ଓଡିଆନ୍ ନ୍ୟୁଜ

6

ଅର୍ଦ୍ଧଦଗ୍ଧ ଅବସ୍ଥାରେ ପ୍ରାଣ ହରାଇଥିବା କୃଷ୍ଣଚନ୍ଦ୍ର ଚମ୍ପତ୍ତିରାୟଙ୍କ ମୃତ୍ୟୁ ମାମଲାରେ ସନ୍ଦିଗ୍ଧ ମହିଳାଙ୍କୁ ପୁଲିସର ପଚରାଉଚରା

Team Odian News |

ଜଗତସିଂହପୁର:  ଜଗତସିଂହପୁରରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ପ୍ରାଣ ହରାଇଥିବା କୃଷ୍ଣଚନ୍ଦ୍ର ଚମ୍ପତ୍ତିରାୟଙ୍କ ମୃତ୍ୟୁ ପଛରେ ମୁଖ୍ୟ ଅଭିଯୁକ୍ତ ବୋଲି ସନ୍ଦେହ କରାଯାଉଥିବା ଯୁବତୀ ମଧୁଙ୍କୁ ପୁଲିସ୍ ଆଜି ବି ଜେରା କରୁଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ଗତକାଲି ପୁଲିସ୍ ତାଙ୍କୁ କଟକରେ ଜେରା କରିଥିଲା। ଅଧିକ ତଥ୍ୟ ହାସଲ ପାଇଁ ଆଜି ଦାଆଗାଁ ନିଆଯାଇ ଜେରା କରାଯାଉଥିବାର ଖବର ମିଳିଛି। ପୂର୍ବରୁ ଏହି ହତ୍ୟା ଘଟଣାରେ ସନ୍ଦିଗ୍ଧ ମହିଳା ମଧୁଙ୍କ ବାପାଙ୍କୁ ଥାନାରେ ଅଟକ ରଖିବା ସହ ତାଙ୍କର ଦୁଇ ଭଉଣୀଙ୍କୁ ମଧ୍ୟ ପୁଲିସ୍ ପଚରାଉଚରା କରିଥିଲା ।
ବାଲିକୁଦା ଥାନା ଅନ୍ତର୍ଗତ ଦାଆଗାଁ ପ୍ରାଥମିକ ବିଦ୍ୟାଳୟର ବାତ୍ୟା ଆଶ୍ରୟସ୍ଥଳୀରେ କୃଷ୍ଣଚନ୍ଦ୍ର ଚମ୍ପତ୍ତିରାୟ ଜଣକ ନିଆଁରେ ଜଳିଯାଇଥିଲେ। ଅପମୃତ୍ୟୁ ମାମଲା ଦାୟର କରି ପୁଲିସ ଛାନଭିନ କରୁଥିବା ବେଳେ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ମୃତ ଯୁବକଙ୍କ ପରିବାର ଅଭିଯୋଗ ଆଣିଛନ୍ତି ।
କୃଷ୍ଣଚନ୍ଦ୍ର ଚମ୍ପତ୍ତିରାୟ ଅହମ୍ମଦାବାଦରେ କାମ କରୁଥିଲେ। ତାଙ୍କ ବାପା-ମା, ପତ୍ନୀ ଓ ତାଙ୍କର ଦୁଇ ବର୍ଷର ଝିଅ ଗାଁରେ ରହୁଥିଲେ। ବର୍ଷକ ତଳେ ଜଗତସିଂହପୁରର ବାଲିକୁଦାର ଜଣେ ମହିଳାଙ୍କ ସହ ଫେସବୁକ ମାଧ୍ୟମରେ ତାଙ୍କର ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ସଂପର୍କ ଏତେ ବଢ଼ି ଯାଇଥିଲା ଯେ କୃଷ୍ଣଚନ୍ଦ୍ର ଉକ୍ତ ମହିଳାଙ୍କ ପ୍ରେମରେ ପାଗଳ ହୋଇଯାଇଥିଲେ। ପୂଜା ଛୁଟିରେ ଘରକୁ ଆସିଥିବା କୃଷ୍ଣଚନ୍ଦ୍ର, ଶନିବାର ଦିନ ୧୨ଟାରୁ ଅହମ୍ମଦବାଦ ଯାଉଥିବା କହି ଘରୁ ବାହାରି ଆସିଥିଲେ, ହେଲେ ସେ ଜଗତସିଂହପୁରରେ ପହଞ୍ଚିଥିଲେ।

ନିଜ ଦେହରେ ମଦ କିମ୍ବା ଅନ୍ୟ କୌଣସି ତରଳପଦାର୍ଥ ଢାଳି ସେ ଆତ୍ମଦାହ କରିଥିବା ଜଗତସିଂହପୁର ଏସ୍‌ଡିପିଓ କହିଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ପୋଷ୍ଟମର୍ଟମ ରିପୋର୍ଟ ଆସି ନଥିବାରୁ ମୃତ୍ୟୁର କାରଣ ସମ୍ପର୍କରେ ସ୍ପଷ୍ଟ ହୋଇନାହିଁ ବୋଲି ସେ ସୂଚନା ଦେଇଛନ୍ତି।