ଓଡିଆନ୍ ନ୍ୟୁଜ

53

ପାକିସ୍ତାନ ସୀମାନ୍ତରେ ରେଡ୍‌ ଆଲର୍ଟ ଜାରି

Team Odian News |

ନୂଆଦିଲ୍ଲୀ:ଆଜି ବିଏସ୍‌ଏଫ୍‌ ଓ ଆର୍ମି ପକ୍ଷରୁ ପାକିସ୍ତାନ ସୀମାନ୍ତରେ ରେଡ୍‌ ଆଲର୍ଟ ଜାରି କରାଯାଇଛି। ଉଭୟ ଏଲଓସି ଓ ଆଇବିରେ ମୁତୟନ ଥିବା ଯବାନଙ୍କୁ ସବୁଠାରୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାକିସ୍ତାନ ୮ ଦିନରେ ୧୦ ଥର ଭାରତରେ ଡ୍ରୋନ୍‌ ଦ୍ୱାରା ଅନୁପ୍ରବେଶ କରି ଅସ୍ତ୍ରଶସ୍ତ୍ର ପଠାଇଛି। ଆଗକୁ ଯେମିତି ଏଭଳି ଘଟଣାର ପୁନରାବୃତ୍ତି ନ ଘଟିବ, ସେଥିପାଇଁ ଉଭୟ ସ୍ଥଳ ଓ ଆକାଶ ମାର୍ଗରେ ଛଞ୍ଚାଣ ଆଖି ରଖିବାକୁ ଯବାନମାନଙ୍କୁ କୁହାଯାଇଛି। ଭାରତ ବିରୋଧରେ ଆତଙ୍କୀଙ୍କୁ ବ୍ୟବହାର କରୁଥିବା ପାକିସ୍ତାନ ଏବେ ନୂଆ ଧରଣର ଆକ୍ରମଣ କରିବାକୁ ଯୋଜନା କରୁଛି। ପାକିସ୍ତାନ ବନ୍ଧୁ ଚାଇନାର ଡ୍ରୋନ୍‌ ଦ୍ୱାରା ଭାରତକୁ ଅସ୍ତ୍ରଶସ୍ତ୍ର ପଠାଇ ହମ୍‌ଲା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ଜଣାପଡ଼ିବା ପରେ ଏହାକୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଗୁରୁତ୍ୱର ସହ ନିଆଯାଇଛି। ପଞ୍ଜାବର ତରନତାରନ ଠାରେ ପାକିସ୍ତାନ ଜିପିଏସ୍‌ ଖଚିତ ଡ୍ରୋନ୍‌ ଦ୍ୱାରା ଅସ୍ତ୍ରଶସ୍ତ୍ର ଠାରୁ ଆରମ୍ଭ କରି ଫେକ୍‌ ନୋଟ୍‌ ଏବଂ ଅନ୍ୟାନ୍ୟ ସାମଗ୍ରୀ ଆକାଶ ମାର୍ଗରୁ ତଳକୁ ପକାଇଥିବା ଜଣାପଡ଼ିଛି। ଏହାପରେ ସେନା ପକ୍ଷରୁ ପାକିସ୍ତାନ ସୀମାନ୍ତକୁ ଲାଗିଥିବା ସମସ୍ତ ଅଞ୍ଚଳରେ ରେଡ୍‌ ଆଲର୍ଟ ଜାରି କରାଯାଇଛି। ଏହି ନିର୍ଦ୍ଦେଶ ପରେ ୧୮୦ କିମି ବିଶିଷ୍ଟ ଭାରତ-ପାକିସ୍ତାନ ସୀମାରେ ମୁତୟନ ହୋଇଥିବା ବିଏସ୍‌ଏଫ୍‌ ଯବାନମାନେ ସେମାନଙ୍କ ନୀରିକ୍ଷଣ ପୋଷ୍ଟକୁ ଅଧିକ ସକ୍ରିୟ କରିଛନ୍ତି। ସ୍ଥଳ ଭାଗରେ ମଧ୍ୟ ବିଏସ୍‌ଏଫ୍‌ ପକ୍ଷରୁ ପ୍ୟାଟ୍ରୋଲିଂ କରାଯାଉଛି। ସେହିପରି ଚେନାବ ନଦୀ ଦେଇ ଆତଙ୍କବାଦୀମାନେ ଅନୁପ୍ରବେଶ କରିବାର ଆଶଙ୍କା ଥିବାରୁ ସ୍ୱତନ୍ତ୍ର ପାଣିରେ ପ୍ୟାଟ୍ରୋଲିଂ କରିପାରୁ ଥିବା ଯବାନମାନଙ୍କୁ ନିୟୋଜିତ କରାଯାଇଛି।