ଓଡିଆନ୍ ନ୍ୟୁଜ

40

ବିଜେପିରୁ ଇସ୍ତଫା ଦେଲେ ଡାକ୍ତର ଦାମୋଦର ରାଉତ

Team Odian News |

ଭୁବନେଶ୍ୱର: ବରିଷ୍ଠ ନେତା ଦାମୋଦର ରାଉତ ବିଜେପିରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ କୋଣଠେସା କରାଯାଇଥିବା ଅଭିଯୋଗ କରି ସେ ଦଳରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି। ସେ ତାଙ୍କ ଇସ୍ତଫାପତ୍ର ବିଜେପିର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇଛନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ଦାମ ବିଜେପିରେ ସାମିଲ ହୋଇଥିଲେ। ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇଥିବା ଇସ୍ତଫାପତ୍ରରେ ଦାମ ଲେଖିଛନ୍ତି, ’ଗତ ସାଧାରଣ ନିର୍ବାଚନ ପରେ ଭାରତୀୟ ଜନତା ପାର୍ଟିର ଦଳୀୟ କାର୍ଯ୍ୟକ୍ରମ କିମ୍ବା  ନୀତି ନିଷ୍ପତ୍ତି ପ୍ରକ୍ରିୟା ମୋ ଉପସ୍ଥିତି ବା ସଂପୃକ୍ତି ଆଦୌ ଆବଶ୍ୟକ ହେଉ ନ ଥିବା ମୁଁ ଅନୁଭବ କରୁଛି। ଏହା ମୋ ଭିତରେ ଗଭୀର ମାନସିକ ଅସନ୍ତୁଳନ ସୃଷ୍ଟି  କରିଛି। ରାଜ୍ୟ ବିଧାନସଭାରେ ୩୫ ବର୍ଷ ବିଧାୟକ ଏବଂ ପ୍ରାୟ ୬ ଥର କ୍ୟାବିନେଟ୍‌ ମନ୍ତ୍ରୀ ଭାବରେ କାର୍ଯ୍ୟ କଲା ପରେ ଏବେ ମୋର ଅଲୋଡ଼ା ଓ ଅନାବଶ୍ୟକ ସ୍ଥିତି ସକ୍ରିୟ ନିର୍ବାଚନ ରାଜନୀତିରୁ ସଂପୂର୍ଣ୍ଣ ଅବ୍ୟାହତି ନେବା ପାଇଁ ବାଧ୍ୟ କରୁଛି।’ ସେ ତାଙ୍କ ଇସ୍ତଫା ପତ୍ରରେ ଆହୁରି ମଧ୍ୟ ଲେଖିଛନ୍ତି, ‘ପରିଣତ  ବୟସରେ ଦଳୀୟ ନିର୍ବାଚନ ରାଜନୀତିରେ ନିଜକୁ  ସଂଶ୍ଳିଷ୍ଟ ନ କରି ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ଜଣେ ଉତ୍ସର୍ଗୀକୃତ ଅନୁଗତ ଭାବରେ ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇ ରଚନାତ୍ମକ କାର୍ଯ୍ୟକଳାପରେ ଅବଶିଷ୍ଟ ଜୀବନ ବିତାଇବା ପାଇଁ ମୁଁ ଭାରତୀୟ ଜନତା ପାର୍ଟିର ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରୁଛି।’ ଆଉ ନିର୍ବାଚନ ଲଢ଼ିବେନି ବୋଲି ଗତ କିଛିଦିନ ତଳେ ସେ ସୂଚନା ଦେଇଥିଲେ। ତେବେ ସେ ଲୋକଙ୍କ ପାଇଁ ରହିବେ ଓ ଲୋକଙ୍କ ସେବା କରିବେ ବୋଲି କହିଥିଲେ।