ଓଡିଆନ୍ ନ୍ୟୁଜ

25

୩ ଘଣ୍ଟା ଚାର୍ଜ ହେଲେ ୪୦ କି.ମି. ଗଡ଼ିବ ଏହି ବ୍ୟାଚେରୀ ଚାଳିତ ସାଇକେଲ

Team Odian News |

୩ ଘଣ୍ଟା ଚାର୍ଜ ହେଲେ ୪୦ କି.ମି. ଗଡ଼ିବ ଏହି ବ୍ୟାଚେରୀ ଚାଳିତ ସାଇକେଲ

ସୋର: କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ। ଯାହାର ଉଦାହରଣ ଦେଖିବାକୁ ମିଳିଛି ଜଣେ ଛାତ୍ରଙ୍କ ନିକଟରେ। ବିନା କୌଣସି ତାଲିମରେ ନିଜ ଉଦ୍ୟମରେ ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍‌ ଅନ୍ତର୍ଗତ ସାଜନପୁର କସବା ଗାଁର ଜୀବନଜ୍ୟୋତି ନାୟକ ବ୍ୟାଚେରୀ ଚାଳିତ ସାଇକେଲ ତିଆରି କରିଛନ୍ତି। ଏହି ସାଇକେଲ୍‌ ବ୍ୟବହାର କରିବା ଦ୍ୱାରା ପରିବେଶ ପ୍ରଦୂଷଣ ହେବନାହିଁ।

ଆସନ୍ତୁ ଜାଣିବା ଏହି ବ୍ୟାଟେରୀ ଚାଳିତ ସାଇକେଲ୍‌ ବିଷୟରେ…

ଏହା ସାଇକେଲ୍‌ ଭଳି ଦେଖା ଯାଉଥିଲେ ବି ଏହାର କାମ ମୋଟର ସାଇକେଲ୍‌ ପରି। ଷ୍ଟାର୍ଟ ହେଉଛି, ହର୍ଣ୍ଣ ବାଜୁଛି ଏବଂ ଆସେଲେରେଟର ମୋଡ଼ିଲେ ସାଇକେଲ ଆଗକୁ ଚାଲୁଛି। ସବୁଠାରୁ ବଡ଼ କଥା, ଏଥିପାଇଁ ନା ଆପଣଙ୍କୁ ଡିଜେଲ ନା ପେଟ୍ରୋଲର ଆବଶ୍ୟକତା ପଡ଼ିବ। କାରଣ ଏହା ବ୍ୟାଟେରୀରେ ଚାଲୁଛି। ଏହି ସାଇକେଲ୍‌ ପରିବେଶକୁ ପ୍ରଦୂଷଣରୁ ମୁକ୍ତ କରିବାରେ ସାହାଯ୍ୟ କରିବ। ଜୀବନଜ୍ୟୋତି ଯୁକ୍ତ ତିନିର ବିଜ୍ଞାନ ଛାତ୍ର।

ସାଇକେଲ୍‌ରେ ବ୍ୟବହୃତ ବ୍ୟାଟେରୀ ୩ଘଣ୍ଟା ଚାର୍ଜ ହେଲେ ୩୫ରୁ ୪୦ କିଲୋମିଟର ଗଡ଼ି ପାରିବ ସାଇକେଲ। ଯଦି ବ୍ୟାଟେରୀ ସରିଯାଏ ତେବେ ପେଡାଲ୍‌ ମାରିଲେ ବି ସାଇକେଲ୍‌ ଗଡ଼ିବ। ଏଥିରେ ଲିଥିୟମ ଆୟନ ବ୍ୟାଟେରୀ, ୨୪ଭୋଲ୍ଟର ୨୫୦ ୱାଟ୍‌ର ଗିୟର ମୋଟର, ହେଡଲାଇଟ୍, ହର୍ଣ୍ଣ, ଆସେଲେରେଟର, ବ୍ରେକ୍ ଲାଗିବା ସହ ମୋବାଇଲ ଚାର୍ଚ୍ଚ କରିବାର ସୁବିଧା ବି ରହିଛି। ମୋଟ୍‌ ୧୩ ହଜାର ୫୦୦ ଟଙ୍କାରେ ତିଆରି ହୋଇଛି ଏହି ବ୍ୟାଟେରୀ ଚାଳିତ ସାଇକେଲ।

ପିଲାବେଳୁ ବୈଦୁତିକ ଉପକରଣକୁ ନେଇ କିଛି ନୂଆ କରିବାର ଇଚ୍ଛା ରଖିଥିବା ଜୀବନଜ୍ୟୋତି ଏଭଳି ସାଇକେଲ ତିଆରି କରି ସଫଳତା ପାଇଛନ୍ତି। ଏହି ସାଇକେଲକୁ ଆକର୍ଷଣୀୟ ଷ୍ଟିକରିଂ କରିବା ସହ ଏହାର ନାଁ ଦେଇଛନ୍ତି ‘ଏଲ୍ ବେଞ୍ଚ୍’। ତାଙ୍କର ଏଭଳି ନିଆରା ଉଦ୍ଭାବନ ପାଇଁ ତାଙ୍କ ପରିବାରଠୁ ଆରମ୍ଭ କରି ଅଞ୍ଚଳବାସୀ ବେଶ୍ ଖୁସୀ।

ବିନା କୌଣସି ତାଲିମରେ ଏଭଳି ନିଆରା ଉଦ୍ଭାବନ କରି ପରିବେଶକୁ ପ୍ରଦୂଷଣ ମୁକ୍ତ କରିବାର ବାର୍ତ୍ତା ଦେଇ ଜୀବନଜ୍ୟୋତି ବେଶ୍ ଚର୍ଚ୍ଚାକୁ ଆସିଛନ୍ତି।