ରହିଛି ତାହାର ସଂପ୍ରସାରଣ କରାଯିବ। ସ୍ବର୍ଗଦ୍ବାରକୁ ଜବରଦଖଲ ମୁକ୍ତ କରାଯିବ। ସ୍ବର୍ଗଦ୍ବାର ସଙ୍କୁଚିତ ହୋଇଥିବାରୁ ଏଠାରେ ଶବଦାହ କରିବାକୁ ଜାଗା ମିଳୁନାହିଁ। ତେଣୁ ଏକକାଳୀନ ଶତାଧିକ ଶବ ଦାହ ପାଇଁ ପିଣ୍ଡି ନିର୍ମାଣ କରାଯିବ। ସେହି ପିଣ୍ଡି ଉପରେ ସ୍ଥାୟୀ ଛାତ ରହିବ। ଏହିଭଳି ଏକାଧିକ ପିଣ୍ଡି ନିର୍ମାଣ କରାଯିବ। ‌ଅସ୍ଥି ରଖିବା ପାଇଁ ଟ୍ରେଜେରୀ ବାକ୍ସ ଭଳି ଏକାଧିକ ବକ୍ସ ନିର୍ମାଣ କରାଯିବ। ଶବ ନେଇ ଆସୁଥିବା ଆମ୍ବୁଲାନ୍‌ସ ଓ ଗାଡିଗୁଡିକର ପାର୍କିଂ ପାଇଁ ‌ଯେଉଁ ସମସ୍ୟା ରହିଥିଲା ତାକୁ ଦୂର କରାଯିବ। ଏଥିପାଇଁ ଏକ ସ୍ବତନ୍ତ୍ର ପାର୍କିଂ ସ୍ଥାନ ନିର୍ମାଣ କରାଯିବ। ଅନ୍ୟ ପକ୍ଷରେ ଶବ ନେଇ ଆସୁଥିବା ଶବ ବାହକଙ୍କୁ ସମସ୍ତ ସୂବିଧା ‌ଯୋଗାଇ ଦେବାର ବ୍ୟବସ୍ଥା କରାଯିବ। ସେମାନଙ୍କ ପାଇଁ ଗାଧୁଆ ଘର ଓ ପାଇଖାନା ରହିବ, ବସିବା ପାଇଁ ଏକ ପ୍ରତୀକ୍ଷା ଗୃହ ନିର୍ମାଣ କରାଯିବ। ସୁବିଧା ପାଇଁ ସେଠାରେ ଚା, ଜଳଖିଆ ଦୋକାନ ମଧ୍ୟ ରହିବ। ପ୍ରତୀକ୍ଷା ଗୃହରେ ପାନୀୟ ଜଳ ବ୍ୟବସ୍ଥା କରାଯିବ। ଏଥି ସହିତ ସ୍ବର୍ଗଦ୍ବାର ପରିସରକୁ ପରିଚ୍ଛନ ରଖାଯିବ। ଏଠାରେ ଘାସ ଗାଲିଚା ବିଛାଯିବ।ଗତକ‌ାଲି ପ୍ରତିନିଧି ଦଳ ଆସି ଏ ନେଇ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରି ଫେରିଛନ୍ତି।