ଓଡିଆନ୍ ନ୍ୟୁଜ

35

ଓଡ଼ିଶା ଉପକୂଳ ନିକଟତର ହେଉଛି ‘ବୁଲ୍‌ବୁଲ୍‌’

Team Odian News |

ଭୁବନେଶ୍ୱର: ବାତ୍ୟା ‘ବୁଲ୍‌ବୁଲ୍‌’ ଭେରି ସିଭିୟର୍ ସାଇକ୍ନୋନିକ୍ ଷ୍ଟର୍ମର ରୂପ ନେଇ ଓଡ଼ିଶା ଉପକୂଳ ନିକଟତର ହେବାରେ ଲାଗିଛି। ଆଜି ଦିନ ୧୦ ସୁଦ୍ଧା ଏହା ଓଡ଼ିଶା ଅତିକ୍ରମ କରିବା ନେଇ ଆଶଙ୍କା କରାଯାଉଛି। ‘ବୁଲ୍‌ବୁଲ୍‌’ ଓଡିଶା ନ ଛୁଇଁଲେ ମଧ୍ୟ ଏହାର ପ୍ରଭାବରେ ଓଡ଼ିଶାରେ ପବନ ଓ ବର୍ଷା ଲାଗି ରହିଛି। କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗରରେ ବର୍ଷା ସାଙ୍ଗକୁ ପବନ ବହୁଛି। ସେହିପରି ପାରାଦୀପରେ ମଧ୍ୟ ପ୍ରବଳ ବର୍ଷା ହେଉଛି। ବର୍ତ୍ତମାନ ବାତ୍ୟା ‘ବୁଲ୍‌ବୁଲ୍‌’ ପାରାଦୀପଠାରୁ ୧୩୦ କିଲୋମିଟର ଦୂରରେ ଅଛି। ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ଏହା ଉତ୍ତର ଦିଗକୁ ଗତି କରୁଛି। ଏହା ସୁନ୍ଦରବନରେ ସ୍ଥଳଭାଗ ଛୁଇଁବ ବା ଲ୍ୟାଣ୍ଡ୍‌ଫଲ୍‌ କରିବ। ହେଲେ ଓଡ଼ିଶା ନିକଟରେ ଅତିକ୍ରମ କଲାବେଳେ ଉପକୂଳ ଓ ଉତ୍ତର ଓଡ଼ିଶାରେ କ୍ଷୟକ୍ଷତିର ଆଶଙ୍କା ରହିଛି। ଉପକୂଳ ଅଞ୍ଚଳରେ ପବନର ବେଗ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର , ବେଳେ ବେଳେ ଏହା ୬୫ କି.ମି ମଧ୍ୟ ରହୁଛି। ପୁରୀ, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେଉଛି। ଆଜି ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ପବନର ଗତି ଓ ବର୍ଷାର ପରିମାଣ ଆହୁରି ବଢ଼ିବାର ସମ୍ଭାବନା ରହିଛି। ଏପରିକି ପବନର ବେଗ ଘଣ୍ଟା ପ୍ରତି ୬୦-୭୦ କିଲୋମିଟର, ବେଳେ ବେଳେ ୯୦ କିମି ପର୍ଯ୍ୟନ୍ତ ପହଞ୍ଚିପାରେ। ‘ବୁଲ୍‌ବୁଲ୍‌’ ଆଜି ମଧ୍ୟରାତ୍ରିରେ ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।