ଓଡିଆନ୍ ନ୍ୟୁଜ

20

ନୂଆ ଭାରତ

Team Odian News |

ନୂଆ ଭାରତ

ନୂଆଦିଲ୍ଲୀ: ବିଧିବଦ୍ଧ ଭାବେ ଜମ୍ମୁ-କଶ୍ମୀର ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭାଜିତ ହେବା ପରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଭାରତର ନୂଆ ମାନଚିତ୍ର ଜାରି କରିଛି। ଗତ ଅକ୍ଟୋବର ୩୧ ତାରିଖରେ ହିଁ ଜମ୍ମୁ-କଶ୍ମୀର ରାଜ୍ୟ ମାନ୍ୟତା ହରାଇବା ସହ ଏହା ଜମ୍ମୁ-କଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ଏବଂ ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହୋଇଛି।

ଗତ ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀର ପାଇଁ ଲାଗୁ ହେଉଥିବା ସ୍ୱତନ୍ତ୍ର ୩୭୦ ଧାରା ଉଚ୍ଛେଦ କରାଯାଇଥିଲା। ଏହାର ପ୍ରାୟ ୩ ମାସ ପରେ ଜମ୍ମୁ-କଶ୍ମୀରର ରାଜନୀତିକ ଭୂଗୋଳରେ ପରିବର୍ତ୍ତନ ଆସିଛି। ଏହା ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ କ୍ରମେ ୩୭୦ ଧାରା ଉଚ୍ଛେଦ କରାଯିବା ସହ ଭାରତୀୟ ସମ୍ବିଧାନର ସମସ୍ତ ଆଇନ ଓ ବ୍ୟବସ୍ଥା ଲାଗୁ କରିବାର ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ନୂଆ ମ୍ୟାପ୍‌ରେ ମୁଜାଫରବାଦ୍‌, ପୁଞ୍ଛ ଏବଂ ମୀରପୁର ଆଦି ଜିଲ୍ଲା ମଧ୍ୟ ରହିଛି। ଏହା ବର୍ତ୍ତମାନ ପାକିସ୍ତାନ ଦଖଲରେ ଅଛି। ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳ ଅଧୀନରେ କାରଗିଲ ଓ ଲେହ ୨ଟି ଜିଲ୍ଲା ରହିଛି। ଅନ୍ୟପକ୍ଷରେ ଜମ୍ମୁ-କଶ୍ମୀର ଅଧୀନରେ ୨୦ଟି ଜିଲ୍ଲା ରହିଛି। ଗ୍ୟାଜେଟ୍‌ ନୋଟିଫିକେସନ୍‌ରେ ଲେହ ଜିଲ୍ଲା ଅଧୀନରେ ଗିଲଗିଟ୍‌, ଗିଲଗିଟ୍‌ ୱାଜାରାତ୍‌, ଚିଲାସ୍‌, ଆଦିବାସୀ ଅଞ୍ଚଳ ଏବଂ ଲେହ ଓ ଲଦାଖ ବୋଲି ଲେଖାଯାଇଛି। ଏଥିରେ ବର୍ତ୍ତମାନର କାରଗିଲ ଅଞ୍ଚଳ କଥା ମଧ୍ୟ କୁହାଯାଇଛି। ଏହା ଜମ୍ମୁ-କଶ୍ମୀର ପୁର୍ନଗଠନ ଦ୍ୱିତୀୟ ନିର୍ଦ୍ଦେଶ ଭାବେ ଜାରି କରାଯାଇଛି।

ନୂତନ ବ୍ୟବସ୍ଥା ଅନୁଯାୟୀ ଜମ୍ମୁ-କଶ୍ମୀର ପୁଦୁଚେରୀ ପରି ବିଧାନସଭା ଥାଇ କେନ୍ଦ୍ର ଶାସିତ ଅଞ୍ଚଳ ହେବ। ଲଦାଖ ଚଣ୍ଡୀଗଡ଼ ପରି ବିନା ବିଧାନସଭାରେ କେନ୍ଦ୍ରଶାସିତ ଅଞ୍ଚଳ ହେବ। କେନ୍ଦ୍ର ସରକାର ଜମ୍ମୁ-କଶ୍ମୀର ଏବଂ ଲଦାଖର ଶାସନ ମୁଖ୍ୟ ଭାବେ ଯଥାକ୍ରମେ ଓଡ଼ିଶା ଜନ୍ମିତ ଗୁଜରାଟ କ୍ୟାଡର ଆଇଏଏସ୍‌ ଗିରୀଶ ଚନ୍ଦ୍ର ମୁର୍ମୁ ଏବଂ ତ୍ରିପୁରା କ୍ୟାଡର ଅବସରପ୍ରାପ୍ତ ଆଇଏଏସ୍‌ ରାଧାକୃଷ୍ଣ ମାଥୁରଙ୍କୁ ନିଯୁକ୍ତି ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ୧୯୪୭ ବେଳକୁ ଜମ୍ମୁ-କଶ୍ମୀରରେ ୧୪ଟି ଜିଲ୍ଲା ଥିଲା।