ଓଡିଆନ୍ ନ୍ୟୁଜ

147

ଜନ୍ମସ୍ଥଳୀ ବାଡନଗର ପ୍ରଧାନମନ୍ତ୍ରୀରେ ନରେନ୍ଦ୍ର ମୋଦି

Team Odian News |

ଜନ୍ମସ୍ଥଳୀ ବାଡନଗର ପ୍ରଧାନମନ୍ତ୍ରୀରେ ନରେନ୍ଦ୍ର ମୋଦି

ମଥାନତ ହୋଇ ଭୂମିଷ୍ଠ ପ୍ରଣାମ ସହ ସେହି ମାଟିକୁ ମଥାରେ ତିଳକ ଭାବରେ ଧାରଣ 
ବାଡନଗର,୮/୧୦( ଓଡ଼ିଆନ୍ ନ୍ୟୁଜ୍ ଟିମ୍) : ଆଜି ମୁଁ ଯେଉଁ ସ୍ଥାନରେ ପହଞ୍ଚିଛି, ତାହା ବାଡନଗରର ପବିତ୍ର ମାଟିର ସଂସ୍କାର ପାଇଁ ସମ୍ଭବ ହୋଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁଇଦିନିଆ ଗୁଜୁରାଟ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମସ୍ଥଳୀ ବାଡନଗରରେ ପହଞ୍ଚିଥିଲେ । ବାଡନଗର ୨୫ଶହ ବର୍ଷର ସହର ଅଟେ ଏବଂ ଏଠାକୁ ପ୍ରସିଦ୍ଧ ପର୍ୟ୍ୟଟକ ହୁଏନ ସାଂ ମଧ୍ୟ ପରିଦର୍ଶନରେ ଆସିଥିଲେ । ସେହି ପବିତ୍ର ମାଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟକାଳ ବିତିଥିବା ବେଳେ ସେ ଏଠାରେ ଏକ ଚା’ ଦୋକାନରେ ଚା’ ବିକ୍ରି କରୁଥିଲେ । ବାଡନଗର ରେଳଷ୍ଟେସନରେ ତାଙ୍କ ବାପା ଦାମୋଦର ଦାସ ମୋଦିଙ୍କ ଏକ ଛୋଟ ଚା’ ଦୋକାନ ଥିଲା । ସ୍କୁଲ ସମୟ ପରେ କିମ୍ବା ଛୁଟି ଦିନରେ ନରେନ୍ଦ୍ର ମୋଦି ସେଠାକୁ ଯାଇ ତାଙ୍କ ବାପାଙ୍କୁ ସାହାଯ୍ୟ କରୁଥିଲେ ଏବଂ ରେଳଯାତ୍ରୀଙ୍କୁ ଚା’ ବିକ୍ରି କରୁଥିଲେ । ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ସେ ବାଡନଗର ଆସିଥିଲେ । ଏଠାରେ ପହଞ୍ଚିବା ପରେ ସେ ଦୀର୍ଘ ୬ କିଲୋମିଟର ପର୍ୟ୍ୟନ୍ତ ରୋଡ ଶୋ’ କରିଥିଲେ । ସେ ପଢୁଥିବା ବିଦ୍ୟାଳୟ ଯିବାସହ ସେଠାରେ ମଥାନତ ହୋଇ ଭୂମିଷ୍ଠ ପ୍ରଣାମ କରିବା ସହ ସେହି ମାଟିକୁ ମଥାରେ ତିଳକ ଭାବରେ ଧାରଣ କରିଥିଲେ । ଏହାପରେ ସେ ବାଡନଗର ମେଡିକାଲ କଲେଜର ଶୁଭ ଉଦଘାଟନ କରିବା ସହ ଛାତ୍ରଛାତ୍ରୀଙ୍କ ସହ କିଛି ସମୟ ପାଇଁ କଥାବାର୍ତ୍ତା କରିଥିଲେ । ଏହି ମେଡିକାଲ କଲେଜ ୬ଶହ କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ହୋଇଥିବା ବେଳେ ଏହାର ସିଟ୍‌ ସଂଖ୍ୟା ୬ହଜାରକୁ ବୃଦ୍ଧି କରାଯାଇଛି । ମେଡିକାଲ କଲେଜ ଉଦ୍‌ଘାଟନ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି.