ଓଡିଆନ୍ ନ୍ୟୁଜ

13

ସାଧାରଣ ଲୋକଙ୍କ ଉନ୍ନତି ପାଇଁ କାମ କରିବା ମିଡିଆର ମୁଖ୍ୟ କାମ:ଭେଙ୍କିୟା ନାଇଡୁ

Team Odian News |

କଟକ :କଟକର ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମ୍‌ରେ ଆୟୋଜିତ ଖବରକାଗଜ ‘ସମାଜ’ର ଶତବାର୍ଷିକୀ ସମାରୋହରେ ଉପରାଷ୍ଟ୍ରପତି ଓଡ଼ିଆରେ ନିଜର ବକ୍ତବ୍ୟ ରଖିଛନ୍ତି।  ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ସମାଜର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପ୍ରଥମେ ନିଜ ମାତୃଭାଷାକୁ ସମ୍ମାନ ଦିଅ, ତା’ପରେ ଅନ୍ୟ ଭାଷା ଶିଖ। ଦୈନିକ ଖବରକାଗଜ ‘ସମାଜ’ର ଶତବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ। ‘ସମାଜ’ ଶତବାର୍ଷିକୀରେ ଯୋଗଦେଇ ନିଜକୁ ଆନନ୍ଦିତ ବୋଲି ଓଡ଼ିଆରେ କହି ଉପରାଷ୍ଟ୍ରପତି ଭେଙ୍କେଆ ନାଇଡୁ ନିଜର ଅଭିଭାଷଣ ଆରମ୍ଭ କରିଥିଲେ। ସେ କହିଥିଲେ, ଗରିବଙ୍କ ଉନ୍ନତି ପାଇଁ ‘ସମାଜ’ ଉଦାହରଣୀୟ କାର୍ଯ୍ୟ କରୁଛି। ଲୋକଙ୍କ ପାଇଁ କାମ କରିବା ଖବର କାଗଜର ମୁଖ୍ୟ କାମ। ଗାନ୍ଧିଜୀଙ୍କ ଭଳି ଉତ୍କଳମଣିଙ୍କ ପ୍ରାସଙ୍ଗିକତା ସର୍ବଦା ରହିବ। ସମାଜ ଗଠନରେ ଗଣମାଧ୍ୟମର ଭୂମିକା ଅନସ୍ୱୀକାର୍ଯ୍ୟ। ଶାସନତନ୍ତ୍ର ଓ ଉନ୍ନତିମୂଳକ କାର୍ଯ୍ୟରେ ଲୋକଙ୍କ ସଂପୃକ୍ତି ଏକାନ୍ତ ଜରୁରୀ। ଲୋକଙ୍କ ସଂପୃକ୍ତି ବଢ଼ାଇବା ଗଣମାଧ୍ୟମର ମୁଖ୍ୟ କାମ। ସାଧାରଣ ଲୋକଙ୍କ ଉନ୍ନତି ପାଇଁ କାମ କରିବା ମିଡିଆର ମୁଖ୍ୟ କାମ। ହେଡ୍ ଲାଇନ୍ ଡେଡ୍ ଲାଇନ ଯେମିତି ନହେବ, ତାହା ମଧ୍ୟ ମନେ ରଖିବାକୁ ପଡ଼ିବ। ଗଣତନ୍ତ୍ରରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ତାହା ଭୁଲିବା ଅନୁଚିତ ଏବଂ ସୁଶାସନ ପ୍ରତିଷ୍ଠା ଦିଗରେ ମିଡ଼ିଆର ପ୍ରମୁଖ ଭୂମିକା ରହିଛି ବୋଲି କହିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ସମାଜ’ ଶତବାର୍ଷିକୀ ଉତ୍ସବରେ ବକ୍ତବ୍ୟ ରଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ‘ସମାଜ’ ସହ ଗଣମାଧ୍ୟମକୁ ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ। ଗଣମାଧ୍ୟମ ଗଣତନ୍ତ୍ର ପାଇଁ ଅକ୍ସିଜେନ। ମିଡିଆ ଯେତେ ସ୍ୱାଧୀନ ହେବ, ଗଣତନ୍ତ୍ର ସେତେ ସୁଦୃଢ଼ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।