ଓଡିଆନ୍ ନ୍ୟୁଜ

19

ଓଡ଼ିଶାରେ ଗାନ୍ଧୀ

Team Odian News |

ଭୁବନେଶ୍ବର: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ତତ୍ପର ହୋଇଉଠିଛି ସମଗ୍ର ଭାରତବର୍ଷ।  ଗାନ୍ଧୀଜୀ ଓଡ଼ିଶା ଆଗମନ କାଳରେ ଯେଉଁ ସବୁ ସ୍ଥାନକୁ ଆସିଥିଲେ, ସେହି ସ୍ଥାନଗୁଡ଼ିକ ପରବର୍ତ୍ତୀ କାଳରେ ଗୋଟିଏ ଗୋଟିଏ ପବିତ୍ର ଐତିହ୍ୟସ୍ଥଳୀ ପାଲଟିଯାଇଛି। ଗାନ୍ଧୀଜୀ ଝାରସୁଗୁଡ଼ାରୁ ସମ୍ବଲପୁର ଦେଇ ଏକ କାର୍‌ରେ ଆସି ୧୯୩୪ ମସିହା ମେ ୫ ତାରିଖ ସଂଧ୍ୟାରେ ଅନୁଗୁଳ ଜିଲ୍ଲା କିଶୋର ନଗର ବ୍ଲକ୍‌ର ବାମୁରରେ ପହଞ୍ଚିଥିଲେ। ସଙ୍ଗରେ ଥିଲେ ଘନଶ୍ୟାମଲାଲ୍‌ ବିଠଲା ଓ ରାଜକୃଷ୍ଣ ବୋଷଙ୍କ ଭଳି ଜାତୀୟସ୍ତରର ବିଶିଷ୍ଟ ନେତା। ବାମୁରର ତତ୍କାଳୀନ ଚାଳ ଛପର ଡାକବଙ୍ଗଳା ଘରେ ରାତ୍ରିଯାପନ କରିିଥିଲେ। ନାକ୍‌ଚିର ଜଣେ କୃଷକ ଗିରିଧାରୀ ମାଝୀଙ୍କ ଘରୁ ଛେଳି ଦୁଗ୍ଧ ଆଣି ରାତିରେ ଦିଆଯାଇଥିଲା। ଗାନ୍ଧୀ କେବଳ ସେହି ଦୁଗ୍ଧ ସେବନ କରି ଶୋଇ ଯାଇଥିଲେ।

ମହାତ୍ମା ଗାନ୍ଧୀଙ୍କ ରାତ୍ରିଯାପନ ଓ ସଭା ବାମୁର ଅଂଚଳବାସୀଙ୍କ ମଧ୍ୟରେ ଏକ ନୂତନ ଉନ୍ମାଦନା ସୃଷ୍ଟି କରିଥିଲା। ମେ ୬ ତାରିଖ ସକା‌ଳ ୧୦ଟାରେ ଡାକବଙ୍ଗଳା ପରିସରରେ ଆୟୋଜିତ ସଭାରେ ସମବେତ ଜନସାଧାରଣଙ୍କୁ ଅସ୍ପୃଶ୍ୟତା ଦୂରୀକରଣ ଓ ନିଶା ନିବାରଣ ଉପରେ ମର୍ମ୍ମସ୍ପର୍ଶୀ ବକ୍ତବ୍ୟ ପ୍ରଦାନ କରିଥିଲେ। ‘କିତ୍‌ନେ ଆଦ୍‌ମି ଆପ୍‌ ସରାବ୍‌ ପିତେ ହୋ?’ ବୋଲି ଭାଷଣ ପ୍ରସଙ୍ଗରେ ଗାନ୍ଧୀ ମହାତ୍ମା ପଚାରିବାରେ ଉପସ୍ଥିତ ତିନିଜଣ ଯୁବକ ନିର୍ଭୟରେ ହାତ ଉଠାଇ ନିଜ ଦୋଷ ସ୍ବୀକାର କରିଥିଲେ। ଗାନ୍ଧୀଜୀ ଅସନ୍ତୋ‌ଷ ପ୍ରକାଶ କରିବା ପରିବର୍ତ୍ତେ ହସିହସି ଏହି ତିନି ଯୁବକଙ୍କୁ ପାଖକୁ ଡାକି ପିଠି ଥାପୁଡ଼ାଇଥିଲେ। ‘ଆପ୍‌ ଲୋଗ୍‌ ସ‌େଚ୍ଚ ଐର୍‌ ବେହତ୍‌ ଇମାନ୍‌ଦାର ହୈ’.. ୟହାଁ ଐର୍‌ ଭି ହୈ, ଯିହ୍ନୋନେ ସରାବ୍‌ ପିତେ ହୈଁ..