ଓଡିଆନ୍ ନ୍ୟୁଜ

255

ଦଲାଲଙ୍କ ପାଇଁ ଛଦ୍ମବେଶ ଧରିଲେ ଥାନା ଅଧିକାରୀ

Team Odian News |

ଦଲାଲଙ୍କ ପାଇଁ ଛଦ୍ମବେଶ ଧରିଲେ ଥାନା ଅଧିକାରୀ
କେନ୍ଦ୍ରାପଡା ୩୦/୯ -  ରାଜ୍ୟ ସରକାରଙ୍କ ଆଂଚଳିକ ପରିବହନ କାର୍ଯ୍ୟାଳୟ (ଆର.ଟି.ଓ.) ଅଫିସକୁ ଦଲାଲମୁକ୍ତ କରାଯିବା  ନିର୍ଦେଶକୁ  କେନ୍ଦ୍ରାପଡା ସଦର ଥାନା ଭାରପ୍ରାପ୍ତ ଇନିସପେକ୍ଟର (ଆଇ.ଆଇ.ସି.) ପ୍ରମୋଦ କୁମାର ମଲ୍ଲିକ  ଜିଲ୍ଲାରେ ପ୍ରଥମେ କାର୍ଯ୍ୟକାରି କରି  ସୋମବାର ୨ ଦଲାଲଙ୍କୁ  ସେଠାରୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଦେଖାଯାଇଛି । ସଦର ଥାନା ଆଇ.ଆଇ.ସି. ଶ୍ରୀ ମଲ୍ଲିକ  ଛଦ୍ମବେଶରେ ଆଜି ସ୍ଥାନୀୟ ଆର.ଟି.ଓ.ଅଫିସରେ ପହଁଚିଥିଲେ । ସେ  ଏଭଳି  ବେଶ  ପୋଷାକ  ପରିଧାନ  କରିଥିଲେ ଯେ ତାଙ୍କୁ ଚିହ୍ନିବା  କାହାରି  ପକ୍ଷରେ  ସମ୍ଭବ ନଥିଲା । ଆଇ.ଆଇ.ସି. ଶ୍ରୀ ମଲ୍ଲିକ ସାରା ଅଫିସ ବୁଲି ଦେଖିବା ପରେ ସେଠାରେ ଦଲାଲି କରୁଥିବା  ମାର୍ଶାଘାଇ  ଥାନା ଅନ୍ତର୍ଗତ  ଯଦୁପୁର ଗ୍ରାମର  ଅମରେଶ  ଚନ୍ଦ୍ର ସାହୁ(୬୦)  ଓ  ସଦର ଥାନା  ଅନ୍ତର୍ଗତ ଗୋବିନ୍ଦଜୀଉପାଟଣା ଗ୍ରାମର ନିହାର ରଞ୍ଜନ ଦାସ(୨୮)ଙ୍କୁ ଗିରଫ କରି  ଥାନା କେଶ ନମ୍ବର ୨୭୫/୨୦୧୯ରେ ଏକ ମାମଲା ରୁଜୁ କରାଯିବା ସହ   ଆଇ.ପି.ସି.ର  ଦଫା ୪୨୦,୪୭୧  ଓ  ୩୪ ରେ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ମଲ୍ଲିକଙ୍କ ଠାରୁ ସୂଚନା ମିଳିଛି ।   ଆର.ଟି.ଓ. ଅଫିସରୁ ୨ଦଲାଲଙ୍କୁ ଗିରଫ କରାଯିବା ପରେ ଅନ୍ୟ ଦଲାଲଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିବା ଜଣାପଡିଛି ।