ଓଡିଆନ୍ ନ୍ୟୁଜ

15

ଅସମ୍ପୂର୍ଣ୍ଣ ଗୃହ ନିର୍ମାଣ ପ୍ରକଳ୍ପ ପାଇଁ ୨୫ ହଜାର କୋଟି ମଞ୍ଜୁର

Team Odian News |

ନୂଆଦିଲ୍ଲୀ: ଅସମ୍ପୂର୍ଣ୍ଣ ହୋଇ ପଡ଼ି ରହିଥିବା ଗୃହ ନିର୍ମାଣ ପ୍ରକଳ୍ପ ପାଇଁ କେନ୍ଦ୍ର କ୍ୟାବିନେଟ୍‌ ୨୫ ହଜାର କୋଟି ଟଙ୍କା ମଞ୍ଜୁର କରିଛି। ଏଥିରେ ୧୬୦୦ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ହେବ। ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି।। ଅନାଦେୟ ଋଣ କାରଣରୁ ବା ଦେବାଳିଆ ଘୋଷିତ ହୋଇଥିବା କାରଣରୁ ପଡ଼ି ରହିଥିବା ଏହି ପ୍ରକଳ୍ପ ସବୁ ଏବେ ସରିବ। ଏହା ରିଅଲ ଇଷ୍ଟେଟ୍‌ ଏବଂ ତତ୍‌ ସମ୍ପର୍କିତ କ୍ଷେତ୍ରକୁ ସମୃଦ୍ଧ କରିବା ଦିଗରେ ସହାୟକ ହେବ ବୋଲି କୁହାଯାଉଛି। ଅତିରିକ୍ତ ନିବେଶ ଫଣ୍ଡ୍‌ ଅଧୀନରେ ସରକାରଙ୍କ ପକ୍ଷରୁ ୧୦ ହଜାର କୋଟି ଟଙ୍କାର ନିବେଶ ହେବ ଏବଂ ବାକି ଅର୍ଥ ରାଷ୍ଟ୍ରାୟତ୍ତ ବୀମା କମ୍ପାନୀ ଏଲ୍‌ଆଇସି ଏବଂ ଷ୍ଟେଟ୍‌ ବ୍ୟାଙ୍କ ଆଦି କରିବେ ବୋଲି ଜଣାପଡ଼ିଛି। ଅତିରିକ୍ତ ନିବେଶ ଫଣ୍ଡ୍‌ ଏକ ସିଙ୍ଗିଲ ୱିଣ୍ଡୋ ଭାବେ କାର୍ଯ୍ୟ କରିବ। ଏସମ୍ପର୍କରେ ନିର୍ମଳା ପ୍ରଥମେ ସେପ୍ଟେମ୍ବର ୧୪ରେ ଘୋଷଣା କରିଥିଲେ। ମୋଟ ଉପରେ ୪.୫୮ ଲକ୍ଷ ହାଉସିଂ ୟୁନିଟ୍‌ ସାରିବାକୁ ଟାର୍ଗେଟ୍‌ କରାଯାଇଛି। ଏହା ନିଯୁକ୍ତି ଯୋଗାଇଦେବ ବୋଲି କୁହାଯାଉଛି।