ଓଡିଆନ୍ ନ୍ୟୁଜ

24

ବାଂଲାଦେଶୀ ଆତଙ୍କବାଦୀ ଗୋଷ୍ଠୀ ଜେଏମ୍‌ବି ଭାରତରେ କାୟା ବିସ୍ତାର କରୁଛି

Team Odian News |

ନୂଆଦିଲ୍ଲୀ:  ଭାରତର ବିଭିନ୍ନ ରାଜ୍ୟଗୁଡ଼ିକରେ ଜେଏମ୍‌ବି ଆତଙ୍କବାଦୀ ଗୋଷ୍ଠୀ  କାର୍ଯ୍ୟକଳାପ ବିସ୍ତାର କାୟା କରୁଛି। ଏନେଇ ପ୍ରାୟ ୧୨୫ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ତାଲିକା ବିଭିନ୍ନ ରାଜ୍ୟମାନଙ୍କୁ ଦିଆଯାଇଛି। ଜେଏମ୍‌ବି ଝାଡ଼ଖଣ୍ଡ, ବିହାର, ଓଡ଼ିଶା, ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ କେରଳରେ ଏହାର କାୟା ବିସ୍ତାର କରୁଥିବା ଜଣାପଡ଼ିଛି। ବାଂଲାଦେଶୀ ଆପ୍ରବାସୀଙ୍କ ବେଶରେ ଜେଏମ୍‌ବି ଆତଙ୍କବାଦୀ ଗୋଷ୍ଠୀ ଭାରତରେ ବିଭିନ୍ନ ରାଜ୍ୟରେ ଏହାର କାର୍ଯ୍ୟକଳାପ ଜାରି ରଖିଛି ‌ବୋଲି ଏନ୍‌ଆଇଏ ମୁଖ୍ୟ ୱାଇସି ମୋଦୀ ଆଜି ଏଟିଏସ୍‌ (ଆତଙ୍କବାଦ ନିରୋଧ ସ୍କ୍ବାଡ୍‌) ମୁଖ୍ୟମାନଙ୍କ ବୈଠକରେ ଉଦ୍‌ବୋଧନ ଦେଇ କହିଛନ୍ତି। ମୋଦୀ ସ୍ପଷ୍ଟ କରିଛନ୍ତି ଯେ ଜେଏମ୍‌ବି ଆତଙ୍କବାଦୀମାନେ ଓଡ଼ିଶାକୁ ଅନୁପ୍ରବେଶ କରିଛନ୍ତି। ସବୁଠୁ ଚିନ୍ତାଜନକ ହେଉଛି ଆତଙ୍କବାଦୀ ଗୋଷ୍ଠୀ ଆଇଏସ୍‌ର ନଜର ବି ଓଡ଼ିଶା ଉପରେ ରହିଛି।

ବାଂଲାଦେଶୀ ଆତଙ୍କବାଦୀ ଗୋଷ୍ଠୀ ଜେଏମ୍‌ବି (ଜମାତ-ଉଲ୍‌ ମୁଜା‌ହିଦ୍ଦିନ୍‌ ବାଂଲାଦେଶ) ଭାରତରେ ଏହାର କାୟା ବିସ୍ତାର କରିବାକୁ ପ୍ରୟାସ କରୁଛି।ଏ ବାବଦରେ ବିସ୍ତୃତ ସୂଚନା ‌ଦେଇ ଏନ୍‌ଆଇଏ ଆଇଜି ଆଲୋକ ମିତ୍ତଲ କହିଛନ୍ତି, ରାଜ୍ୟମାନଙ୍କୁ ଦିଆଯାଇଥିବା ତାଲିକାରେ ୧୩୦ ଆତଙ୍କବାଦୀ ଅଛନ୍ତି। ୨୦୧୪ରୁ ୨୦୧୮ ମଧ୍ୟରେ ଜେଏମ୍‌ବି ‌ବେଙ୍ଗାଲୁରୁରେ ୨୦-୨୨ଟି ଗୋପନ ଆଡ଼ା ପ୍ରତିଷ୍ଠା କରିଛି ଏବଂ ଏହାଦ୍ବାରା ଦକ୍ଷିଣ ଭାରତରେ କାୟା ବିସ୍ତାର କରିବାକୁ ଚେଷ୍ଟା କରିଛି। ଜେଏମ୍‌ବି ମଧ୍ୟ କର୍ଣ୍ଣାଟକ ସୀମାର କ୍ରିଷ୍ଣାଗିରି ପର୍ବତରେ ଏକ ରକେଟ୍‌ ଲଞ୍ଚର ପରୀକ୍ଷଣ କରିଛି । ମିଆଁମାରରେ ରୋହିଙ୍ଗ୍ୟା ମୁସଲିମ୍‌ଙ୍କ ଦୁଃଖ ଦୁର୍ଦ୍ଦଶାର ପ୍ରତିଶୋଧ ନେବା‌କୁ ଯାଇ ଜେଏମ୍‌ବି ବୌଦ୍ଧ ମନ୍ଦିରଗୁଡ଼ିକ ଉପରେ ଆକ୍ରମଣ ଯୋଜନା କରୁଛି ବୋଲି ମିତ୍ତଲ କହିଛନ୍ତି। ଜେଏମ୍‌ବି ପ୍ରାରମ୍ଭରେ ୨୦୦୭ରେ ପଶ୍ଚିମବଙ୍ଗରେ ଏହାର କାର୍ଯ୍ୟ ଆରମ୍ଭ କରିଥିଲା ଏବଂ ପରେ ଅନ୍ୟ ରାଜ୍ୟମାନଙ୍କରେ ଏହାର କାର୍ଯ୍ୟ ଜାରି ରଖିଛି। ତଦନ୍ତରୁ ଜଣାପଡ଼ିଛି ଯେ ୧୩୦ ସନ୍ଦିଗ୍ଧ ଆତଙ୍କବାଦୀ ଜେଏମ୍‌ବି ‌ମୁଖ୍ୟ ସଂଚାଳକ ସହ ସହ ନିୟମିତ ଯୋଗାଯୋଗ ରଖିଛନ୍ତି। ମିତ୍ତଲ କହିଛନ୍ତି ବର୍ଷକ ମଧ୍ୟରେ ଆଇଏସ୍‌ ଲିଙ୍କ୍‌ ନେଇ ଦେଶରେ ୧୨୭ ଜଣ ଗିରଫ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ସ୍ବୀକାର କରିଛନ୍ତି ‌ଯେ ଇସଲାମ ଧର୍ମ ପ୍ରଚାରକ ଜାକିର ନାଏକଙ୍କ ଦ୍ବାରା ସେମାନେ ଅନୁପ୍ରାଣିତ ହୋଇଛନ୍ତି।