ଓଡିଆନ୍ ନ୍ୟୁଜ

57

ମହାରାଷ୍ଟ୍ରରେ ବିଜେପି ୧୬୨ଟି ଓ ଶିବସେନା ୧୨୬ଟି ଆସନରେ ଲଢ଼ିବ

Team Odian News |

ମୁମ୍ବାଇ: ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ମଧ୍ୟରେ ଆସନ ବୁଝାମଣା ନେଇ ଜାରି ରହିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଉଭୟ ଦଳ ଭିତରେ ବୁଝାମଣା ହୋଇଥିବା ନେଇ ବିଜେପି ମହାରାଷ୍ଟ୍ର ସଭାପତି ଚନ୍ଦ୍ରକାନ୍ତ ପାଟିଲ ଏବଂ ଶିବସେନାର ବରିଷ୍ଠ ନେତା ସୁଭାଷ ଦେଶାଇଙ୍କ ହସ୍ତାକ୍ଷର ଥିବା ଏକ ପ୍ରେସ୍ ବିବୃତ୍ତିରେ ଏହା କୁହାଯାଇଛି। ଖୁବ୍ ଶୀଘ୍ର ପ୍ରାର୍ଥୀମାନଙ୍କ ନାମ ଘୋଷଣା କରାଯିବ ବୋଲି ଏଥିରେ କୁହାଯାଇଛି।

ମିଳିଥିବା ସୂଚନା ଅନୁସାରେ ଶିବସେନା ୧୨୬ଟି ଆସନରେ ଏବଂ ବିଜେପି ୧୬୨ଟି ଆସନରେ ନିର୍ବାଚନ ଲଢ଼ିବ। ଉଭୟ ଦଳ ମହାରାଷ୍ଟ୍ରରେ ଥିବା ଆରପିଆଇ, ଶିବ ସଂଗ୍ରାମୀ ଏବଂ ରୟତ କ୍ରାନ୍ତି ଭଳି ଛୋଟ ଦଳଗୁଡ଼ିକୁ ବି ସାଙ୍ଗରେ ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇବେ ବୋଲି କୁହାଯାଉଛି।ଏହା ସହିତ ଶିବସେନା ଉପମୁଖ୍ୟମନ୍ତ୍ରୀ ପଦ ପ୍ରସ୍ତାବକୁ ବି ସ୍ଵୀକାର କରିଥିବା କୁହାଯାଉଛି। ବିଜେପି – ଶିବସେନା ମେଣ୍ଟ କ୍ଷମତାସୀନ ହେଲେ ଏହି ପଦ ଶିବସେନାର ମୁଖ୍ୟ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କୁ ମିଳିବ ବୋଲି ସ୍ଥିର ହୋଇଛି।