ଓଡିଆନ୍ ନ୍ୟୁଜ

10

ଶାଶୂ ଘରର ଛଅ ଜଣଙ୍କୁ କରିଛି ହତ୍ୟା ବୋହୂ

Team Odian News |

କେରଳ :  ବୋହୂ ସାଜିଛି ସିରିଏଲ୍‌ କିଲର। ୧୪ ବର୍ଷରେ ଶାଶୂ ଘରର ଛଅ ଛଅ ଜଣଙ୍କୁ ଯୋଜନାବଦ୍ଧ ହତ୍ୟା କରି ରାସ୍ତାରୁ ହଟାଇ ଦେଇଛି। ଆଉ ଏହି ତାଲିକାରେ ଅଛନ୍ତି ଖୋଦ୍ ସ୍ୱାମୀ, ଶାଶୂ, ଶ୍ୱଶୂରଙ୍କ ସହ ଜଣେ ବର୍ଷକର ନିଷ୍ପାପ ଶିଶୁ। କେରଳ କୋଝିକୋଡ୍‌ରୁ ସାମ୍ନାକୁ ଆସିଥିବା ଏ ଲୋମଟାଙ୍କୁରା ଘଟଣା ଏବେ ସାରା ଦେଶରେ ପକାଇଛି ଚହଳ।

ମହିଳାଙ୍କ ନାଁ ଜଲି।  ଯିଏ ୧୯୯୭ ମସିହାରେ କୋଝିକୋଡ୍‌ର ରୟ ଥୋମସଙ୍କୁ ପ୍ରେମ ବିବାହ କରିଥିଲେ। ବିବାହର ଠିକ୍ ୫ବର୍ଷ ପରେ ଆରମ୍ଭ ହୋଇଥିଲା ତାର ହତ୍ୟାର ଗୁପ୍ତ ଖେଳ। ୨୦୦୨ରେ ପ୍ରଥମ ଶିକାର ହୋଇଥିଲେ ଶାଶୂ ଆନ୍ନାମା । ଏହାର ୬ବର୍ଷ ପରେ ଟାର୍ଗେଟ୍ ହୋଇଥିଲେ ଶ୍ୱଶୂର ଟମ୍ ଯୋଜ୍। ଆଉ ତାର ୩ ବର୍ଷ ପରେ ଅର୍ଥାତ୍ ୨୦୧୧ରେ ସବୁଦିନ ପାଇଁ ରାସ୍ତାରୁ ସଫା ହୋଇ ଯାଇଥିଲେ ଖୋଦ୍ ସ୍ୱାମୀ ରୟ ଥୋମାସ୍। ଏମିତିକି ସେହିବର୍ଷ ଆଲଫାଇନ୍ ନାମ୍ନୀ ଜଣେ ବର୍ଷକର ସମ୍ପର୍କୀୟା କୁନି ଝିଅକୁ ବି ଛାଡ଼ିନଥିଲା ଏ ପିଶାଚିନୀ।ତାପରେ ୨୦୧୪ ମସିହାରେ ମାମୁଁ ଶ୍ୱଶୂର ମାଥ୍ୟୁ ଓ ଶେଷରେ ୨୦୧୬ରେ ଆଲଫାଇନ୍‌ର ମାଆ ସିଲିକୁ ବି ଚିର ନିଦ୍ରାରେ ଶୁଆଇ ଦେଇଥିଲା ହତ୍ୟାକାରୀ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏ ସମସ୍ତଙ୍କ ମୃତ୍ୟୁର ତରିକା କିନ୍ତୁ ଥିଲା ସମାନ ଅର୍ଥାତ୍ ସମସ୍ତଙ୍କୁ କୌଶଳରେ ଖାଦ୍ୟ ଓ ପାନୀୟରେ ପ୍ରାଣଘାତକ ସାଇନାଇଡ୍ ଖୁଆଇ ମାରିଥିବା ପ୍ରମାଣ ମିଳିଛି। ଏସମସ୍ତଙ୍କୁ ହତ୍ୟା କରିବା ପରେ ହତ୍ୟାର ଶିକାର କୁନି ଝିଅର ବାପା ସାଜୁକୁ ଦ୍ୱିତୀୟ ବିବାହ କରିଥିଲା କିଲର ଜଲି। ନିଜକୁ ନିର୍ଦ୍ଦୋଷ ଦର୍ଶାଇବାକୁ ଯୋଜନା ବି କରିଥିଲା। କୋଜିକୋଡ଼ ଏନଆଇଟିର ପ୍ରଫେସର ବୋଲି ପ୍ରମାଣ କରିବାକୁ ଜାଲ୍ ପରିଚୟପତ୍ର ଯୋଗାଡ଼ କରି ୧୪ବର୍ଷ ଧରି ଭୁତେଇ ଚାଲିଥିଲା। ହେଲେ ନିକଟରେ ଆମେରିକାରେ ରହୁଥିବା ଦେଢଶୂର ରୋଜୋ ଥୋମାସ ସହ ସଂପତ୍ତିକୁ ନେଇ ବିବାଦ ବଢିବା ଓ ଜାଲ୍ ଡକ୍ୟୁମେଣ୍ଟକୁ ନେଇ ସନ୍ଦେହ ପରେ ପଦାକୁ ଆସିଥିଲା ସାଂଘାତିକ ତଥ୍ୟ। ହତ୍ୟାକାରୀ ପୁଲିସ ଆଗରେ ଗୋଟି ଗୋଟି ସବୁ ସତ ମାନିବା ପରେ ସାଇନାଇଡ୍ ଯୋଗାଇଥିବା ଅନ୍ୟ ୨ ଅଭିଯୁକ୍ତଙ୍କୁ ବି ଧରିଥିଲା ପୁଲିସ। ଏବେ ସବୁ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆଧାରରେ କେରଳ ପୁଲିସ ତଦନ୍ତ ଆଗକୁ ନେଉଛି। ହତ୍ୟାକାରୀକୁ ୭ଦିନ ରିମାଣ୍ଡରେ ନେଇ ଖୋଳତାଡ଼ କରୁଛି। ଅଧିକ ପ୍ରମାଣ ଯୋଗାଡ଼ ଲାଗି ବିଦେଶୀ ଫୋରେନ୍ସିକ ଟିମ୍‌ର ସାହାଯ୍ୟ ନେବ ବୋଲି କହିଛନ୍ତି ଡିଜିପି।