ଓଡିଆନ୍ ନ୍ୟୁଜ

42

ପାକିସ୍ତାନରେ ଥିବା କର୍ତ୍ତାରପୁର କରିଡର ଯିବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ

Team Odian News |

ନୂଆଦିଲ୍ଲୀ: ଶିଖ୍‌ ଧର୍ମ ଗୁରୁ ନାନକଙ୍କ ଜନ୍ମ ବାର୍ଷିକୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପାକିସ୍ତାନରେ ଥିବା କର୍ତ୍ତାରପୁର କରିଡର ଯିବେ। ଏକ ସର୍ବଦଳୀୟ ଗୋଷ୍ଠୀର ଅଂଶ ଭାବେ ସେ ସେଠାକୁ ଯିବେ ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଘୋଷଣା କରିଛନ୍ତି। ଅମରିନ୍ଦର ଏହି ଅବସରରେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ଦିଆଯାଇଛି। ପଞ୍ଜାବ ସରକାର ପକ୍ଷରୁ ଆୟୋଜିତ ଏହି ଐତିହାସିକ କାର୍ଯ୍ୟକ୍ରମରେ ସାମିଲ ହେବାପାଇଁ ଉଭୟ ସମ୍ମତି ପ୍ରଦାନ କରିଥିବା ସେ କହିଛନ୍ତି| ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ ସେ ପାକିସ୍ତାନ ସରକାରଙ୍କ ନିମନ୍ତ୍ରଣ ରକ୍ଷା କରି ନୁହେଁ, ପଞ୍ଜାବ (ଭାରତ) ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ଅନୁରୋଧ ରକ୍ଷା କରି ସେ ସେଠାକୁ ଯିବେ ।

ଶିଖ ଧର୍ମର ପ୍ରତିଷ୍ଠାତା ଗୁରୁନାନକ ଦେବଙ୍କ ୫୫୦ ତମ ପ୍ରକାଶ ପର୍ବ ଅବସରରେ ସେଠାକୁ ଯିବାକୁ ଥିବା ଶିଖ ପ୍ରତିନିଧିଦଳ (ଜଠା) ର ନେତୃତ୍ୱ କରିବାକୁ ଅମରିନ୍ଦର ସିଂ କିଛିଦିନ ପୂର୍ବରୁ ମନମୋହନଙ୍କୁ ଭେଟି ଅନୁରୋଧ କରିଥିଲେ । ଗତ ସପ୍ତାହରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସୀ କହିଥିଲେ କର୍ତ୍ତାରପୁର କରିଡରର ଉଦଘାଟନ ପାଇଁ ପାକିସ୍ତାନ ସରକାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରିବେ ନାହିଁ । ମୋଦୀଙ୍କ ବଦଳରେ ମନମୋହନଙ୍କୁ ନିମନ୍ତ୍ରଣ କରିବାକୁ ସେ ଘୋଷଣା କରିଥିଲେ । କିନ୍ତୁ ଏହି ନିମନ୍ତ୍ରଣ ରକ୍ଷା କରିବାକୁ ଡଃ. ସିଂ ସେତେବେଳେ ମନା କରିଦେଇଥିଲେ ।