ଓଡିଆନ୍ ନ୍ୟୁଜ

16

ଚଳଚ୍ଚିତ୍ର ‘ପାଟଣାଗଡ଼’ ଉପରେ ଲାଗିବନି ରୋକ୍‌

Team Odian News |

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣକୁ ନେଇ ନିର୍ମାଣ କରାଯାଇଥିବା ଚଳଚ୍ଚିତ୍ର ‘ପାଟଣାଗଡ଼’ ଉପରେ ରୋକ୍‌ ଲଗାଇବା ପାଇଁ ଆଜି ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଏଥିସହିତ, ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ପତ୍ନୀଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି।

ଚଳଚ୍ଚିତ୍ର ମୁକ୍ତିଲାଭକୁ ବିରୋଧ କରି ପାଟଣାଗଡ଼ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ପତ୍ନୀ ସୌଦାମିନୀ ମେହେରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ରିଟ୍ ପିଟିସନ ଦାଖଲ କରାଯାଇଥିଲା। ଚଳଚ୍ଚିତ୍ରରେ ପୁଞ୍ଜିଲାଲଙ୍କୁ ଖଳନାୟକ ରୂପେ ଚିତ୍ରଣ କରାଯାଉଛି ବୋଲି ଆବେଦନକାରୀଙ୍କ ଦ୍ବାରା ସୁପ୍ରିମକୋର୍ଟ ବିଚାରପତି ଏସ ଏ ବୋବଡେ, ବିଚାରପତି ଏସ ଏ ନଜିର ଓ ବିଚାରପତି କୃଷ୍ଣ ମୁରାରିଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ନିକଟରେ ଆପତ୍ତି ଉଠାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ପି ଏସ ନରସିଂହା ଚଳଚ୍ଚିତ୍ରର ମୁକ୍ତିଲାଭ ଉପରେ ରୋକ ଲଗାଇବା ପାଇଁ ଯୁକ୍ତି ଉପସ୍ଥାପନ କରିବା ସହିତ ଅନ୍ତରୀଣ ଆଦେଶ ଜାରି କରିବା ପାଇଁ ଖଣ୍ଡପୀଠଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ମାତ୍ର, ଖଣ୍ଡପୀଠ ଚଳଚ୍ଚିତ୍ର ରିଲିଜ୍ ଉପରେ ରୋକ ଲଗାଇବା ତଥା କୌଣସି ଅନ୍ତରୀଣ ଆଦେଶ ଜାରି କରିବା ପାଇଁ ମନା କରିଦେଇଥିଲେ। ଏହି ଚଳଚ୍ଚିତ୍ରକୁ ନେଇ ଆବେଦନକାରୀଙ୍କର ଯଦି କୌଣସି ଆପତ୍ତି ରହିଛି, ତା’ହେଲେ ସେ ୩୦ ଦିନ ମଧ୍ୟରେ ସେନ୍‌ସର୍‌ ବୋର୍ଡଙ୍କ ଦ୍ବାରସ୍ଥ ହୋଇ ପାରିବେ ବୋଲି ଖଣ୍ଡପୀଠ କହିଥିଲେ।ଉଲ୍ଲେଖଯୋଗ୍ୟ ଯେ, ୨୦୧୮ ମସିହା ଫେବ୍ରୁଆରି ୨୩ରେ ପାର୍ସଲ ବୋମା ବିସ୍ଫୋରଣରେ ନବବିବାହିତ ସୌମ୍ୟଶେଖର ସାହୁ ଓ ତାଙ୍କ ଜେ‌େଜ ମା’ ଜେମାମଣିଙ୍କର ମୃତ୍ୟୁ ହୋଇଥିବାବେଳେ ସୌମ୍ୟ ଶେଖରଙ୍କ ପତ୍ନୀ ରୀମାରାଣି ଗୁରୁତର ଭାବେ ଆହତ ହୋଇଥିଲେ। ପାର୍ସଲ ବୋମା ବିସ୍ଫୋରଣ କାଣ୍ଡର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ କ୍ରାଇମବ୍ରାଞ୍ଚ ପୋଲିସ୍ ଗିରଫ କରିଥିଲା। ଗତ ୧୮ ମାସ ହେବ ପୁଞ୍ଜିଲାଲ ମେହେର ଜେଲ୍‌ରେ ଅଛି। ପାର୍ସଲ ବୋମା ବିସ୍ଫୋରଣକୁ ନେଇ ପାଟଣାଗଡ଼ ଚଳଚ୍ଚିତ୍ର ଓଡ଼ିଆ ଓ ତେଲୁଗୁ ଭାଷାରେ ନିର୍ମାଣ କରାଯାଇଛି, ଯାହାର ରିଲିଜ୍ ଚଳିତ ମାସ ୮ ତାରିଖରେ ହେବାକୁ ଅଛି।