ଓଡିଆନ୍ ନ୍ୟୁଜ

15

ସଭ୍ୟ ସଂଗ୍ରହ ନେଇ ସମୀକ୍ଷା

Team Odian News |

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ବିକାଶ କାର୍ଯ୍ୟକ୍ରମ ବିଷୟରେ ଲୋକଙ୍କୁ ଜଣାଅ। ସ୍ବଚ୍ଛ ପ୍ରଶାସନ ପାଇଁ ସରକାର ପ୍ରଣୟନ କରିଥିବା ୫’ଟି’ କାର୍ଯ୍ୟକ୍ରମ ବିଷୟରେ ପ୍ରତିଟି ଲୋକଙ୍କୁ ବୁଝାଅ। ଆଜି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ବିଜେଡିର ସଭ୍ୟ ସଂଗ୍ରହ ଓ ଜନ ସମ୍ପର୍କ ଯାତ୍ରା କାର୍ଯ୍ୟକ୍ରମ ନେଇ ସମୀକ୍ଷା କରିବା ଅବସରରେ ୩୦ଟି ଜିଲ୍ଲାର ଦଳୀୟ ପର୍ଯ୍ୟବେକ୍ଷକ ଓ ଜିଲ୍ଲା ସଭାପତିଙ୍କୁ ଏମିତି ତାଗିଦ କରିଛନ୍ତି ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚଳିତଥର ବର୍ଷା ଓ ପୂଜା ଛୁଟି ପଡ଼ୁଥିବାରୁ ଆସନ୍ତାମାସ ୨ ତାରିଖରୁ ଆରମ୍ଭ ହେବାକୁ ଥିବା ପଦଯାତ୍ରା କାର୍ଯ୍ୟକ୍ରମ ଅବଧିକୁ ଅକ୍ଟୋବର ୧୧ ପରିବର୍ତ୍ତେ ବୃଦ୍ଧି କରିବାକୁ ସବୁ ଜିଲ୍ଲା ପର୍ଯ୍ୟବେକ୍ଷକ ଓ ଜିଲ୍ଲା ସଭାପତି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଏହାସହିତ ଅଧିକରୁ ଅଧିକ ଲୋକ ଯେପରି ବିଜେଡିର ସଦସ୍ୟତା ଗ୍ରହଣ କରିବେ ସେଥିପାଇଁ ଜିଲ୍ଲା ସଭାପତିମାନଙ୍କୁ ସ୍ବତନ୍ତ୍ର ଭାବେ ପଦକ୍ଷେପ ନେବାକୁ ବିଜେଡି ମୁଖିଆ ନିର୍ଦ୍ଦେଶ ଦେଇଛନ୍ତି।

ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ, ଅକ୍ଟୋବର ୨ ତାରିଖରୁ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବାକୁ ଜନ ସମ୍ପର୍କ ପଦଯାତ୍ରା ସମୟରେ ନଗର, ପଞ୍ଚାୟତ ସ୍ତରରେ ଥିବା ବିଜେଡି କର୍ମୀ, ନେତା, ପର୍ଯ୍ୟବେକ୍ଷକ ଓ ଜିଲ୍ଲା ସଭାପତିମାନେ ଘର ଘର ବୁଲି ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଲୋକଙ୍କୁ ଅବଗତ କରିବେ। ଏହାସହିତ ପ୍ରତ୍ୟେକ ଜିଲ୍ଲା ସଭାପତି ତାଙ୍କ ଜିଲ୍ଲା ପରିଷଦ ଜୋନର ଅନ୍ୟୂନ ୨ଟି ପଞ୍ଚାୟତ ଓ ସହରାଞ୍ଚଳର ୨ଟି ଵାର୍ଡ଼ରେ ସଭ୍ୟ ସଂଗ୍ରହ ଅଧିକ କରିବାକୁ ଉଦ୍ୟମ କରିବେ। ସଭ୍ୟ ସଂଗ୍ରହ ଧାର୍ଯ୍ୟ ସମୟ ଭିତରେ ସମ୍ପନ୍ନ କରିବାକୁ ମଧ୍ୟ ପୁଣି ଥରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଚେତାଇ ଦେଇଥିଲେ। ଏହି ଅବସରରେ ବିଜେଡି ମୁଖିଆ ୬ଟି ଜିଲ୍ଲା ଯଥା; ଗଞ୍ଜାମ, ମୟୂରଭଞ୍ଜ, ବାଲେଶ୍ବର, ବଲାଙ୍ଗୀର, ସୁନ୍ଦରଗଡ଼ ଓ ଜଗତସିଂହପୁର ଜିଲ୍ଲାରେ ସଭ୍ୟ ସଂଗ୍ରହ କାର୍ଯ୍ୟର ସମୀକ୍ଷ କରିଥିଲେ। ସଭ୍ୟ ସଂଗ୍ରହ ବେଳେ ମହିଳା, ଯୁବକ ଓ ସଂଖ୍ୟାଲଘୁମାନଙ୍କୁ ଯେପରି ଅଧିକରୁ ଅଧିକ ସାମିଲ କରାଯାଇପାରିବ ସେଥିପାଇଁ ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସମୀକ୍ଷା ବୈଠକ ସଂପର୍କରେ ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶଅର ଓ ଦଳୀୟ ମୁଖପାତ୍ର ପ୍ରତାପ ଦେବ ସୂଚନା ଦେଇଥିଲେ।