ଲେକିନ୍ କବୁଲ୍‌ କରନେ କେ ଲିୟେ ହିମ୍ମତ ନହିଁ ହୈ’। ତାଙ୍କର ଏହି କଥା କେତେପଦ ଶୁଣି ଅନେକ ସ୍ବତଃପ୍ରବୃତ୍ତ ଭାବେ ନିଶାପାନ କରୁଥିବା ସ୍ବୀକାର କରିଥିଲେ।କେବଳ ସେତିକି ନୁହେଁ, ଏଥିରୁ ବିରତ ରହିବା ପାଇଁ ପ୍ରତିଜ୍ଞାବଦ୍ଧ ବି ହୋଇଥିଲେ। ସଭାକୁ ଆସିଲା ବେଳେ ପାଖ ଗାଁର ଜଣେ ବ୍ୟକ୍ତି ଗାନ୍ଧିଜୀଙ୍କ ପାଇଁ ନିଜ ବାଡ଼ିରୁ ସ୍ବାଦିଷ୍ଟ ଆମ୍ବ ଆଣିଥିଲେ। ଗାନ୍ଧିଜୀ ଆମ୍ବ ଖାଇବା ପରେ ଟାକୁଆକୁ ଫିଙ୍ଗି ନଦେଇ ବାମୁର ପାଖ କଳାବେଡ଼ା ଗାଁର ମକରଧ୍ବଜ ଦେଓଙ୍କୁ ପ୍ରଦାନ କରି ଗଛ ଲଗାଇବାକୁ ପରାମର୍ଶ ଦେଇଥିଲେ। ମକରଧ୍ବଜ ଅତି ସରାଗରେ ଆମ୍ବ ଟାକୁଆକୁ ନେଇ ନିଜ ବାଡ଼ିରେ ଲଗାଇଥିଲେ। ପରବର୍ତ୍ତୀ କାଳରେ ଏହା ଏକ ସ୍ମୃତି ଚିହ୍ନ ହୋଇ ରହିଥିଲା। ଗତ ୩/୪ ବର୍ଷ ତଳେ ଏହି ମହାଦ୍ରୁମଟି ବାତ୍ୟାରେ ଉପୁଡ଼ିଯିବା ପରେ ସେଠାରେ ଏକ ଆମ୍ବ ବଗିଚା ଏବେ ଶୋଭାପାଉଛି। ଗାନ୍ଧିଜୀଙ୍କ ଏହି ସଭାରେ ଉପସ୍ଥିତ ଥିବା ଧଉରାପାଲି ଗାଁର ସେସମୟର ୮ବର୍ଷର ବାଳକ ହୃଦାନନ୍ଦ ବିଶ୍ବାଳ (୯୧) ଏବେ ବୟସର ସାୟାହ୍ନରେ ସେଦିନର ସ୍ମୃତିସବୁକୁ ମନେ ପକାଇ  ବଖାଣିଛନ୍ତି। ଉପକୂଳ ଓଡ଼ିଶାରେ ଆନ୍ଦୋଳନକୁ ଜୋରଦାର କରିବାର ଆବଶ୍ୟକତା ଅନୁଭବ କରି ଗାନ୍ଧୀଜୀ ପୁଣି ଦ୍ବିତୀୟ ଥର ୧୯୩୪ ମେ ୨୧ତାରିଖ‌ରୁ ପଦଯାତ୍ରାରେ ବାହାରିଥିଲେ। ଏଥର ସେ ଓଡ଼ିଶାର ପୁରାତନ ରାଜଧାନୀ ଯାଜପୁର ଜିଲ୍ଲାରୁ ପଦଯାତ୍ରା ଆରମ୍ଭ କରିଥିଲେ। ମେ ୨୧ତାରିଖରେ ବଡ଼ଚଣା ବ୍ଲକର ବୈରୀ ଷ୍ଟେସନରେ ଓହ୍ଲାଇଥିଲେ। ସେ ବୈରୀରୁ ବରୀ ଯାଇ ୧୯୩୪ ଜୁନ୍ ୨ତାରିଖରେ ଭଦ୍ରକର ଭଣ୍ଡାରିପୋଖରୀ ଅଭିମୁଖେ ଯାତ୍ରା କରିଥିଲେ। ଗାନ୍ଧୀଜୀ ଦ୍ବିତୀୟ ଅସ୍ପୃଶ୍ୟତା ଉଚ୍ଛେଦ ପଦଯାତ୍ରାରେ ଯାଜପୁର ଜିଲ୍ଲା ସମେତ କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଭ୍ରମଣ କରି ଜାତିଭେଦ ଦୂର ପାଇଁ ଜନସଚେତନତା ସୃଷ୍ଟି କରିବା ସହିତ ସ୍ବାଧୀନତା ପାଇଁ ଲୋକମାନଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିଥିଲେ। ଗାନ୍ଧୀଜୀ ଓଡ଼ିଆ ଭାଷା ଶିକ୍ଷା କରିବା ସହିତ ମନ୍ଦିରରେ ଦଳିତମାନଙ୍କର ପ୍ରବେଶକୁ ଉତ୍ସାହିତ କରିଥିଲେ। ଯାହାର ଦୃଷ୍ଟାନ୍ତ ବରୀ ପଦଯାତ୍ରା ସମୟରେ ‌ଦେଖିବାକୁ ମିଳିଥିଲା         ।ଗାନ୍ଧୀଜୀଙ୍କର ଏହି ପଦଯାତ୍ରା ଯାଜପୁର ଜିଲ୍ଲା ଅତିକ୍ରମ କରି କଟକ ଓ ପରେ କେନ୍ଦ୍ରାପଡ଼ାର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ମେ ୩୦ରେ ଗାନ୍ଧୀଜୀ କେନ୍ଦ୍ରାପଡ଼ାର ଧୁମାତ ଛାଡ଼ିବା ପରେ ଅନ୍ୟାସୀପୁରରେ ପହଞ୍ଚିଥିଲେ। ଇଂରେଜଙ୍କ ଭୟରେ ଗାନ୍ଧୀଙ୍କୁ ଲୋକମାନେ ନିଜ ଘରେ ରଖିବାକୁ ଭୟ କରୁଥିବା ବେଳେ ଗାନ୍ଧୀ ମଧ୍ୟ ଖୋଲା ଆକାଶ ତଳେ ରହିବାକୁ ପସନ୍ଦ କରୁଥିଲେ। ବରୀ କଳାମାଟିଆର ଗଦାଧର ପାଳିତଙ୍କ ଆମ୍ବ ବଗିଚାରେ ରହିଥିବା ବେଳେ ତାଙ୍କ ସହିତ ମୀରାବେନ୍, ଗୋପବନ୍ଧୁ ଚୈାଧୁରୀ, ରାଜକୃଷ୍ଣ ବୋଷ, ରମାଦେବୀ, କେ ବୁଟେଶ, ଉମା, ବିନୋଦ କାନୁନଗୋ, ସୁରେନ୍ଦ୍ର ନାଥ ପଟ୍ଟନାୟକ, ଗୁରନିଧି ମହାନ୍ତି, ସୁୁଶୀଳା ଦେବୀ, ଗୋଦାବରୀ ଦେବୀ, ମାଣିକ ଦେବୀ, ଶୋଭା ପଣ୍ଡା,ଅନ୍ନପୂର୍ଣ୍ଣା ଚୌଧୁରୀ, ତୁଳସୀ ଦେବୀ ପ୍ରମୁଖ ସାମିଲ ଥିଲେ। ଜମିଦାର ବାମନ ଚରଣ ଦାସଙ୍କ ଚଉପାଡ଼ିରେ ଗାନ୍ଧୀ ବିଶ୍ରାମ ନେଇଥିଲେ। ଗାନ୍ଧୀଜୀଙ୍କ ବରୀ ଗସ୍ତ ସମୟରେ ପୂର୍ବତନ ବିଧାୟକ ରବି ଦାସଙ୍କ ପତ୍ନୀ ଗୋଦାବରୀ ଦେବୀ ତାଙ୍କୁ ଓଡ଼ିଆ ଶିଖାଇଥିଲେ। ଏହି ସମୟରେ ମଧ୍ୟ ଗାନ୍ଧୀଜୀ ବାମନ ଦାସଙ୍କ କୁଳଦେବତା ବଳଦେବ ମନ୍ଦିର ଭିତରକୁ ହରିଜନ ଲୋକଙ୍କ ପ୍ରବେଶକୁ ଅନୁମତି ଦେବାକୁ ପରାମର୍ଶ ଦେଇଥିଲେ। ଗାନ୍ଧୀଙ୍କ ପରାମର୍ଶକୁ ବାମନ ଦାସ ପାଳନ କରି ହରିଜନମାନଙ୍କୁ ମନ୍ଦିର ‌ପ୍ରବେଶ ଅନୁମତି ଦେଇଥିଲେ। ଗାନ୍ଧୀଜୀ ବରୀରେ ରହୁଥିବା ସମୟରେ ବ୍ୟବହାର କରିଥିବା ବିଛଣାକୁ ସେତେବେଳେ ୧ଟଙ୍କାରେ ଦାଶରଥି ସାମଲ ନିଲାମରେ‌ ନେଇଥିଲେ। ସେହିପରି ଶିକ୍ଷକ ପରମାନନ୍ଦ ନାୟକ ଆଙ୍କିଥିବା ଗାନ୍ଧୀଜୀଙ୍କର ଫଟୋଚିତ୍ରକୁ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ ୧୦ ଟଙ୍କାରେ ନେଇଥିଲେ। ଏପରିକି ସ୍ବାରାଜ ଆନ୍ଦୋଳନ ପାଇଁ ୧୦୮ଟଙ୍କା ଆଦାୟ କରି ଗାନ୍ଧୀଜୀଙ୍କୁ ପ୍ରଦାନ କରାଯାଇଥିଲା। ପୁରୀ ସହିତ ଗାନ୍ଧୀଙ୍କ ସଂପର୍କ ଅତି ନିବିଡ ଓ ନିଆରା। ଗାନ୍ଧୀ ସର୍ବାଧିକ ୭ ଦିନ ୭ ରାତି ପୁରୀ ଜିଲ୍ଲା ଡେଲାଙ୍ଗରେ ହିଁ କଟାଇଛନ୍ତି। ଗାନ୍ଧୀ ୧୯୨୧ ମସିହା ମାର୍ଚ୍ଚ ୨୩ରେ ପ୍ରଥମେ ପୁରୀ ଓ ସତ୍ୟବାଦୀକୁ ଆସିଥିଲେ। ପରେ ୧୯୨୬ ଡିସେମ୍ବର ୪, ୧୯୩୪ ମସିହାରେ ହରଜନ ପଦଯାତ୍ରାରେ ଗାନ୍ଧୀ ଓଡ଼ିଶା ଆସିଥିଲେ। ଗାନ୍ଧୀ ପଦଯାତ୍ରାରେ ପୁରୀ, ହରେକୃଷ୍ଣପୁର, ଚନ୍ଦନପୁର, ବୀରଗୋବିନ୍ଦପୁର, ଦାଣ୍ଡମୁକୁନ୍ଦପୁର, ପିପିଲିରେ ଦେଇ କଟକ ଯାଇଥିଲେ। ପୁରୀ ଜିଲ୍ଲାରେ ଗାନ୍ଧୀ ସ୍ମୃତି ବହନ କରୁଥିବା ପ୍ରତିଟି ସ୍ଥାନ ଏବେ ଏକ ପୀଠ ହୋଇଯାଇଛି। ପୁରୀରୁ ହିଁ ସେ ଅସ୍ପୃଶ୍ୟତା ବିରୋଧରେ ତାଙ୍କର ପଦଯାତ୍ରା ଆରମ୍ଭ କରିଥିଲେ। ପୁରୀ ସମୁଦ୍ରକୂଳର ଗୋପାଳ ବାଡ଼ିରେ ରାତି କାଟିଛନ୍ତି। କେବଳ ସେତିକି ନୁହେଁ ଏହି ପୁରୀରେ ମହାତ୍ମାଙ୍କ ଚିତାଭସ୍ମ ମହୋଦଧିରେ ବିସର୍ଜନ କରାଯାଇଥିଲା। ୧୯୪୮ ମସିହା ଫେବ୍ରୁଆରି ୧୨ ତାରିଖରେ ଏହି ବିସର୍ଜନ କରାଯାଇଥିଲା। ସେହି ସ୍ଥାନ ଏବେ ବି ଗାନ୍ଧୀ ସ୍ମୃତି ପୀଠ ହୋଇରହିଛି।