ଓଡିଆନ୍ ନ୍ୟୁଜ

21

ଅଖିଆ ଅପିଆ ଦିନ ଦିନ ଧରି ସମୁଦ୍ର ଭିତରେ ବୁଲୁଥିଲେ

Team Odian News |

କୃଷ୍ଣପ୍ରସାଦ: ୨୮ଦିନ ଧରି ସମୁଦ୍ର ଭିତରେ ସଂଘର୍ଷ କରି ଆଣ୍ଡାମାନ ଦ୍ୱୀପରୁ ଓଡ଼ିଶା ଉପକୂଳରେ ପହଞ୍ଚିଥିବା ଝଡ଼ଗ୍ରସ୍ତ ନାବିକଙ୍କୁ ନିଜ ହେପାଜତକୁ ନେଇଛି କୃଷ୍ଣପ୍ରସାଦ ପୁଲିସ୍‌। ଏଥିସହ ଘଟଣା ସମ୍ପର୍କରେ ପୁଲିସ୍‌ ନାବିକ ଅମ୍ରିତ ଖୁଜୁରଙ୍କ ଠାରୁ ବିସ୍ତୃତ ତଥ୍ୟ ସଂଗ୍ରହ କରିଛି।

ଆଜି ଅମ୍ରିତଙ୍କୁ ପୁରୀ ସେଲ୍ଟର୍ ହୋମକୁ ପଠାଇବା ସହ ସେ କିପରି ନିଜ ଠିକଣା ଜାଗାରେ ପହଞ୍ଚିବେ, ସେନେଇ କୃଷ୍ଣପ୍ରସାଦ ପୁଲିସ୍‌ ନାବିକଙ୍କ ପରିବାର ସଦସ୍ୟଙ୍କ ସହ କଥା ହୋଇଛି।

ଅମ୍ରିତଙ୍କ ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୨୮ ତାରିଖରେ ସେ ପୋର୍ଟବ୍ଲେୟାରରୁ ରାସନ ଧରି ନିଲ୍ ଆଇଲ୍ୟାଣ୍ଡ ଅଭିମୁଖେ ଡଙ୍ଗାରେ ଯାତ୍ରା ଆରମ୍ଭ କରିଥିଲେ।  ତେବେ ମଝି ସମୁଦ୍ରରେ ଘୂର୍ଣ୍ଣିଝଡ ହେବାରୁ ସାଥି ନାବିକ ଦିବ୍ୟରଞ୍ଜନଙ୍କ ସହ ଦିଗହରା ହୋଇପଡ଼ିଥିଲେ ଅମ୍ରିତ। ଏହା ଭିତରେ ବର୍ମା ପହଞ୍ଚି ଯାଇଥିଲେ। ସେଠାରୁ ପୁଣି ଦକ୍ଷିଣ ଦିଗକୁ ଯିବାବେଳେ ଆଉ ଏକ ଝଡ଼ର ସାମ୍ନା କରିଥିଲେ ଉଭୟେ ନାବିକ। ଏହାପରେ ପୁଣି ଥରେ ଦିଗହରା ହେବା ସହ ଅଖିଆ ଅପିଆ ଅବସ୍ଥାରେ ଦିନ ଦିନ ଧରି ସମୁଦ୍ର ଭିତରେ ବୁଲୁଥିଲେ ଅମ୍ରିତ ଏବଂ ଦିବ୍ୟରଞ୍ଜନ।

କିଛି ଦିନ ପରେ ଦିବ୍ୟରଞ୍ଜନଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କୁ ସମୁଦ୍ର ଭିତରେ ଫୋପାଡ଼ି ଦେଇଥିଲେ ଅମ୍ରିତ। ଆଉ ସଂଘର୍ଷ କରି ଶେଷରେ ଗତ ୨୫ ତାରିଖରେ ନିଜର ଅଚଳ ଡଙ୍ଗା ସହ ଭାସି ଆସି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଖିରିସାହି କୂଳରେ ଲାଗିଥିଲେ ବୋଲି ଅମ୍ରିତ କହିଛନ୍ତି।