ଓଡିଆନ୍ ନ୍ୟୁଜ

18

ଗିରଫ୍‌ ହେଲା ଜୁନାଗଡ଼ ଗଣଦୁଷ୍କର୍ମର ମୁଖ୍ୟ ଅଭିଯୁକ୍ତ

Team Odian News |

ଭବାନୀପାଟଣା : ଶୁକ୍ରବାର ଜୁନାଗଡ଼ ଗଣଦୁଷ୍କର୍ମ ମାମଲାରେ ସଂପୃକ୍ତ ଡ୍ରାଇଭର ଲଳିତେନ୍ଦ୍ର ଶବରଙ୍କୁ ଜୁନାଗଡ଼ ଥାନାରେ ଅଟକ ରଖି ପଚରାଉଚରା କରିଥିଲା। ତେବେ ଶନିବାର ପୁଲିସ ପୀଡ଼ିତାଙ୍କ ସାନି ବୟାନ ରେକର୍ଡ କରିବା ସହ ଦୁଷ୍କର୍ମ ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ପୁଲିସ ପକ୍ଷରୁ ଜୁନାଗଡ଼ ଜେଏମଏଫସିଙ୍କ କୋର୍ଟକୁ  ଲଳିତେନ୍ଦ୍ର ଶବରଙ୍କୁ ଚାଲାଣ କରାଯାଇଛି। . ମହାଳୟା ପାଇଁ ଆଜି କୋର୍ଟ ଛୁଟି ଥିବାରୁ ପୁଲିସ ଅଭିଯୁକ୍ତକୁ ମାଜିଷ୍ଟ୍ରେଟ୍‌ଙ୍କ ଘରେ ଉପସ୍ଥାପନ କରିଥିଲା। ପରେ ତାଙ୍କୁ ଜେଲ୍‌ ପଠେଇ ଦିଆଯାଇଛି।

ପୀଡ଼ିତାଙ୍କ ପ୍ରଥମ ବୟାନ ଆଧାରରେ ପୁଲିସ ୯ ଜଣଙ୍କୁ ଗିରଫ କରିଥିଲା। ମାତ୍ର ବସ୍‌ ଚାଳକ ଲଳିତେନ୍ଦ୍ରଙ୍କୁ ଛାଡ଼ି ଦେଇଥିଲା। କିନ୍ତୁ ଏଥିରେ ଅସନ୍ତୋଷ ବ୍ୟକ୍ତ କରିଥିଲେ ପୀଡ଼ିତା। ଲଳିତେନ୍ଦ୍ର ମୁଖ୍ୟ ଅଭିଯୁକ୍ତ ବୋଲି ଗତ ଶନିବାର କେତେକ ୱେବ୍‌ ଚ୍ୟାନେଲ୍‌କୁ ପୀଡ଼ିତା ବୟାନ ଦେଇଥିଲେ। ଯାହା ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ଏପରିକି ପଲିଟିକାଲ୍‌ ଲିଙ୍କ୍ ବାହାରିବାରୁ କଳାହାଣ୍ଡି ଜିଲ୍ଲା ପୁଲିସ ତତ୍ପର ହୋଇଥିଲା। ଭାଇରାଲ୍‌ ହୋଇଥିବା ଭିଡିଓ ଆଧାରରେ ପୀଡ଼ିତାଙ୍କର ସାନି ବୟାନ ରେକର୍ଡ କରିଥିଲା। ଏହି ସମୟରେ ସେ ବସ୍‌ ଡ୍ରାଇଭର ଲଳିତେନ୍ଦ୍ରଙ୍କ ନାଁ ନେଇଥିବା ଅଭିଯୋଗ ହୋଇଛି। ସେହି ଆଧାରରେ ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଭାଇରାଲ୍‌ ହୋଇଥିବା ଭିଡିଓରେ ନିଜକୁ ଜୁନାଗଡ଼ ପୀଡ଼ିତାର ପରିଚୟ ଦେଉଥିବା ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ଘଟଣା ଦିନ ସେ ଲଳିତେନ୍ଦ୍ର ସହ ଲିଫ୍ଟରେ ଆସୁଥିଲେ। ତେବେ ହଠାତ୍ ଲଳିତେନ୍ଦ୍ର ବନମାଳୀପୁର ଛକ ନିକଟରେ ବାଇକକୁ ଅଟକାଇ ଦେଇଥିଲା। ପରେ ୬ ଜଣ ଯୁବକ ଆସି ତାଙ୍କୁ ଜଙ୍ଗଲ ଭିତରକୁ ନେଇଯାଇଥିଲେ। ସେଠି ଲଳିତେନ୍ଦ୍ର ପ୍ରଥମେ ଦୁଷ୍କର୍ମ କରିଥିଲା। ତା’ପରେ ଜଣେ ପରେ ଜଣେ ଦୁଷ୍କର୍ମ କରିଥିବା ପୀଡ଼ିତା କହିଥିଲେ। ତେବେ ଲଳିତେନ୍ଦ୍ର ଶବରକୁ ଯଦି ଛାଡ଼ି ଦିଆଯିଏ, ତାହେଲେ ଆତ୍ମହତ୍ୟା କରିବି ବୋଲି ଧମକ୍ ଦେଇଛନ୍ତି ପୀଡ଼ିତା।