ଓଡିଆନ୍ ନ୍ୟୁଜ

17

ମାଲେସିଆ ଜାହାଜ ଚିଲିକାରେ ଫସି ରହିବା ପ୍ରସଙ୍ଗ:କେନ୍ଦ୍ର ଜାହଜ ଚଳାଚଳ ମନ୍ତ୍ରାଳୟ ସଚିବଙ୍କୁ ନୋଟିସ ଜାରି

Team Odian News |

ଭୁବନେଶ୍ୱର : ୨୦୧୯ ଅଗଷ୍ଟ ୭ ତାରିଖରେ ମାଲେସିଆ କାର୍ଗୋ ଜାହାଜ(ଜେଆଇଏନ୍‌-ଏଚ୍‌ଡବ୍ଲୁଏ-୩୨) ବାଟବଣା ହୋଇ ଚିଲିକାର ରାଜହଂସ ନିକଟରେ ଫସି  ରହିଥିବା  ମାଲେସିଆ ଜାହାଜରୁ ତେଲ ନିର୍ଗତ ହେବା ପ୍ରସଙ୍ଗକୁ ଜାତୀୟ ମାନବିକ ଅଧିକାର କମିସନ(ଏନ୍‌ଏଚ୍‌ଆରସି) ଗୁରୁତ୍ବର ସହ ନେଇଛନ୍ତି। ମାନବିକ ଅଧିକାର କର୍ମୀ ଶ୍ରୀ ଅଖଣ୍ଡଙ୍କ ଆବେଦନର ଶୁଣାଣି କରି କେନ୍ଦ୍ର ଜାହଜ ଚଳାଚଳ ମନ୍ତ୍ରାଳୟ ସଚିବ, ପୁରୀ ଜିଲ୍ଲାପାଳ ଓ ଏସପିଙ୍କୁ କମିସନ ନୋଟିସ ଜାରି କରିଛନ୍ତି। ପରିବେଶ ପ୍ରତି ଏହା ଘୋର ବିପଦ ସୃଷ୍ଟି କରୁଥିବାବେଳେ ଏଯାବତ୍‌ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ତାହା ଚାରି ସପ୍ତାହ ମଧ୍ୟରେ ଜଣାଇବାକୁ କମିସନ ନିର୍ଦ୍ଦେଶ ଦେଇଛନ୍ତି।

ମାଲେସିଆ କାର୍ଗୋ ଜାହାଜ(ଜେଆଇଏନ୍‌-ଏଚ୍‌ଡବ୍ଲୁଏ-୩୨) ବାଟବଣା ହୋଇ ପୁରୀ ଉପକୂଳ ଚିଲିକାର ରାଜହଂସ ନିକଟରେ ଫସି ରହିଥିଲା।  ଏହାକୁ ଏଠାରୁ ହଟାଇବାକୁ ପ୍ରାୟ ଏକ ମାସ ସମୟ ଲାଗିଥିଲା। ସେଥିରେ ୩୦ ହଜାର ଲିଟର ଡିଜେଲ, ୧ହଜାର ଲିଟର ଲୁବ୍ରିକାଣ୍ଟ, ୨ଶହ ଲିଟର ହାଇଡ୍ରୋଲିକ୍‌ ଅଏଲ ରହିଥିଲା। ଏହିସବୁ ତେଲ ନିର୍ଗତ ହୋଇ ଚିଲିକା ସମେତ ସମୁଦ୍ରକୁ ନଷ୍ଟ କରିଥିଲା। ଏଥିପାଇଁ ଜଳଜୀବଙ୍କ ପ୍ରତି ବିପଦ ଥିବାବେଳେ ମାଛ ଖାଉଥିବା ଲୋକଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି କରିଥିଲା। ଏବେ ବି ଏହି ଜାହାଜର କଣ୍ଟେନର ଏଠାରେ ପଡ଼ିରହିଛି, ଯାହା ମତ୍ସ୍ୟଜୀବୀଙ୍କ ପାଇଁ ବିପଦ ସୃଷ୍ଟି କରିଛି। ଏ ସବୁ ସତ୍ତ୍ବେ ପ୍ରଶାସନ ପକ୍ଷରୁ ଏହି ଜାହାଜର ମାଲିକ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା। ଜାହାଜର ରେଜିଷ୍ଟ୍ରେସନ ବୈଧ ଅଛି କି ନାହିଁ? ଫିଟନେସ୍ ଓ ପରିବହନ ଅନୁମତି ଅଛି କି ନାହିଁ? ପ୍ରଶାସନ ପକ୍ଷରୁ ତାହାର ଅନୁଧ୍ୟାନ କରାଯାଇ ନ ଥିଲା। ଏ ନେଇ ଅଖଣ୍ଡ ଜାତୀୟ ମାନବାଧିକାର କମିସନଙ୍କୁ ଅଭିଯୋଗ କରିଥିଲେ।