ନଡ୍ଡା ଏବଂ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ମଧ୍ୟ ଉପସ୍ଥିତ ଥିଲେ । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାଟକେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଏହାପରେ ସାଧାରଣ ଜନତାଙ୍କୁ ସମ୍ବୋଧିତ କରିବା ଅବସରରେ ସେ କହିଥିଲେ ନିଜ ଜନ୍ମମାଟିରେ ସମ୍ମାନ ଏବଂ ଆଦର ମିଳିବା ଏକ ଅନ୍ୟ ଅନୁଭୂତି ଅଟେ । ଏହାର ମାଟିକୁ ସ୍ପର୍ଶ କରିବା ପରେ ଏବଂ ଏହାର କିଛି ପୁରୁଣା ସ୍ମୃତି ତାଙ୍କୁ ନୂତନ ଉତ୍ସାଙ୍କ ଓ ପ୍ରେରଣା ଯୋଗାଇଛି ବୋଲି ସେ କହିଥିଲେ । ଏହାଛଡା ଏହାର ଗୌରବକୁ ବଜାୟ ରଖିବା ଏବଂ ବାଡନଗର ସମ୍ମାନକୁ ଉଚ୍ଚକୁ ପହଞ୍ଚାଇବା ତାଙ୍କ କର୍ତ୍ତବ୍ୟ ବୋଲି ମଧ୍ୟ ସେ କହିଥିଲେ । ଏହି ଅବସରରେ ସେ ‘ମିଶନ ଇନ୍ଦ୍ରଧନୁଷ’ର ଶୁଭାରମ୍ଭ କରିଥିଲେ । ଛୋଟ ଛୋଟ ପିଲାଙ୍କୁ ବିଭିନ୍ନ ରୋଗରୁ ଦୂରେଇ ରଖିବାକୁ ଦିଆଯାଉଥିବା ପ୍ରତିଷେଧକ ଟୀକାକରଣ ଏହି ‘ମିଶନ ଇନ୍ଦ୍ରଧନୁଷ’ କାର୍ୟ୍ୟକ୍ରମ ଅନ୍ତର୍ଭୁକ୍ତ ଅଟେ । ନରେନ୍ଦ୍ର ମୋଦି ବାଡନଗର ରେଳଷ୍ଟେସନ ନବନିର୍ମିତ କୋଠାର ଶୁଭ ଉଦ୍‌ଘାଟନ କରିଥିଲେ । ତାଙ୍କ ଗସ୍ତ ପାଇଁ ସମଗ୍ର ରେଳଷ୍ଟେସନକୁ ସୁନ୍ଦର ଭାବରେ ସଜା ଯାଇଥିବାବେଳେ ଏହାର ମୁଖ୍ୟ ଆକର୍ଷଣ ଥିଲା ନରେନ୍ଦ୍ର ମୋଦିଙ୍କ ବାପାଙ୍କ ଚା’ ଦୋକାନ । ଆଗାମୀ ଦିନରେ ଏହାକୁ ପର୍ୟ୍ୟଟନସ୍ଥଳୀର ମାନ୍ୟତା ଦେବାକୁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି କରିଛନ୍ତି । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭରୁଚ ଗସ୍ତରେ ଯାଇଥିଲେ । ସେଠାରେ ସେ ନର୍ମଦା ନଦୀରେ ନିର୍ମିତ ହେବାକୁ ଥିବା ବ୍ୟାରେଜର ଆଧାରଶିଳା ସ୍ଥାପନ କରିଥିଲେ । ଏହାପରେ ଗୁଜୁରାଟର ସୁରଟ ଏବଂ ବିହାରର ଜୟନଗର ମଧ୍ୟରେ ଚଳାଚଳ କରିବାକୁ ଥିବା ନୂଆ ଅନ୍ତ୍ୟୋଦୟ ଏକ୍ସପ୍ରେସର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ଏକ ସାଧାରଣ ସଭାରେ ଲୋକଙ୍କୁ ସମ୍ବୋଧିତ କରିବା ପରେ ସେ ଦିଲ୍ଲୀ ଫେରିଥିଲେ ।