ଓଡିଆନ୍ ନ୍ୟୁଜ

42

ଆମେରିକୀୟ ବିଶ୍ୱବିଦ୍ୟାଳୟର ଚେତାବନୀ

Team Odian News |

ନୂଆଦିଲ୍ଲୀ: ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ  ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ହେବା ପରେ  ବାରମ୍ବାର ପରମାଣୁ ଯୁଦ୍ଧର ଧମକ ଦେଉଛନ୍ତି। ଏପରିକି ସେ ଜାତିସଂଘରେ ମଧ୍ୟ ତାଙ୍କ ଭାଷଣରେ ଇଙ୍ଗିତରେ  ଏହି କଥା କହିବାକୁ ଭୁଲି ନାହାନ୍ତି। ଯଦି ଭାରତ-ପାକିସ୍ତାନ ଭିତରେ ଯୁଦ୍ଧ ଲାଗେ ଓ ପରମାଣୁ ଅସ୍ତ୍ର ବ୍ୟବହାର ହୁଏ ତେବେ ପରିସ୍ଥିତି କ’ଣ ହେବ ତାହାକୁ ନେଇ ଏକ ଅନୁଧ୍ୟାନ କରାଯାଇଛି। ଆମେରିକାର ରଟଗର୍ସ ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଏହି ଅନୁଧ୍ୟାନ ଅନୁସାରେ ଭାରତ-ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ହେଲେ ବ୍ୟାପକ କ୍ଷୟକ୍ଷତି ସହ ୧୨ କୋଟିରୁ ଅଧିକ ଲୋକଙ୍କ ଜୀବନ ଯିବ ।ରିପୋର୍ଟ ଅନୁସାରେ ଜାମ୍ମୁ-କଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନରେ ପ୍ରଶିକ୍ଷଣପ୍ରାପ୍ତ  ଆତଙ୍କବାଦୀ ଭାରତ ଉପରେ ଜୋରଦାର ଆକ୍ରମଣ କରିପାରନ୍ତି । ଏପରି ଭାରତୀୟ ସଂସଦ ପର୍ଯ୍ୟନ୍ତ ଏହି ଆକ୍ରମଣ ପହଞ୍ଚି ପାରେ ବୋଲି ରିପୋର୍ଟରେ ଦର୍ଶାଯାଇଛି । ବର୍ତ୍ତମାନ ଆରମ୍ଭ ହୋଇଥିବା ଉତ୍ତେଜନା  ୨୦୨୫ ବେଳକୁ ଚରମ ସୀମାରେ ପହଞ୍ଚିବ ବୋଲି ଆକଳନ କରାଯାଇଛି । ଏହି ଆତଙ୍କବାଦୀ ହମଲା ହିଁ  ଭାରତ-ପାକିସ୍ତାନ ଯୁଦ୍ଧର କାରଣ ହେବ । ଆଉ ଯଦି ଦୁଇ ଦେଶ ଯୁଦ୍ଧରେ ପରମାଣୁ ଅସ୍ତ୍ର ବ୍ୟବହାର କରନ୍ତି ତେବେ ଏହା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନର ହିରୋସୀମା, ନାଗାସାକି ଉପରେ ହୋଇଥିବା ଆକ୍ରମଣଠାରୁ ଢ଼େର ଅଧିକ ଗୁଣରେ ଭୟାବହ ହେବ ।ଏହା ସହିତ ରିପୋର୍ଟରେ କୁହାଯାଇଛି  ଭାରତ ଓ ପାକିସ୍ତାନ ପାଖରେ ଏବେ ପ୍ରାୟ ୧୫୦ଟି ଲେଖାଏଁ ପରମାଣୁ ଅସ୍ତ୍ର ରହିଛି । କିନ୍ତୁ ୨୦୨୫ବେଳକୁ ଏହି ସଂଖ୍ୟା ୨୦୦ ଟପିଯିବାର ଆଶଙ୍କା ରହିଛି । ଅର୍ଥାତ ଦୁଇ ଦେଶ ନିକଟରେ ସେତେବେଳକୁ ୪୦୦ରୁ ୫୦୦ଟି ପରମାଣୁ ଅସ୍ତ୍ର ରହିଥିବ ଏବଂ ଏହାକୁ ଯୁଦ୍ଧରେ ବ୍ୟବହାର କଲେ ପାଖାପାଖି ୧୨ କୋଟି ଲୋକଙ୍କର ଜୀବନ ଯିବ ।ଏହି ଅନୁଧ୍ୟାନରେ ଆହୁରି କୁହାଯାଇଛି ପରମାଣୁ ଯୁଦ୍ଧ ପରେ ଯେଉଁ ତେଜସ୍କ୍ରିୟ ବିକିରଣ  ନିର୍ଗତ ହେବ ତାହା ପରିବେଶ ଉପରେ  ଭୟଙ୍କର ପ୍ରଭାବ ପକାଇବ । ସାରା ବିଶ୍ବର ପାଣିପାଗ ଏହା ଦ୍ବାରା ପ୍ରଭାବିତ ହେବ। ବହୁ ଅଞ୍ଚଳରେ ତୁଷାରପାତ ହୋଇପାରେ ବୋଲି ଏହି ରିପୋର୍ଟରେ ଦାବି କରାଯାଇଛି।ତେଣୁ ଦୁଇ ଦେଶ ମଧ୍ୟରେ ଯଦି ବୁଝାମଣା ନହୁଏ ତେବେ ଦକ୍ଷିଣ ଏସିଆରେ ଧ୍ୱଂସର ସବୁଠାରୁ ବଡ ଇତିହାସ ଲେଖାଯିବ ।