ଓଡିଆନ୍ ନ୍ୟୁଜ

19

ବିଜେପୁର ପାଇଁ ବିଜେଡି ପ୍ରାର୍ଥୀ ହେଲେ ରୀତା ସାହୁ

Team Odian News |

ଭୁବନେଶ୍ୱର:  ବିଜେପୁର ନିର୍ବାଚନ ପାଇଁ ବିଜୁ ଜନତା ଦଳ ତାର ପ୍ରାର୍ଥୀ ଘୋଷଣା କରିଛି ।ପୂର୍ବତନ ବିଧାୟକ ସ୍ୱର୍ଗତ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ ହେଲେ ବିଜେପୁର ପାଇଁ ବିଜେଡି ପ୍ରାର୍ଥୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୀତାଙ୍କ ନାଁ ଆଜି ଘୋଷଣା କରିଛନ୍ତି।

ଚଳିତ ଉପନିର୍ବାଚନ ପାଇଁ ବିଜେଡ଼ିର ପ୍ରାର୍ଥୀ ଦୌଡ଼ରେ ରୀତାଙ୍କର ନାମ ଆଗରେ ଥିଲା । ତେବେ ବରଗଡ଼ର ପୂର୍ବତନ ସାଂସଦ ପ୍ରଭାସ ସିଂହ ଏଥର ଉପନିର୍ବାଚନ ଲଢିବାକୁ ଆଗ୍ରହ ପ୍ରକାଶ କରିଥିଲେ । ଏହାଛଡ଼ା ଅନେକ ସ୍ଥାନୀୟ ରାଜନେତା ଆଶାୟୀ ପ୍ରାର୍ଥୀ ଥିଲେ । ଏଥିପାଇଁ କିଏ ଦଳୀୟ ପ୍ରାର୍ଥୀ ହେବେ ସେଥିନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା । ସୁବଳ ସାହୁଙ୍କ ପରଲୋକ ପରେ ରୀତାଙ୍କୁ ବିଜେଡି ଟିକେଟ୍‌ ଦେଇଥିଲା। ତେବେ ସେ ଉପନିର୍ବାଚନ ଜିତି ସ୍ୱଳ୍ପକାଳ ପାଇଁ ବିଧାୟିକା ହୋଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ବିଜେପୁରରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢ଼ିଥିଲେ। ଉଭୟ ବିଜେପୁର ଏବଂ ହିଞ୍ଜିଳିରୁ ଲଢ଼ି ମୁଖ୍ୟମନ୍ତ୍ରୀ ଜିତିଥିଲେ। ପରେ ହିଞ୍ଜିଳି ଆସନ ରଖି ବିଜେପୁରରୁ ଇସ୍ତଫା ଦେଇଥିଲେ ନବୀନ। ତେଣୁ ବିଜେପୁର ଆସନ ପାଇଁ ଉପନିର୍ବାଚନ କରାଯାଉଛି।ସୂଚନାଥାଉ କି, ବିଜେପୁର ଉପନିର୍ବାଚନ ପାଇଁ ସେପ୍ଟେମ୍ବର ୩୦ ଯାଏ ପ୍ରାର୍ଥିପତ୍ର ଦାଖଲ ହେବ। ଏହାପରେ ଅକ୍ଟୋବର ୧ରେ ପ୍ରାର୍ଥିପତ୍ର ଯାଞ୍ଚ ହେବ। ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଅକ୍ଟୋବର ୩ ତାରିଖ ରହିଛି। ଅକ୍ଟୋବର ୨୧ରେ ବିଜେପୁର ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ୨୪ରେ ଭୋଟ୍ ଗଣତି ହେବ।