ଓଡିଆନ୍ ନ୍ୟୁଜ

31

ବିବାଦୀୟ ସ୍ଥାନକୁ ଛାଡ଼ିଦେବ ମୁସ୍‌ଲିମ ପକ୍ଷ

Team Odian News |

ନୂଆଦିଲ୍ଲୀ: ଗୋଟିଏ ପଟେ ସୁପ୍ରିମକୋର୍ଟରେ ଅଯୋଧ୍ୟା ଶୁଣାଣି ଶେଷ ହୋଇଛି। ନିୟମିତ ଶୁଣାଣି ପୂର୍ବରୁ ସୁପ୍ରିମକୋର୍ଟ ଅଯୋଧ୍ୟା ଜମି ବିବାଦ ମାମଲାର ଆପୋଷ ସମାଧାନ କରିବା ପାଇଁ ଗଠନ କରିଥିବା ମଧ୍ୟସ୍ଥତା ପ୍ୟାନେଲ ଆଜି ତା’ର ବୁଝାମଣା ରିପୋର୍ଟ ଦାଖଲ କରିଛି। ବନ୍ଦ ଲଫାପାରେ ପ୍ୟାନେଲ ସୁପ୍ରିମକୋର୍ଟଙ୍କ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ନିକଟରେ ଏହାକୁ ଉପସ୍ଥାପନ କରିଛି। ତେବେ ମଧ୍ୟସ୍ଥତା ପ୍ୟାନେଲ ତା’ ରିପୋର୍ଟରେ ଆପୋଷ ବୁଝାମଣା ପାଇଁ ବିଭିନ୍ନ ପକ୍ଷ ରାଜି ଥିବା ଉଲ୍ଲେଖ କରିଥିବା ଜଣାପଡ଼ିଛି। ସୁନ୍ନି ୱାକଫ ବୋର୍ଡ ବିବାଦୀୟ ୨.୭୭ ଏକର ଜମି ଉପରେ ନିଜର ମାଲିକାନା ଜାହିର କରିବ ନାହିଁ ବୋଲି ମଧ୍ୟସ୍ଥତା ପ୍ୟାନେଲକୁ କହିଥିବା ଚର୍ଚ୍ଚା ହେଉଛି। ମଧ୍ୟସ୍ଥତା ପ୍ୟାନେଲ ବିଭିନ୍ନ ପକ୍ଷଙ୍କ ସହ କଥା ହେବା ପରେ ଏହି ରିପୋର୍ଟ ଦେଇଛି। ରିପୋର୍ଟ ଅନୁସାରେ, ହିନ୍ଦୁ ଓ ମୁସଲିମ ପକ୍ଷ ଆପୋଷ ସମାଧାନ ପାଇଁ ରାଜି ହୋଇଛନ୍ତି। ୧୯୯୨ ମସିହା ଡିସେମ୍ବର ୬ ଯାଏ ଯେଉଁ ସ୍ଥାନରେ ବାବ୍ରୀ ମସଜିଦ୍‌ ରହିଥିଲା, ଉକ୍ତ ସ୍ଥାନରେ ପ୍ରକୃତରେ ରାମଜନ୍ମ ଭୂମି ରହିଥିଲା ବୋଲି ସୁନ୍ନି ୱାକଫ ବୋର୍ଡ ମାନି ନେଇଛି। ସେହିପରି ହିନ୍ଦୁ ପକ୍ଷ ଭଙ୍ଗା ଯାଇଥିବା ବାବ୍ରୀ ମସଜିଦ୍‌ ନିର୍ମାଣ ପାଇଁ ମୁସଲିମ ପକ୍ଷଙ୍କୁ ଆଉ ଏକ ସ୍ଥାନ ପ୍ରଦାନ କରିବେ। ଏଥିସହ ମଥୁରା ଓ କାଶିରେ ଯେଉଁ ଅଞ୍ଚଳକୁ ନେଇ ହିନ୍ଦୁ ପକ୍ଷ ବିବାଦ ସୃଷ୍ଟି କରିଛି, ସେମାନଙ୍କୁ ଅଯୋଧ୍ୟା ମିଳିବା ପରେ ଆଉ ସେଠାରେ ନିଜର ମାଲିକାନା ଜାହିର କରିବେ ନାହିଁ। ତେବେ ଏଥିରେ କେତେଦୂର ସତ୍ୟତା ଅଛି ତା’ହା ଜଣାପଡ଼ିନାହିଁ। ସେପ୍ଟେମ୍ବର ୧୯ରେ ସୁନ୍ନି ୱାକଫ ବୋର୍ଡ ସୁପ୍ରିମକୋର୍ଟ ଗଠନ କରିଥିବା ମଧ୍ୟସ୍ଥତା ପ୍ୟାନେଲକୁ ସ୍ୱାଗତ କରିଥିଲା। ଏହାଦ୍ୱାରା ଦୀର୍ଘ ଦଶନ୍ଧି ଧରି ଚାଲିଥିବା ଜମି ବିବାଦ ମାମଲାର ସମାଧାନ ହୋଇପାରିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଥିଲା। ସେହିପରି ଉଭୟ ପକ୍ଷ ଆଲୋଚନା ଦ୍ୱାରା ଏହାକୁ ସମାଧାନ କାରିବା ଉଚିତ ବୋଲି ମତ ଦେଇଥିଲା। ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଏଫ୍‌ଏମ କଲିଫୁଲ୍ଲା, ଆଇନଜୀବୀ ଶ୍ରୀରାମ ପଞ୍ଚୁ ଓ ଧର୍ମଗୁରୁ ଶ୍ରୀ ଶ୍ରୀ ରବିଶଙ୍କରଙ୍କୁ ନେଇ ଏକ ମଧ୍ୟସ୍ଥତା ପ୍ୟାନେଲ ଗଠନ ହୋଇଥିଲା। ଏହି ପ୍ୟାନେଲ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରିଥିଲେ ହେଁ ଚୂଡ଼ାନ୍ତ ନିଷ୍ପତ୍ତିରେ ପହଞ୍ଚି ପାରି ନଥିଲା। ଏହାପରେ ଅଗଷ୍ଟ ୬ରୁ ସୁପ୍ରିମକୋର୍ଟ ମାମଲାର ନିୟମିତ ଶୁଣାଣି ଆରମ୍ଭ କରିଥିଲେ। ତଥାପି ମଧ୍ୟସ୍ଥତା ପ୍ୟାନେଲକୁ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା ଜାରି ରଖିବାକୁ କହିଥିଲେ। ଆଜି ନିୟମିତ ଶୁଣାଣି ଶେଷ ହୋଇଥିବା ବେଳେ ମଧ୍ୟସ୍ଥତା ପ୍ୟାନେଲ ମଧ୍ୟ ତା’ର ରିପୋର୍ଟ ଦେଇଛି।